ବନ୍ଦ ପାଇଁ ବଡ଼ ପ୍ରସ୍ତୁତି

ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା

ସହର ସାରା ବୁଲି ସଚେତନ କଲେ
ସମର୍ଥନ ପାଇଁ ଜନସାଧାରଣଙ୍କୁ ଆହ୍ବାନ
ମୁତୟନ ହେବେ ୨୫ ପ୍ଲାଟୁନ୍ ପୁଲିସ

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସୋମବାର ସାରା ରାଜ୍ୟରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଥିବାବେଳେ ରାଜଧାନୀରେ ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେଲ ଦରବୃଦ୍ଧି ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା କରାଯାଇ ବନ୍ଦକୁ ସମର୍ଥନ କରିବା ପାଇଁ ଆହ୍ବାନ ଦିଆଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାଶଙ୍କ ନେତୃତ୍ବରେ ଏହି ମାଶାଲ ଯାତ୍ରା ସ୍ଥାନୀୟ କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ୍‌ ଓ ରାଜମହଲ ଛକ ପରିକ୍ରମା କରିଥିଲା। ଶୋଭାଯାତ୍ରାକାରୀମାନେ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ।

ଏହି ଅବସରରେ ଶ୍ରୀ ଦାଶ କହିଛନ୍ତି, ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ ଦର ବୃଦ୍ଧି କରି କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଲୁଟୁଥିବାବେଳେ ତେଲ କମ୍ପାନିଗୁଡ଼ିକର ସ୍ବାର୍ଥରକ୍ଷା କରୁଛି। ଅନ୍ୟପକ୍ଷରେ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯା‌ତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟୟ ଆଇନଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି, ଜଳଜମି ଓ ଜଙ୍ଗଲକୁ ସୁରକ୍ଷା ଦେବାରେ ବିଜେଡି ସରକାର ବିଫଳ ହୋଇଛନ୍ତି। ତେଣୁ ଉଭୟ ସରକାରଙ୍କ ଏହି ଅପାରଗତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଓ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଏହି ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି। ଅାଜିର ମଶାଲ ଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ଆଶିଷ ମଲ୍ଲିକ, ରଜନୀ ମହାନ୍ତି, ମୋହନ ଜେନା, ଅଶୋକ ଦାସ, ଦେବାରାଜ ମିଶ୍ର, ମନୋରଞ୍ଜନ ଜେନା, ପ୍ରମେଶ ସାହୁ, ମିତ୍ରଭାନୁ ମହାପାତ୍ର, ମିହିର ଆଚାର୍ଯ୍ୟ, ମଣ୍ଟୁ ମଲ୍ଲିକ, ସେଖ୍‌ ଅବତାବ୍‌ ଅଲ୍ଲୀ, ଅନଓ୍ବାର ଖାନ୍‌, ମାନସ ସେଠୀ, ଦେବି ପ୍ରସାଦ ସ୍ବାଇଁ, କୈଳାଶ ସାହୁ, ଆତ୍ମାରାମ ପତି ଓ ଶ୍ରେୟାସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

ଅନ୍ୟପକ୍ଷରେ ବନ୍ଦ ବେଳେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାର ଆଶଙ୍କା‌ ଥିବାରୁ ରାଜଧାନୀରେ ୨୫ ପ୍ଲାଟୁନ୍ ପୁଲିସକୁ ମୁତୟନ କରିବାକୁ ବ୍ୟବସ୍ଥା ହୋଇଛି। ସେହିପରି ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନରେ ସବୁ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା ଅଫିସରେ ପହଞ୍ଚିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀଙ୍କୁ ସାଙ୍ଗରେ ପରିଚୟପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ସକାଳ ୧୦ଟା ୧୫ରେ ଏହିସବୁ ଅଫିସର ମୁଖ୍ୟଫାଟକ ବନ୍ଦ କରି ଦିଆଯିବ ଏବଂ ବନ୍ଦ ସମୟରେ ବାହାରର କୌଣସି ବ୍ୟକ୍ତିକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଗୃହ ବିଭାଗ ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରି ଦେଇଛନ୍ତି।

୮ଘଣ୍ଟା ବନ୍ଦ ରହିବ ‘ମୋ ବସ୍‌’
ଭୁବନେଶ୍ବର : ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୋମବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ରାଜଧାନୀରେ ମୋ ବସ୍‌ ସେବା ପ୍ରଭାବିତ ହେବ। ସକାଳ ୬ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ କୌଣସି ବସ୍‌ ଯାତାୟାତ କରିବନି ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। କ୍ରୁଟ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ସୋମବାର ସବୁ ରୁଟ୍‌ରେ ବସ୍‌ ଚଳାଚଳ ୮ଘଣ୍ଟା ବନ୍ଦ ରହିବ। ଅପରାହ୍‌ଣ ୨ଟାରୁ ମୋ ବସ୍‌ ଚଳାଚଳ ସ୍ବାଭାବିକ ହେବ। ସୂଚନାଯୋଗ୍ୟ ଯେ, ଏବେ ୨୫ଟି ରୁଟ୍‌ରେ ୧୬୯ଟି ବସ୍‌ ଚଳାଚଳ କରୁଥିବା ବେଳେ ଦୈନିକ ୮୫ ହଜାର ଲୋକ ଯାତାୟାତ କରୁଛନ୍ତି।

ସମ୍ବନ୍ଧିତ ଖବର