କମିସନରେଟ ପୁଲିସରେ ହେବ ବଡ଼ ଧରଣର ଅଦଳ ବଦଳ, ବିଦା ହେବେ ଗାଦି ମାଡ଼ି ବସିଥିବା ଏସିପି!

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଖୁବ ଶୀଘ୍ର ଆଚରଣବିଧି ଲାଗୁ କରାଯିବ। ଏହା ପୂର୍ବରୁ ପୁଲିସ ବିଭାଗରେ ଅଦଳ ବଦଳ ଆରମ୍ଭ ହୋଇଛି। ମାସର ପ୍ରଥମ ସପ୍ତାହରେ ରାଜ୍ୟରେ ଡିଏସ୍‌ପି, ଦୁଇ ଦିନ ତଳେ ଇନ୍ସପେକ୍ଟର ଏବଂ ଆଜି ଆଇପିଏସ୍‌ ସ୍ତରରେ ଅଦଳ ବଦଳ ପରେ ଏବେ କମିସନରେଟ ପୁଲିସରେ ମଧ୍ୟ ଏକ ବଡ଼ ଧରଣର ଅଦଳ ବଦଳ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏସିପିଙ୍କଠାରୁ ଆରମ୍ଭ କରି ଇନ୍ସ‌େପେକ୍ଟର ଓ ସବ-ଇନ୍ସପେକ୍ଟର ସ୍ତରରେ ଏହି ବଦଳି କରାଯିବ। ପ୍ରଥମ ପଦକ୍ଷେପ ସ୍ବରୂପ ଦୀର୍ଘ ଦିନ ଧରି ଗାଦି ମାଡ଼ି ବସିଥିବା ଏସିପିମାନଙ୍କୁ ଜିଲ୍ଲା ପାର ବଦଳି କରାଯିବ। ବିଶେଷକରି ଯେଉଁମାନେ କମିସନରେଟ୍‌ରେ ଇନ୍ସପେକ୍ଟର ଭାବେ ଯୋଗ ଦେଇ ଏବେ ପଦୋନ୍ନତି ପାଇ ଏସିପି ହୋଇଛନ୍ତି, ସେମାନଙ୍କୁ କମିସନରେଟ ପୁଲିସ ଅଞ୍ଚଳରୁ ସାଧାରଣ ନିର୍ବାଚନ ପୂର୍ବରୁ ହଟାଇ ଦିଆଯିବାକୁ ଯୋଜନା ହୋଇଛି। ଦୀର୍ଘ ଦିନ ଧରି ଏଠାରେ ଆସ୍ଥାନ ଜମାଇ ଥିବାରୁ କେତେକ ରାଜନୈତିକ ଦଳ ମଧ୍ୟ ଏମାନଙ୍କ ବିରୋଧରେ ନିର୍ବାଚନ କମିସନଙ୍କଠାରୁ ଆରମ୍ଭ କରି ପୁଲିସ ମୁଖ୍ୟାଳୟରେ ଅଭିଯୋଗ କରି ସାରିଛନ୍ତି। ଯେଉଁ ଅଫିସରମାନଙ୍କ ନାଁରେ ପିଟିସନ୍‌ ପଡ଼ିଛି ସେମାନଙ୍କ ବଦଳି ନେଇ ମଧ୍ୟ ତର୍ଜମା କରାଯାଉଛି।

ବିଶେଷକରି ଯେଉଁ ଅଫିସରମାନେ ଗତ ନିର୍ବଚାନବେଳେ ଯେଉଁ ଥାନା ଦାୟିତ୍ବରେ ଥିଲେ ଏଥର ସେମାନଙ୍କ ବଦଳି ସେହି ଅଞ୍ଚଳକୁ ମଧ୍ୟ ହୋଇ ପାରିବ ନାହିଁ। ତେଣୁ କେତେକ ଅଫିସରଙ୍କ ବଦଳି ପୁରୀ କିମ୍ବା ଖୋର୍ଧାକୁ ହୋଇ ପାରେ ବୋଲି ଚର୍ଚା ଚାଲିଛି। ଆଉ କିଛି ଅଫିସରଙ୍କୁ କଟକରୁ ଭୁବ‌େନେଶ୍ବର ଓ ଭୁବନେଶ୍ବରକୁ କଟକ ମଧ୍ୟ ବଦଳି ହେବ ବୋଲି ଶୁଣିବାକୁ ମିଳିଛି।କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ବସିଥିବା ବୈଠକରେ ପାଖାପାଖି ୭ ଜଣ ଏସିପି, ୧୭ ଜଣ ଇନ୍ସପେକ୍ଟର ଓ ୩୦ ଜଣ ପାଖାପାଖି ସବ-ଇନ୍ସପେକ୍ଟରଙ୍କ ବଦଳି ହେବ ବୋଲି ପ୍ରାଥମିକ ସୂଚନା ମିଳିଛି। ପ୍ରକାଶଥାଉକି ଗତ ବର୍ଷ ଡିସେମ୍ବର ମାସରେ ୧୪ ଜଣ ଇନ୍ସପେକ୍ଟରଙ୍କୁ ଏସିପି ରୢାଙ୍କକୁ ପଦୋନ୍ନତି ମିଳିଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଜୋନ ଏସିପି ଦାୟିତ୍ବ ମିଳିଥିଲାବେଳେ ଏବେ ବି ଅନେକ ଏସିପି- ଇନଚାର୍ଜ ଇନ୍ସ‌େପେକ୍ଟର ହୋଇ କାର୍ଯ୍ୟ କରୁଛନ୍ତି। ଆଉ କେତେକ ଅଫିସରଙ୍କ ଜିଲ୍ଲା ବାହାରକୁ ବଦଳି ହୋଇଛି। ଆଉ କିଛି ଅଫିସର ଇନ୍ସପେକ୍ଟରରୁ ଏସିପି ହେଲେଣି କିନ୍ତୁ ସେମାନଙ୍କୁ ବଦଳି କରାଯାଉ ନାହିଁ। ଆଉ କିଛି ଇନ୍ସପେକ୍ଟର ଓ ଏସିପି ମାତ୍ର ୬/୭ ମାସ କମିସନରେଟ ପୁଲିସରେ ଯୋଗ ଦେବା ପରେ ପୁଣି ଥରେ ସେମାନଙ୍କୁ ଜିଲ୍ଲାକୁ ବଦଳି କରାଯାଉଛି। ଗୋଟିଏ ଥାନାରେ ଅତି ବେଶିରେ ୩ ବର୍ଷ ଓ ପୁଲିସ ଜିଲ୍ଲାରେ ୬ ବର୍ଷ ରହିବା ନିୟମ ଥିବାବେଳେ କମିସନରେଟ ପୁଲିସର ଏହି ନିୟମ କେତେକ ଅଫିସରଙ୍କ ପାଇଁ କାମରେ ଆସୁନାହିଁ। କିଛି ଦିନ ତଳେ ଇନ୍ସପେକ୍ଟର ସ୍ତରରେ ଯେଉଁ ଅଦଳ ବଦଳ ହୋଇଥିଲା ସେଥିରେ ଗଞ୍ଜାମରୁ ଆଲୋକ ଜେନା, ଯାଜପୁରରୁ ଅମିତାଭ ମହାପାତ୍ର ଓ ପୁରୀରୁ ବିଶ୍ବରଂଜନ ସେନାପତି, ମୟୂରଭଞ୍ଜରୁ ସତ୍ୟଜିତ ଦାସ ପ୍ରମୁଖଙ୍କ ବଦଳି କମିସନରେଟ ପୁଲିସକୁ ହୋଇଥିଲା। କିନ୍ତୁ ସେମାନେ କେହି ବି କମିସନରେଟ ପୁଲିସରେ ଯୋଗ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର