ୟୁନିୟନ ବ୍ୟାଙ୍କ କେ-୭ ଶାଖାରେ ବଡ଼ ଧରଣର ଠକେଇ! ମିଛ ଋଣ କାରବାର, ଜମା ଟଙ୍କା ହଡ଼ପ ଅଭିଯୋଗ

୨ ମାସ ହେଲା ବିଭାଗୀୟ ତଦନ୍ତ ଚାଲିଛି, ଏଯାଏ ଟଙ୍କା ଫେରି ପାଇନାହାନ୍ତି ଗ୍ରାହକ

ଭୁବନେଶ୍ବର : ୟୁନିୟନ ବ୍ୟାଙ୍କ କେ-୭ ଶାଖାରେ ସୁନା ଋଣ, ଜମାରାଶି ନାମରେ ବଡ଼ ଧରଣର ଠକେଇ ଅଭିଯୋଗ ଆସିଛି। ଠକେଇ ଟଙ୍କାର ଆକଳନ ହୋଇନଥିଲେ ମଧ୍ୟ ପ୍ରାୟ ୧ କୋଟିରୁ ଉର୍ଧ୍ବ ଟଙ୍କାର ଠକେଇ ହୋଇଥିବା ଅନୁମାନ କରାଯାଉଛି। ଦୁଇ ମାସ ହେଲା ଏହାର ବିଭାଗୀୟ ତଦନ୍ତ ହେଉଛି। ଏଥିରେ ସଂପୃକ୍ତ ଜଣେ ଡେପୁଟି ମ୍ୟାନେଜରଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିବା କୁହାଯାଉଛି। ମାତ୍ର ଏତେ ବଡ଼ ଠକେଇରେ ପ୍ରକୃତରେ କେଉଁମାନେ ସଂପୃକ୍ତ ତାହା ସ୍ପଷ୍ଟ କରୁନାହାନ୍ତି କର୍ତ୍ତୃପକ୍ଷ। ତଦନ୍ତ ଜାରି ରହିଥିବାରୁ ଏ ନେଇ କିଛି କହିବାକୁ ମନା କରି ଦେଇଛନ୍ତି ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଶୋଭନ ସେନଗୁପ୍ତା। ଅନ୍ୟପକ୍ଷରେ ୨ ମାସରୁ ଅଧିକ ସମୟ ହେଲା ଠକେଇର ଶିକାର ଗ୍ରାହକମାନେ ପ୍ରତିଦିନ ନିଜ କଷ୍ଟଉପାର୍ଜିତ ଧନ ଫେରିପାଇବା ପାଇଁ ବ୍ୟାଙ୍କକୁ ଦୌଡ଼ୁଥିଲେ ମଧ୍ୟ ନିରାଶ ହେଉଥିବା କହିଛନ୍ତି।

ଅଭିଯୋଗ ଅନୁଯାୟୀ, ୟୁନିୟନ ବ୍ୟାଙ୍କ ଜଣେ ଗ୍ରାହକଙ୍କ ୨ଟି ଆକାଉଣ୍ଟ ରହିଛି। ଗୋଟିଏ ଆକାଉଣ୍ଟରେ ଜମା ଟଙ୍କା ଏବଂ ଅନ୍ୟରେ ସୁନା ରଖି ଏହା ବଦଳରେ ସେ ୨ ଲକ୍ଷ ଟଙ୍କାର ସୁନା ଋଣ ନେଇଥିଲେ। ତାଙ୍କ ଅଜାଣତରେ ଏବଂ ତାଙ୍କ ଠାରୁ କୌଣସି ସ୍ବାକ୍ଷର ନିଆନଯାଇ ଏକ ପୁରୁଣା ଦସ୍ତାବେଜ ସହାୟତାରେ ତାଙ୍କ ନାମରେ ଆଉ ଏକ ସୁନା ଋଣ ଉଠାଯାଇ ତୃତୀୟ ଆକାଉଣ୍ଟ ଖୋଲା ଯାଇଥିଲା। ୨ ଲକ୍ଷ ଟଙ୍କାର ଏହି ମିଛ ଋଣକୁ ଆକାଉଣ୍ଟରେ ଜମା କରାଯାଇ କିଛି ସମୟ ପରେ ଉଠାଣ କରାଯାଇଥିଲା। ତୃତୀୟ ପକ୍ଷକୁ ପଠାଯାଇଥିଲା। ଠକେଇର ଶିକାର ଗ୍ରାହକଙ୍କ କହିବା ଅନୁଯାୟୀ, ସେ ନିୟମିତ ପାସ୍‌ବୁକ୍‌ ଅପଡେଟ୍‌ କରନ୍ତି; କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ସେ ବ୍ୟାଙ୍କ ଯାଇପାରିଲେ ନାହିଁ କି ପାସ୍‌ବୁକ୍‌ ଅପଡେଟ୍‌ କରିପାରିଲେ ନାହିଁ। ତେଣୁ ଟଙ୍କା ଜମା କିମ୍ବା ଉଠାଣ ସମ୍ପର୍କରେ ଜାଣି ପାରିଲେ ନାହିଁ। ପ୍ରାୟ ୨ ମାସ ପୂର୍ବରୁ ବ୍ୟାଙ୍କ ପକ୍ଷରୁ ତାଙ୍କର କେତୋଟି ଆକାଉଣ୍ଟ ଏହି ବ୍ୟାଙ୍କରେ ରହିଛି ଏ ସମ୍ପର୍କରେ ସୂଚନା ମଗାଯାଇଥିଲା। ଏହାପରେ ତାଙ୍କ ନାମରେ ତୃତୀୟ ଆକାଉଣ୍ଟ ଜରିଆରେ ମିଛ ଋଣ କାରବାର ସମ୍ପର୍କରେ ସେ ଖବର ପାଇଥିଲେ।

