ଭୁବନେଶ୍ବର: ସକାଳ ସମୟରେ ବିଭିନ୍ନ ଏଟିଏମ ସମ୍ମୁଖରେ ଛକି ରହି ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରୁଥିଲା। ସାହାଯ୍ୟ ଆଳରେ ହେଉ କିମ୍ବା ସେମାନଙ୍କ ସହ କଥା ହେବା ଛଳରେ ପିନ୍ ଜାଣିବା ସହିତ ଏଟିଏମ କାର୍ଡ ବଦଳାଇ ଦେଉଥିଲା। ପରେ ଅନ୍ୟ ଏଟିଏମକୁ ଯାଇ ଟଙ୍କା ଉଠାଇ ନେଉଥିଲା। ଏଭଳି ଅଭିନବ ଢଙ୍ଗରେ ପ୍ରାୟ ୨୫ ବରିଷ୍ଠ ନାଗରିକଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିବା କୁଖ୍ୟାତ ଠକ ସମ୍ଭବ ଆଚାର୍ଯ୍ୟ ଓରଫ ଶମ୍ଭୁ ଶେଷରେ ଖଣ୍ଡଗିରି ଥାନା ପୁଲିସ ହାତରେ ଧରାପଡ଼ିଛି। ତା’ର ସହଯୋଗୀ ବିହାର କଟିହାର ଅଞ୍ଚଳର ଜିତେନ ବୋଷ ମଧ୍ୟ ଗିରଫ ହୋଇଛି।
ସୂଚନାନୁସାରେ ଗତ ୪ ତାରିଖ ସକାଳେ ଗଣ୍ଡମୁଣ୍ଡା ଅଞ୍ଚଳର ୭୪ ବର୍ଷୀୟ ଭିକାରି ମହାକୁଡ଼ ଆଇଟିଇଆର କଲେଜ ଛକ ନିକଟରେ ଥିବା ଏସ୍ବିଆଇ ଏମଟିଏମ୍କୁ ଟଙ୍କା ଉଠାଇବାକୁ ଯାଇଥିଲେ। ଶମ୍ଭୁ ତାଙ୍କ ପଛରେ ରହି ଏଟିଏମ୍ କାର୍ଡ ପିନ୍ ଦେଖିବା ସହିତ ବୃଦ୍ଧଙ୍କ ସହ କଥା ହୋଇଥିଲା। ଟଙ୍କା ଉଠାଇବା ପରେ ଶମ୍ଭୁ କଥା ହେବା ଛଳରେ ତାଙ୍କ ଏଟିଏମ କାର୍ଡ ବଦଳାଇ ସେଠାରୁ ପଳାଇ ଯାଇଥିଲା।
କିଛି ସମୟ ପରେ ତାଙ୍କ ଏଟିଏମ୍ କାର୍ଡ ବଦଳ ହୋଇଥିବା ଭିକାରି ଜାଣିବାକୁ ପାଇଥିଲେ। ଏହାପରେ ସେ ଜାଗମରା ଷ୍ଟେଟ୍ ବ୍ୟାଙ୍କକୁ ଯାଇ ଏଟିଏମ ବ୍ଲକ କରିବାକୁ କହିଥିଲେ। କିନ୍ତୁ ସେତେବେଳକୁ ସୌଭାଗ୍ୟନଗର ଏଟିଏମରୁ ତାଙ୍କ ଆକାଉଣ୍ଟରୁ ୧୦ ହଜାର ଲେଖାଏଁ ୪ ଥରରେ ମୋଟ ୪୦ ହଜାର ଟଙ୍କା ଉଠି ସାରିଥିଲା। ଏହା ଜାଣିବା ପରେ ସେ ଖଣ୍ଡଗିରି ଥାନାରେ ମାମଲା ରୁଜୁ କରିଥିଲେ। ପୁଲିସ ମାମଲାର ତଦନ୍ତ କରିବା ସହିତ ଘଟଣାସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବରମୁଣ୍ଡା ଅଞ୍ଚଳରେ ଚଢ଼ଉ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଛାନଭିନ ସମୟରେ ସେମାନଙ୍କ ନିକଟରୁ ୪୦,୦୦୦ ଟଙ୍କା, ଦୁଇଟି ମୋବାଇଲ ଫୋନ ଏବଂ ଏକ ମୋଟରସାଇକେଲ ଜବତ ହୋଇଥିଲା। ସମ୍ଭବ ନାଁରେ ଭୁବନେଶ୍ବରର ବିଭିନ୍ନ ଥାନାରେ ୨୫ରୁ ଅଧିକ ଠକେଇ ମାମଲା ରହିଛି। କେବଳ କ୍ୟାପିଟାଲ ଥାନା ଅଞ୍ଚଳରେ ୯ଟି ମାମଲା ରହିଥିବା ଜଣାପଡ଼ିଛି। ଏଥିସହିତ କଟକ, ନିମାପଡ଼ା ଅଞ୍ଚଳରେ ମଧ୍ୟ ମାମଲା ରହିଛି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଥ୍ୟ ହାସଲ କରିବାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ଜଣାପଡ଼ିଛି।