ବିଦ୍ୟୁତ୍‌ପ୍ରଭା ଦେବୀ ସ୍ମାରକୀ ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ‘କବି ବିଦ୍ୟୁତ୍‌ପ୍ରଭା ସ୍ମାରକୀ ପୁରସ୍କାର ବିତରଣ ସମାରୋହ’ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ପ୍ରଫେସର୍‌ ଶକୁନ୍ତଳା ବଳିଆରସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ନାରୀ ଜୀବନର ମହତ୍ୱ’ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ପ୍ରଫେସର୍‌ ସଚ୍ଚିଦାନନ୍ଦ ମହାନ୍ତି କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ଅନାଲୋଚିତ ପ୍ରତିଭା ଉପରେ ଆଲୋକପାତ କରିଥିଲେ।

ନାରୀ ପ୍ରତିଭା ସମ୍ପର୍କରେ ଗବେଷଣା କରିବା ପାଇଁ ସେ କବି ମାୟାଧର ମାନସିଂହ ଏବଂ ରାଜା ଆଠମଲ୍ଲିକଙ୍କ ପ୍ରେରିତପତ୍ର, ହସ୍ତାକ୍ଷର ଓ ଶବ୍ଦାର୍ଥ ଖାତା ‘ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ’କୁ ପ୍ରଦାନ କରିଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ସଂଘମିତ୍ରା ଭଞ୍ଜ ଯୋଗଦେଇ ପ୍ରବନ୍ଧ ପାଠ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ସଂଯୋଜକ ରମେଶ ମଲ୍ଲିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସହକାରୀ ପ୍ରଫେସର ଆନ୍‌ପା ମାର୍ଣ୍ଡି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ବର୍ଣ୍ଣପଦକ ବିଜୟୀ କୃତୀ ଛାତ୍ରୀ ସୀମା ସ୍ୱାଇଁ, ଲକ୍ଷ୍ମୀପ୍ରିୟା କୁଣ୍ଡୁ ଓ ସ୍ୱାଗତିକା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର