ବୃହତ୍ତର ଭୁବନେଶ୍ୱର ଯୋଜନା! ବିଏମ୍‌ସି ଜନଗଣନାରେ ୧୮ ରାଜସ୍ବ ଗ୍ରାମ

ନିଯୁକ୍ତ ହେଲେ ଜନଗଣନା ଅଧିକାରୀ

ଭୁବନେଶ୍ୱର : ବୃହତ୍ତର ଭୁବନେଶ୍ବର ପାଇଁ ଯୋଜନା ହେଉଛି। ଭୁବନେଶ୍ବର ପରିସୀମା ବଢ଼ିବାକୁ ଯାଉଛି। ଆଗାମୀ ଜନଗଣନାରେ ବିଏମ୍‌ସିର ୬୭ ୱାର୍ଡ ସହ ୧୯ ରାଜସ୍ବ ଗ୍ରାମକୁ ସାମିଲ କରାଯାଇଛି। ଭୁବନେଶ୍ବର ଉପକଣ୍ଠରେ ଥିବା ଏହି ସବୁ ରାଜସ୍ବ ଗ୍ରାମ ବୃହତ୍ତର ଭୁବନେଶ୍ବରରେ ସାମିଲ ହେବା ପାଇଁ ବାଟ ଫିଟିଛି।

ଉପକଣ୍ଠରେ ରାଜଧାନୀ ବଢ଼ିବାରେ ଲାଗିଛି। ଏକାଧିକ ଜାତୀୟସ୍ତରର ପ୍ରତିଷ୍ଠାନ ଉପକଣ୍ଠରେ ଗଢ଼ି ଉଠିଛି। ଆବାସିକ ସ୍ଥଳ ସହ ବ୍ୟାବସାୟିକ ପ୍ରତିଷ୍ଠାନ ମଧ୍ୟ ବଢ଼ିବାରେ ଲାଗିଛି। ଦ୍ରୁତ ଗତିରେ ଏହି ସବୁ ଅଞ୍ଚଳରେ ବିକାଶ ହେଉଥିଲେ ମଧ୍ୟ ଏ ସବୁ ପଞ୍ଚାୟତ ଅଧିନରେ ରହିଛି। ଏହି ଅଞ୍ଚଳରେ ନିର୍ମାଣ ପାଇଁ ପ୍ଲାନ୍‌ ଆପ୍ରୁଭାଲ କିମ୍ବା ଅନ୍ୟାନ୍ୟ ଖର୍ଚ୍ଚ ଅତି ନଗଣ୍ୟ ରହିଛି। ସେଥିପାଇଁ ବିଲ୍ଡରମାନେ ଏହି ସବୁ ଅଞ୍ଚଳକୁ ଟାର୍ଗେଟ କରିଛନ୍ତି। ମାଳ ମାଳ ଆପାର୍ଟମେଣ୍ଟ ସହ ଆବାସିକ ନିର୍ମାଣ ବଢ଼ିଚାଲିଛି। ପଞ୍ଚାୟତ ଅଧିନରେ ରହୁଥିବାରୁ ଏଥିରେ ବିଡିଏର କର୍ତ୍ତୃତ୍ବ ରହୁନାହିଁ। ଏହି ସବୁ ଅଞ୍ଚଳ ବିଡିଏ ଅଧୀନକୁ ଆସିଲେ ଯୋଜନା ଅନୁସାରେ ନିର୍ମାଣ ହୋଇ ପାରିବ। ଯାହା ଦ୍ବାରା ରାଜସ୍ବ ମଧ୍ୟ ବଢ଼ିବ।
ଅନ୍ୟପଟେ ୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ବରରେ ୮ ଲକ୍ଷ ୩୭ ହଜାର ଜନସଂଖ୍ୟା ରହିଛି। ଏହି ଜନସଂଖ୍ୟାକୁ ନେଇ କୌଣସି ଉନ୍ନୟନ ଯୋଜନା ପ୍ରସ୍ତୁତ କଲା ବେଳେ ସରକାରୀ ସହଯୋଗ ସେତିକି ମିଳୁନାହିଁ। ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ତାଲିକାକୁ ଗଲେ ଅଧିକ ସରକାରୀ ସୁବିଧା ମିଳିବ। ଯେଉଁ ୧୮ଟି ରାଜସ୍ବ ଗ୍ରାମକୁ ସାମିଲ କରାଯାଇଛି ସେଗୁଡ଼ିକର ଜନସଂଖ୍ୟା ୨ ଲକ୍ଷରୁ ଊର୍ଦ୍ଧ୍ବ ହେବାର ସମ୍ଭାବନା ରହିଛି। ଏଣୁ ଏହି ଜନଗଣନା ପରେ ଭୁବନେଶ୍ବର ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ତାଲିକାରେ ରହିବା ଥୟ ହୋଇଛି।

ବିଏମ୍‌ସି ସହ ଜନଗଣନାରେ ସାମିଲ ହୋଇଥିବା ରାଜସ୍ବ ଗ୍ରାମଗୁଡ଼ିକ ହେଉଛି ପଥରଗାଡ଼ିଆ, ଇଞ୍ଜଣା, ରଘୁନାଥପୁର ଜାଲି, ରୋକଟା, ଜନ୍ମେଜୟନଗର, ସିଜୁଆ, ରଣସିଂହପୁର, ସରକନ୍ତରା, ବାହାଦଲପୁର, କେଶୁରା, କୋରଡ଼କଣ୍ଟା, ବାଙ୍କୁଆଳ, ବାସୁଆଘାଇ, କୁକୁଡ଼ାଘାଇ, ଶିଶୁପାଳ, ମହାଭୋଇ ଶାସନ, ରଘୁନାଥପୁର ଓ ଏବରଙ୍ଗ। ଏହି ଜନଗଣନା କରିବାକୁ ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କୁ ସହର ଜନଗଣନା ଅଧିକାରୀ ଭାବରେ ନିଯୁକ୍ତ କରିଥିବା ବେଳେ ୮ ଜଣ ଚାର୍ଜ ଅଫସିର ନିଯୁକ୍ତ ହୋଇଛନ୍ତି। ସେମାନେ ହେଉଛନ୍ତି ପୁରନ୍ଦର ନନ୍ଦ, କମଲଜିତ ଦାସ, ପ୍ରମୋଦ ପୃଷ୍ଟି, ରବିନାରାୟଣ ଜେଠୀ, ରମେଶ ଚନ୍ଦ୍ର ଜେନା, ଗାୟତ୍ରୀ ସାମନ୍ତରାୟ, କମଳାକାନ୍ତ ବେହେରା ଓ ମହେନ୍ଦ୍ର ବଢ଼େଇ। ଏମାନଙ୍କୁ ସହଯୋଗ କରିବା ପାଇଁ ୪ ଜଣ ଲେଖାଏଁ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ମୂଳ କାମ ସହ ଏମାନେ ଏହି ଅତିରିକ୍ତ ଦାୟିତ୍ବ ତୁଲାଇବେ ବୋଲି ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର