ଭୁବନେଶ୍ବର: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନଥିବା ବେଳେ ଗତକାଲି ଫେସ୍‌ବୁକ୍‌ରେ ଲାଇଭ୍‌ ଆସି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାଙ୍କ ବିଧବା ପତ୍ନୀ ବିଦ୍ୟାଶ୍ରୀ। ଗୁଡ଼ାଏ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ବିଫଳ ହେବା ପରେ ସେ ସୋସିଆଲ୍‌ ମିଡିଆରେ ଆଉ ଏକ ପୋଷ୍ଟ୍‌ କରିଛନ୍ତି। ସ୍ବାମୀ ଆଦିତ୍ୟଙ୍କର ଏକ ପୁରୁଣା ପୋଷ୍ଟ୍‌କୁ ସେୟାର୍‌ କରି ବିଦ୍ୟାଶ୍ରୀ ‘ମିସ୍‌ ୟୁ (ତମେ ମନେପଡୁଛ)’ ବୋଲି ଲେଖିଛନ୍ତି। ପୋଷ୍ଟ୍‌ଟିକୁ ଆଦିତ୍ୟ ତାଙ୍କ ମୃତ୍ୟୁ ପୂର୍ବରୁ ଅର୍ଥାତ ଜୁଲାଇ ୬ ତାରିଖରେ କରିଥିଲେ। ସେଥିରେ ଲେଖାଥିଲ‌ା ‘ମୃତ୍ୟୁ ଯେତେବେଳେ ଆସେ, ବହୁତ୍ ଧୀରେ ଧୀରେ ଆସେ,କେହି ଜାଣି ପାରନ୍ତି ନାହିଁ।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିଦ୍ୟାଶ୍ରୀ ତାଙ୍କ ଫେସ୍‌ବୁକ୍‌ରେ ଲାଇଭ୍‌ କରି ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ସେ ଲାଇଭ୍‌ ଭିଡିଓକୁ ତାଙ୍କ ଆକାଉଣ୍ଟ୍‌ରୁ ହଟାଇ ଦେଇଛନ୍ତି।

Advertisment

publive-image

ଉଲ୍ଲେଖଯୋଗ୍ୟ, ଫେସବୁକରେ ଲାଇଭ୍ ଭିଡିଓ କରି ବିଦ୍ୟାଶ୍ରୀ ଏକାଥରରେ ଗୁଡ଼ାଏ ନିଦ ବଟିକା ‌ ଖାଉଥିବାର ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସେ ୩୦ଟି ସ୍ଲିପିଂ ପିଲ୍‌ ଖାଇଛନ୍ତି ବୋଲି ଭିଡିଓରେ ପ୍ରକାଶ କରିଥିଲେ।  ସେ ଏକ ଡାଏରି ଦେଖାଇ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ନାମ ସେ ଡାଏରିରେ ଲେଖିଥିବା କଥା କହିଥିଲେ। ସେ ଆହୁରି ବି କହିଥିଲେ କି ଯେପରି ଆଦିଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଟୁଛନ୍ତି, ସେହିପରି  ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହା ନଯାଉ । ସେଥିପାଇଁ ମୁଁ ଏ ଲାଇଭ୍‌ ଭିଡିଓ ସହ ଡାଏରି ଛାଡ଼ି ଯାଉଛି। ଯେଉଁମାନେ ତାଙ୍କ ମୃତ୍ୟୁ ଲାଗି ଦାୟୀ ସେମାନଙ୍କ ନାମ ସେ କହୁଥିବା ଦେଖିବାକୁ ମିଳିଥିଲା। ଏଥିସହ ସେ କାନ୍ଦି କାନ୍ଦି କହୁଛନ୍ତି – ମତେ ନ୍ୟାୟ ମିଳୁ ବୋଲି ମଧ୍ୟ ଭିଡିଓରେ କହିଥିଲେ। ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ତା‌ଙ୍କୁ ମାନସିକ ଭ‌ାବେ ଯନ୍ତ୍ରଣା ଦେଇ ମରିବା ପାଇଁ ବାଧ୍ୟ କରିଥିବା ଲୋକମାନଙ୍କ ନାମ ସେ ଡାଏରିରେ ଲେଖିବା ସହ ଫେସ୍‌ବୁକ୍‌ ଲାଇଭ୍‌ରେ ମଧ୍ୟ ନେଇଥିଲେ। ଏହା ସହ ତାଙ୍କ ମୃତ୍ୟୁ ପରେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ବିଦ୍ୟାଶ୍ରୀ।