କବାଡ଼ିଖାନାରେ ସାଇକେଲ୍ କଟା ହେଉଛି, ରାସ୍ତାକଡ଼ରେ ସାଇକେଲ୍ ଗଣୁଛି ବିଏସ୍ସିଏଲ୍
କାହାକୁ ଡରୁଛନ୍ତି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ?
୪୮ଘଣ୍ଟା ପରେ ବି ଥାନାରେ ଅଭିଯୋଗ ହେଲାନି
କୋଟିଏ ଟଙ୍କାର ସାଇକେଲ୍ର ଚିହ୍ନବର୍ଣ୍ଣ ହଜିଗଲାଣି
ଭୁବନେଶ୍ବର : ଗତ ତିନି ଦିନ ହେଲା ଡୁମଡୁମା ନିକଟସ୍ଥ ରେହମତନଗରରେ କବାଡ଼ିବାଲା ଶହଶହ ‘ମୋ ସାଇକେଲ୍’କୁ କାଟି ଖଣ୍ଡଖଣ୍ଡ କରି ରଖୁଛି। ଏମିତି ପ୍ରାୟ କୋଟିଏ ଟଙ୍କାର ସାଇକେଲ୍କୁ କାଟି ତା’ର ଚିହ୍ନବର୍ଣ୍ଣ ହଜାଇ ଦିଆଗଲାଣି। ଏହାର ଭିଡିଓ ଓ ଫଟୋ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। କିନ୍ତୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି। ଜଣେ ବି ଅଧିକାରୀ ଘଟଣାସ୍ଥଳକୁ ଯାଇ ସାଇକେଲ୍ କିଏ ବିକିଛି, କାହିଁକି ବିକିଛି ତାହା ବୁଝିନାହାନ୍ତି। ବୁଝିବା ଦୂର କଥା; ଥାନାରେ ଏ ନେଇ ଏଫ୍ଆଇଆର୍ଟିଏ ବି ଦେଇ ନାହାନ୍ତି। ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କାହାକୁ ଡରୁଛନ୍ତି ନା ସବୁ ଜାଣି ବେଫିକର୍ ହୋଇ ବସିଛନ୍ତି, ତାହା ବୁଝାପଡ଼ୁନି।
ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ବାବୁମାନେ କବାଡ଼ିଖାନାରେ ‘ମୋ ସାଇକେଲ୍’ କଟା ହେଉଥିବା ଜାଣିବା ପରେ ଚୁପ୍ ବସିଛନ୍ତି, ଯଦି ସେମାନଙ୍କ ଘରୁ ଗୋଟିଏ ସାଇକେଲ୍ ଚୋରି ହୋଇଥାନ୍ତା ଏବଂ ତାହାକୁ କବାଡ଼ିଆ କାଟୁଥିବା ନେଇ ତାଙ୍କ ପାଖରେ ଖବର ଥା’ନ୍ତା ସେତେବେଳେ କ’ଣ ସେମାନେ ଚୁପ୍ ବସିଥାନ୍ତେ?