କେବଳ ଜଣେ ଗ୍ରାହକ ନୁହନ୍ତି; ଆଉ ଜଣେ ବରିଷ୍ଠ ଗ୍ରାହକ ମଧ୍ୟ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରଖି ବ୍ୟାଙ୍କ ଅଧିକାରୀ ଫିକ୍ସଡ ଡିପୋଜିଟ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହା କେବଳ ଦୁଇଟି ଉଦାହରଣ। ଏମିତି ଆହୁରି ‌ଅନେକ ଗ୍ରାହକଙ୍କ ଜମାରାଶିକୁ ବିଭିନ୍ନ ଉପାୟରେ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଜମାକାରୀମାନେ କହିଛନ୍ତି ଯେ ଅନ୍‌ଲାଇନ୍‌ କାରବାରରେ ବ୍ୟାଙ୍କର ୨ ଜଣ ଅଧିକାରୀଙ୍କ ଦାୟିତ୍ବ ଥାଏ। ତେଣୁ କେବଳ ଜଣେ ନୁହଁନ୍ତି, ଏକାଧିକ ଅଧିକାରୀ ଏଥିରେ ସଂପୃକ୍ତ ହୋଇଥିବା ସନ୍ଦେହ କରାଯାଉଛି। ଏହାଛଡ଼ା ମିଛ ଆକାଉଣ୍ଟରେ ଜମା ଋଣଟଙ୍କାକୁ ଏକ ଅଜଣା କମ୍ପାନିକୁ ଟ୍ରାନ୍ସଫର୍‌ କରାଯାଉଥିଲା। ତେଣୁ କେଉଁ କମ୍ପାନି ଏବଂ କାହାର ମାଲିକାନା ଥିବା କମ୍ପାନିକୁ ଟଙ୍କା ପଠାଯାଉଥିଲା ତାହା ମଧ୍ୟ ତଦନ୍ତ ପରିସରକୁ ଆସିବା ଦରକାର ବୋଲି ଗ୍ରାହକମାନେ କହିଛନ୍ତି। ମାତ୍ର ବିଭାଗୀୟ ତଦନ୍ତ ଆଳରେ ଗ୍ରାହକଙ୍କ କଷ୍ଟାର୍ଜିତ ଅର୍ଥ ହଡ଼ପ ଘଟଣାକୁ ଜାଣିଶୁଣି ଚାପି ଦିଆଯାଉଛି ବୋଲି କିଛି ଗ୍ରାହକ ଅଭିଯୋଗ କରିଛନ୍ତି।

ଏ ନେଇ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ବ୍ୟାଙ୍କରେ ହେଉଥିବାରୁ ଏଭଳି ଅଭିଯୋଗ ଆସେ। ତଦନ୍ତ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ କୁହାଯାଇ ପାରିବ ନାହିଁ । ବ୍ୟାଙ୍କ ପକ୍ଷରୁ କରାଯାଉଥିବା ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଏହାପରେ ସତ୍ୟ ପଦାକୁ ଆସିବ।

ସମ୍ବନ୍ଧିତ ଖବର