ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୨ରେ ଖୋଲିବାକୁ ଯାଉଛି ଓଡ଼ିଶାର ସବୁଠାରୁ ବଡ଼ ସପିଂ ମଲ୍ ‘ଏସ୍ପ୍ଲାନେଡ୍ ଫୋରମ୍ ମାର୍ଟ’। ପ୍ରାୟ ୫୦୦ କୋଟି ବ୍ୟୟ ଅଟକଳରେ ୪୫୦,୦୦୦ ବର୍ଗ ଫୁଟ୍ରେ ରସୁଲଗଡ଼ ଶିଳ୍ପାଞ୍ଚଳରେ ନିର୍ମିତ ହୋଉଛି ଏହି ବିଶାଳ ମଲ୍। ରିଟେଲ୍, ଖାଦ୍ୟ ଓ ମନୋରଞ୍ଜନ ପାଇଁ ପ୍ରାୟ ୧୫୦ଟି ଷ୍ଟୋର୍ ସମେତ ଗୋଟିଏ ମଲ୍ ଭିତରେ ଏକାସାଙ୍ଗରେ ୭ଟି ମଲ୍ଟିପ୍ଲେକ୍ସ ସ୍କି୍ରନ୍ରେ ସିନେମା ଚାଲିବ। ମଲ୍ ଖୋଲିବାକୁ ନେଇ ଲୋକମାନେ ଯେତିକି ଉତ୍ସାହିତ ଅଛନ୍ତି, ସମ୍ଭାବ୍ୟ ଟ୍ରାଫିକ୍ ଜାମ୍କୁ ନେଇ ଆଶଙ୍କା ବି ଦେଖାଦେଲାଣି। କଟକ ରୋଡ୍ ପରି ରାଜଧାନୀର ଏକ ବ୍ୟସ୍ତବହୁଳ ତଥା ଭିଡ଼ ଅଞ୍ଚଳରେ ଏହି ବିଶାଳକାୟ ମଲ୍ ଅସମ୍ଭାଳ ଟ୍ରାଫିକ୍ ଜାମ୍କୁ ନିମନ୍ତ୍ରଣ କରିବନି ତ’ ବୋଲି ପ୍ରଶ୍ନ ଉଠୁଛି। ସ୍ଥାନୀୟ ଅଞ୍ଚଳରେ ଏହା ଏବେ ଚିନ୍ତାର କାରଣ ପାଲଟିଛି।
ରସୁଲ୍ଗଡ଼ରୁ ରବି ଟକିଜ୍ ଛକ ଏକ ବ୍ୟସ୍ତବହୁଳ ରାସ୍ତା। ଦିନତମାମ ଏହି ରାସ୍ତାରେ ଭିଡ଼ ଦେଖିବାକୁ ମିଳେ। ପୁଣି ଯେଉଁଠାରେ ‘ଏସ୍ପ୍ଲାନେଡ୍’ ନିର୍ମାଣ ହୋଇଛି, ଠିକ୍ ତାହାରି ସାମ୍ନାରେ ବମିଖାଲ ରେଳ ଓଭର୍ବ୍ରିଜ୍ ଶେଷ ହୋଇଛି। ତେଣୁ ଆପ୍ରୋଚ୍ ରୋଡ୍ ସଂକୀର୍ଣ୍ଣ ହୋଇଯାଇଛି। ତେଣୁ ଭବିଷ୍ୟରେ ମଲ୍ ପାଇଁ ଗାଡ଼ି ଭିଡ଼ ହେଲେ, ଏପଟେ ଟ୍ରାଫିକ୍ ନିୟନ୍ତ୍ରଣ ଅସମ୍ଭବ ହୋଇପଡ଼ିବ। ଆହୁରି ମଧ୍ୟ ମଲ୍ ପାଖ ଦେଇ ରସୁଲଗଡ଼ ଶିଳ୍ପାଞ୍ଚଳକୁ ରାସ୍ତା ପଡ଼ିଛି। ବହୁ ସମୟରେ ଭାରୀ ଯାନ ସେହି ରାସ୍ତା ଦେଇ ଚଳାଚଳ କରେ। ତେଣୁ ମଲ୍କୁ ଆସୁଥିବା ଲୋକମାନେ ଯଦି ଶିଳ୍ପାଞ୍ଚଳ ରାସ୍ତାରେ ପାର୍କିଂ କରନ୍ତି, ତେବେ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ବର୍ଷା ଦିନେ ଏଠାରେ ସମସ୍ୟା ଆହୁରି ସଙ୍ଗିନ ହେବାର ଆଶଙ୍କା ରହିଛି। ଏଠାରେ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ନ ଥିବାରୁ ଅସରାଏ ବର୍ଷାରେ କୃତ୍ରିମ ବନ୍ୟା ସୃଷ୍ଟି ହୁଏ। ଏପରି ପରିସ୍ଥିତିରେ ଏଠାରେ ମଲ୍ ନିର୍ମାଣ ଓ ଲୋକଙ୍କ ଭିଡ଼ ସହରବାସୀଙ୍କ ଦୁଃଖର କାରଣ ହୋଇପାରେ।
ଖୋଲିବାକୁ ଥିବା ଏହି ମଲ୍ରେ ଲୋକମାନଙ୍କ ଭିଡ଼କୁ ଆଖି ଆଗରେ ରଖି ଏଠାରେ ୬୦୦ରୁ ୧୦୦୦ ପର୍ଯ୍ୟନ୍ତ କାର ପାର୍କିଙ୍ଗ୍ କରିବା ପାଇଁ ସୁବିଧା ରହିବ ବୋଲି ମଲ୍ କର୍ତ୍ତୃପକ୍ଷ କହିଛନ୍ତିି। କିନ୍ତୁ ରାଜଧାନୀର ସମସ୍ତ ମଲ୍ ନିର୍ମାଣ ହେବା ବେଳେ ଏମିତି ପ୍ରତିଶ୍ରୁତି ମିଳୁଥିବା ବେଳେ ବାସ୍ତବ ଚିତ୍ର କିଛି ଅଲଗା ହୋଇଥାଏ। ବହୁ ମଲ୍ରେ ଘୋଷଣାଠାରୁ କମ୍ ପାର୍କିଂ ସ୍ଥାନ ରଖିଥାନ୍ତି। ବହୁ ସମୟରେ ପାର୍କିଂ ସ୍ଥାନ ପୂରା ହୋଇ ଲୋକମାନେ ଏଣେ ତେଣେ ରାସ୍ତା ଉପରେ ଗାଡ଼ି ରଖିବାର ଦେଖାଯାଏ। ଫଳରେ ଟ୍ରାଫିକ୍ ସମସ୍ୟା ଗୁରୁତର ଆକାର ଧାରଣ କରେ। ବିଶେଷ କରି ପର୍ବପର୍ବାଣୀରେ ସ୍ଥିତି ଅସମ୍ଭାଳ ହୋଇପଡ଼େ। ସହରର ଦୁଇ ତିନିଟି ସ୍ଥାନରେ ପୂର୍ବରୁ ଏହି ତିକ୍ତ ଅଭିଜ୍ଞତା ସହରବାସୀଙ୍କର ରହିଛି। ଯଦି ଟ୍ରାଫିକ୍ ପୁଲିସ୍ ଓ ମଲ୍ କର୍ତ୍ତୃପକ୍ଷ ଠିକ୍ ବାଟ ବାହାର ନ କରନ୍ତି, ତେବେ ସ୍ଥାନୀୟ ଅଞ୍ଚଳରେ ଏକ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେବ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/esplaned.jpg)