ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। କଟକ-ଭୁବନେଶ୍ବର ଦ୍ବୈତନଗରୀର ନୂଆ ପୁଲିସ କମିସନର ଭାବେ ୧୯୯୪ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ବ ମିଳିଛି। ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସହିତ ରାଜ୍ୟ ପୁଲିସ ହାଉସିଂ ଓ ୱେଲ୍ଫେୟାର୍ କର୍ପୋରେସନ୍ର ସିଏମ୍ଡି ଦାୟିତ୍ବରେ ଅଛନ୍ତି। ପୂର୍ବରୁ ସେ ପୁରୀ ଏସ୍ପି, ଆଇଜି ପର୍ସନାଲ, ଆଇଜି ଓଏସ୍ଏପି, ଏଡିଜି କ୍ରାଇମ୍ବ୍ରାଞ୍ଚ, ପରିବହନ କମିସନର ଆଦି ଥିବା ସମୟରେ ସଫଳତାର ସହ ଦାୟିତ୍ବ ନିର୍ବାହ କରି ସରକାରଙ୍କ ଆସ୍ଥାଭାଜନ ହୋଇଛନ୍ତି। ଏବେ ନୂଆ ଦାୟିତ୍ବ ଦ୍ବୈତନଗରୀର ପୁଲିସ କମିସନର ଭାବେ ତାଙ୍କୁ ବହୁ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହେବାକୁ ପଡ଼ିବ। ସାଧାରଣ ନିର୍ବାଚନ ପରିଚାଳନାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଭିଭିଆଇପି ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିବ। ରାଜଧାନୀରେ ବଢ଼ୁଥିବା ସାଇବର ଅପରାଧ ଓ ଅନ୍ତଃରାଜ୍ୟ ଲୁଟେରାଙ୍କ ଦୌରାତ୍ମ୍ୟ ଓ ଟ୍ରାଫିକ୍ ସମସ୍ୟା ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ।
ସାଧାରଣ ନିର୍ବାଚନରେ ଏଆଇ: ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନୀ ହିଂସା ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ। ଏଥର ଡିଜିଟାଲ୍ ପ୍ରଚାର ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ତେଣୁ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ଓ ମିଛ ଖବର ପ୍ରସାରଣକୁ ନେଇ ବିଶୃଙ୍ଖଳା ଦେଖାଦେବା ସ୍ବାଭାବିକ। ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ବଡ଼ ଭୂମିକା ନେବ। ନେତାମାନଙ୍କ ମେମେ ଓ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା, ଫଟୋକୁ ଅନ୍ୟ ଫଟୋରେ ଯୋଡ଼ି ବଦନାମ ଓ ମିଛ ପ୍ରସାରଣ କରିବାକୁ ନେଇ ଗଣ୍ଡଗୋଳ ଘଟିବାର ଆଶଙ୍କା ରହିଛି। ଉଦ୍ଦେଶ୍ୟମୂଳକ ବ୍ଲଗ୍, ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଓ ଏକ୍ସ ଆଦି ବଡ଼ ସମସ୍ୟା ସୃଷ୍ଟି କରିପାରେ।
ଭିଭିଆଇପି ସୁରକ୍ଷା: ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରର ହେଭିୱେଟ୍ ନେତା ଓଡ଼ିଶା ଆସିବେ। ସେହିଭଳି ମଝିରେ ମଝିରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେମାନଙ୍କ ସୁରକ୍ଷା, ଆଇନଶୃଙ୍ଖଳା ବ୍ୟବସ୍ଥା ଚ୍ୟାଲେଞ୍ଜ ସୃଷ୍ଟି କରିବ।
ସାଇବର୍ ଅପରାଧ: ସମ୍ପ୍ରତି ସାଇବର ଅପରାଧ କମିସନରେଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାଛଡ଼ା ଭିଡିଓ ଭାଇରାଲ, ବ୍ଲାକମେଲ୍ କରି ସାଇବର ଠକ ଲୋକଙ୍କୁ ଫସାଇ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଲୋକଙ୍କୁ ଯେତେ ସଚେତନ କଲେ ବି ସାଇବର ଅପରାଧ ଥମିବାର ନାଁ ଧରୁନି। ପ୍ରତିଦିନ ସାଇବର ଅପରାଧ ସଂଖ୍ୟା ବଢ଼ିଚାଲିଛି। ସାଇବର ଅପରାଧୀଙ୍କୁ ଦମନ କରିବାକୁ ନୂଆ ସିପି କ’ଣ ପଦକ୍ଷେପ ନେଉଛନ୍ତି, ତାହା ଉତ୍କଣ୍ଠା ବଢ଼ାଇଛି।
ଡ୍ରଗ୍ସ କାରବାର: ରାଜଧାନୀର ଯୁବପିଢ଼ି ଏବେ ଡ୍ରଗ୍ସ କବଳରେ ପଡ଼ିଛନ୍ତି। ଗଳିକନ୍ଦିରେ ମିଳୁଛି ବ୍ରାଉନ୍ସୁଗାର, କୋକେନ୍ ଭଳି ଜହର। କମିସନରେଟ୍ ପୁଲିସ ଓ ଅବକାରୀ ବିଭାଗ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରୁଛନ୍ତି। କିନ୍ତୁ ନିଶା ବ୍ୟବସାୟରେ ଅଙ୍କୁଶ ଲଗାଇବା କାଠିକର ପାଠ ହୋଇଛି।
ବଦଳିଲେ ୪୭ ଥାନା ଅଧିକାରୀ
ଭୁବନେଶ୍ୱର: କମିସନରେଟ ପୁଲିସର ଆଇଆଇସିସ୍ତରରେ ଅଦଳବଦଳ ହୋଇଛି। ୪୭ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। କଟକ ମଙ୍ଗଳାବାଗ ଥାନାଧିକାରୀ ସୁଧାଂଶୁ ଜେନାଙ୍କୁ କ୍ୟାପିଟାଲ୍ ଥାନାକୁ, ସେହି ଥାନାର ଅତିରିକ୍ତ ଥାନାଧିକାରୀ ଦୁର୍ଗେଶ୍ବରୀ ପ୍ରଧାନଙ୍କୁ ଭୁବନେଶ୍ବର ମହିଳା ଥାନାକୁ ବଦଳି କରାଯାଇଛି। ଜଗତପୁର ଥାନାରୁ ରବୀନ୍ଦ୍ରନାଥ ମେହେରଙ୍କୁ ବାଲିଅନ୍ତା ଥାନାକୁ, କ୍ୟାଣ୍ଟନ୍ମେଣ୍ଟ ଥାନାରୁ ପ୍ରଦୀପ କୁମାର ଜେନାଙ୍କୁ ଚନ୍ଦକା ଥାନାକୁ, ବିଡ଼ାନାସୀ ଥାନାର ପ୍ରଦୀପ କିଶୋର ନାୟକଙ୍କୁ ଧଉଳି ଥାନା, ବାରଙ୍ଗ ଥାନାର ଆକାଶଚନ୍ଦ୍ର ରଣାଙ୍କୁ ଟ୍ରାଫିକ୍ ଥାନା ୧, ଫୁଲନଖରା ଏନ୍ଏଚ୍ ଟ୍ରାଫିକ୍ ଥାନାର ମନୋଜ ରୋସନ ବିଲୁଙ୍ଗଙ୍କୁ ଟ୍ରାଫିକ୍ ଥାନା-୨, ଚାଉଳିଆଗଞ୍ଜ ଥାନାର ଶଶିକାନ୍ତ ରାଉତଙ୍କୁ ବାଲିପାଟଣା ଥାନା, ସିଆର୍ଆର୍ଆଇ ଥାନାର କୃପାସିନ୍ଧୁ ବରଦାଙ୍କୁ ଇନ୍ଫୋଭ୍ୟାଲି ଥାନା, ମଧୁପାଟଣା ଥାନାର ତୁଷାରକାନ୍ତ ସେଠୀଙ୍କୁ ଏୟାର୍ଫିଲ୍ଡ ଥାନା, ଆଇୟୁସିଏଡବ୍ଲୁ୍ ଭୁବନେଶ୍ବରର ସମିତା ମିଶ୍ରଙ୍କୁ ନନ୍ଦନକାନନ ଥାନା, ଆଇୟୁସିଏଡବ୍ଲୁ କଟକର ରେଣୁବାଳା ତ୍ରିପାଠୀଙ୍କୁ ଆଇୟୁସିଏଡବ୍ଲୁ୍ ଭୁବନେଶ୍ବର, କଟକ ସଦର ଥାନାର ରୀନା ମିଶ୍ରଙ୍କୁ ଆଇୟୁସିଏଡବ୍ଲୁ୍ ଭୁବନେଶ୍ବର. ଏୟାରଫିଲ୍ଡ ଥାନାର ଅଶୋକ କୁମାର ନାୟକଙ୍କୁ ଏୟାରପୋର୍ଟ ଥାନା, କଟକ ଡିସିଆର୍ବିର ତେରେସ୍କୋଭା ମହାପାତ୍ରଙ୍କୁ ସାଇବର ଥାନା ଭୁବନେଶ୍ବର, ନନ୍ଦନକାନନ ଥାନାର ବିଶ୍ବରଞ୍ଜନ ନାୟକଙ୍କ ବାରଙ୍ଗ ଥାନାକୁ ବଦଳି କରାଯାଇଛି।