ରେହମତ୍ନଗରରେ ଶହଶହ ମୋ ସାଇକେଲ୍ କଟା ହେଉଥିବାବେଳେ ବିଏସ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଏଭଳି ନିରବତା ତାଙ୍କର ପାରିବାପାଣିଆ ଉପରେ ପ୍ରଶ୍ନ ଉଠାଇଛି।
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ସାଇକେଲ୍ ପିଛା ୨୫ହଜାର ଟଙ୍କା ଦେଇ ଦୁଇ ହଜାର ସାଇକେଲ୍ କିଣିଥିଲେ। ସାଇକେଲ୍ର ରକ୍ଷଣାବେକ୍ଷଣ ଦାୟିତ୍ବ ତିନି ସଂସ୍ଥା ହେକ୍ସି, ୟୁଲୁ ଓ ୟୋନୋକୁ ଦେଇଥିଲେ। ସବୁ ସାଇକେଲ୍ରେ ଜିପିଏସ୍ ଲାଗିଥିଲା। ତେଣୁ ସାଇକେଲ୍ କୁଆଡ଼େ ଗଲା ତାହା ବାବୁମାନେ ଅଫିସ୍ରେ ବସି ଜାଣିପାରିଥାନ୍ତେ। ହେଲେ ସାଇକେଲ୍କୁ କବାଡ଼ିଆ କାଟିବା ପରେ ବି ବାବୁମାନେ ଜାଣିପାରିଲେନି।
କ୍ରୁଟ୍ ‘ମୋ ସାଇକେଲ୍’ ଦାୟିତ୍ବରେ ଥିବାବେଳେ ଏହି ଜିପିଏସ୍କୁ ଟ୍ରାକ୍ କରି ସମ୍ବଲପୁର, କାକଟପୁର, ବ୍ରହ୍ମପୁରରୁ ମୋ ସାଇକେଲ୍ ଉଦ୍ଧାର କରିଥିଲା। କିନ୍ତୁ ବିଏସ୍ସିଏଲ୍ ‘ମୋ ସାଇକେଲ୍’ ଦାୟିତ୍ବ ନେବା ପରେ ସବୁ ଅବ୍ୟବସ୍ଥିତ ହୋଇଗଲା। ରାଜଧାନୀ ଭିତରେ ସାଇକେଲ୍ କଟା ହେଉଥିବାବେଳେ ସେଠାରେ ପହଞ୍ଚିପାରୁନି। ଏପରିକି ସହର ସାରା ସିସିଟିଭି ଲାଗିଥିବାବେଳେ ତାହାକୁ ଦେଖି କେଉଁଠୁ କେତେ ସାଇକେଲ୍ ଉଠାଯାଇଛି, କିଏ ଉଠାଇଛି, କେଉଁ ଗାଡ଼ିରେ ଯାଇଛି ତାହା ସହଜରେ ଜାଣିପାରନ୍ତେ। କିନ୍ତୁ ତାହା ବାବୁମାନେ କରିପାରୁନାହାନ୍ତି। ବିଏସ୍ସିଏଲ୍ ସିଇଓ ସଂଜୟ ସିଂହ କହିଛନ୍ତି ଯେ ଆମେ ହେକ୍ସି ସାଇକେଲ୍ର ସବିଶେଷ ସର୍ଭେ କରୁଛୁ। କେତେ ସାଇକେଲ୍ ଏବେ ରାସ୍ତାକଡ଼ରେ ଅଛି ତାହା ଗଣାଚାଲିଛି।
ଅପରପକ୍ଷେ ସାଇକେଲ୍କୁ କବାଡ଼ିଆକୁ ବିକ୍ରି ହେବା ନେଇ ବିଏସ୍ସିଏଲ୍ର ବରିଷ୍ଠ ଅଧିକାରୀ ତଥା ମୋ ସାଇକେଲ୍ ଦାୟିତ୍ବରେ ଥିବା କମଲଜିତ୍ ଦାସଙ୍କୁ ମଙ୍ଗଳବାର ପଚାରିବାବେଳେ ସେ କହିଥିଲେ ଯେ, ଆମେ ଏନେଇ ଥାନାରେ ଏଫ୍ଆଇଆର୍ ଦେବୁ। ହେଲେ ଘଟଣା ସମ୍ବନ୍ଧରେ ଜାଣିବାର ୪୮ଘଣ୍ଟା ପରେ ବି ବିଏସ୍ସିଏଲ୍ କାହିଁକି ଏଫ୍ଆଇଆର୍ ଦେଉନି ତାହା ଏବେ ସନ୍ଦେହରେ। ସାଧାରଣ ଲୋକଙ୍କ ଟିକସ ଅର୍ଥରେ କିଣାଯାଇଥିବା ସାଇକେଲ୍ରୁ ପ୍ରାୟ କୋଟିଏ ଟଙ୍କାର ସାଇକେଲ୍ ଏବେ ଖଣ୍ଡଖଣ୍ଡ ହୋଇଯାଇଥିବାବେଳେ ବାବୁମାନେ ହେକ୍ସିର ସାଇକେଲ୍ ଗଣୁଛନ୍ତି। ଯାହାକୁ ନେଇ ଏବେ ବାବୁଙ୍କ ଭୂମିକା ସନ୍ଦେହକୁ ଆସିଛି। କାହା ଭୟରେ ବାବୁମାନେ ଚୁପ୍ ବସିଛନ୍ତି ସେନେଇ ମଧ୍ୟ ପ୍ରଶ୍ନ ଉଠିଲାଣି।