ଚନ୍ଦ୍ରଶେଖରପୁର : ଗତ ୮ ବର୍ଷ ମଧ୍ୟରେ ୩ ନମ୍ବର ୱାର୍ଡରେ କ’ଣ ହୋଇଛି ଓ ଆଗକୁ କ’ଣ ହୋଇପାରିବ, ତାହାର ହିସାବନିକାଶ ଦେଇ ବିଜେଡି ପ୍ରାର୍ଥୀ ଜୟନ୍ତୀ ଜେନା ତାଙ୍କ ପ୍ରଚାର ଅଭିଯାନକୁ ଜୋର୍ଦାର କରିଛନ୍ତି। ନିଜ ସମର୍ଥକମାନଙ୍କ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। 'ଗାଁ ବୋହୂ'ଙ୍କୁ ଭୋଟ ଦେବାକୁ ତାଙ୍କ ସମର୍ଥକମାନେ ନାରା ଦେଉଛନ୍ତି। ଜୟନ୍ତୀ କହିଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ୩ ନମ୍ବର ୱାର୍ଡର ଗାଁକୁ ସହର ସମକକ୍ଷ କରାଯାଇଛି। ପଟିଆ ମୁଖ୍ୟ ରାସ୍ତାର ପ୍ରଶସ୍ତକରଣ, ଗାଁ ଶ୍ମଶାନ ଓ ତୁଠ ପୋଖରୀର ଉନ୍ନତି, ବରିଷ୍ଠ ନାଗରିକଙ୍କ ପାଇଁ ରିକ୍ରିଏସନ କ୍ଲବ, ପାନୀୟ ଜଳଯୋଗାଣ ପ୍ରକଳ୍ପ, ବଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ଆଦି କ୍ଷେତ୍ରରେ କାର୍ଯ୍ୟକ୍ରମ ହୋଇଛି। କଲୋନିଗୁଡ଼ିକର ଉନ୍ନତିକରଣ ହେଉଛି। ପଟିଆ ଗାଁର ରୂପ ସମ୍ପୂର୍ଣ୍ଣ ବଦଳିଛି। ଡମଣା ଗାଁ ସହ ଯୋଡ଼ି ହୋଇଛି ସହରୀ ସଭ୍ୟତା। ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ଯୋଡ଼ି ହୋଇଯାଇଛନ୍ତି ଲୋକେ। ପାର୍କରେ ଓପନ୍ ଜିମ୍ ହୋଇଛି ଓ ମଶାଣି କରାଯାଇଛି। ପିଲାଙ୍କୁ ଶିକ୍ଷା ଗ୍ରହଣ ଲାଗି ସରକାରୀ ଓ ଘରୋଇ ସ୍କୁଲ, କଲେଜ ପ୍ରତିଷ୍ଠା ହୋଇଛି। ଆହୁରି କିଛି କାମ ବାକି ରହିଛି। ପୁଣି ୱାର୍ଡରେ ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି। ସେସବୁର ସମାଧାନ ପାଇଁ ନିରନ୍ତର ଉଦ୍ୟମ ଜାରି ରହିବ। ଗତକାଲି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ୱାର୍ଡରେ ଶୋଭାଯାତ୍ରା, ସଭା ମାଧ୍ୟମରେ ଜୟନ୍ତୀଙ୍କ ଲାଗି ଭୋଟ ମାଗିଛନ୍ତି। ପଟିଆ ଓ ଡମଣା ଗାଁକୁ ଏକ ଆଦର୍ଶ ଗାଁ ଭାବେ ଗଢ଼ିତୋଳିବା ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ରାଉତ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ବିଧାୟକ ଶ୍ରୀ ରାଉତଙ୍କ ନେତୃତ୍ୱରେ ୩ ନମ୍ବର ୱାର୍ଡରେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ପ୍ରାର୍ଥୀ ଜୟନ୍ତୀ ଜେନା କହିଥିଲେ।
ଭୁବନେଶ୍ୱରର ଓ୍ୱାର୍ଡନମ୍ୱର ୩: ପଟିଆ, ଡମଣା ପାଇଁ ବଡ଼ ଯୋଜନାର ପ୍ରତିଶ୍ରୁତି
/sambad/media/post_attachments/wp-content/uploads/2022/03/Ward3.jpg)