ଭୁବନେଶ୍ବର/କଟକ: ଗତ ୨୫ ତାରିଖରୁ ନିଖୋଜ ଥିବା ବିହାରୀ ମିସ୍ତ୍ରି ଆଜାଦ୍ ଯାଦବ(୨୬)ଙ୍କ ଗଳିତ ମୃତଦେହକୁ ଆଜି କଟକ ବିଡ଼ାନାସୀ ଥାନା ପୁଲିସ ମହାନଦୀ ଗଜିଆ ପଠାରୁ ଜବତ କରିଛି। ମୃତଦେହର ଅବସ୍ଥାରୁ ତାଙ୍କୁ ବଡ଼ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ମୁଣ୍ଡକୁ ପଥରରେ ଛେଚି ଦିଆଯାଇଥିବା ବେଳେ ହାତକୁ ହାଣି ଦୂରକୁ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି। ସେହିଭଳି ଆଜାଦ୍‌ଙ୍କ ପେଟରେ ବିଅର୍‌ ବୋତଲ ଭୁସି ଦିଆଯାଇଥିବା ଜଣାପଡ଼ିଛି। ତେଣୁ ଯୋଜନାବଦ୍ଧ ଭାବେ ତାଙ୍କୁ ମହାନଦୀ ପଠାକୁ ନେଇ ହତ୍ୟା କରାଯାଇଛି ବୋଲି ପୁଲିସ ଜାଣିବାକୁ ପାଇଛି। ଏହା ପଛରେ ଅବୈଧ ପ୍ରେମ ସମ୍ପର୍କ ଥିବା ପୁଲିସକୁ ସୁରାକ୍ ମିଳିଛି। ସୁପାରି ନେଇ ଅନ୍ୟ ଦୁଇ ସାଥୀ ମିସ୍ତ୍ରି ଆଜାଦ୍‌କୁ ହତ୍ୟା କରିଥିବା ନେଇ ପୁଲିସ ଖୋଳତାଡ୍‌ ଚଳାଇଛି। ସୁପାରିଦାତା ଠିକାଦାର ବି ସେହିଦିନରୁ ଫେରାର୍ ଥିବାରୁ ପୁଲିସର ସନ୍ଦେହ ବଢ଼ିଛି।

Advertisment

ଆଜି ପୂର୍ବାହ୍ନରେ କିଛି ଲୋକ ଗଜିଆ ପଠା ନିକଟରେ ଏକ ଫେଜର୍ ବାଇକ୍ ପଡ଼ିଥିବା ଦେଖି ବିଡ଼ାନାସୀ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ବାଇକ୍‌ ନମ୍ବରକୁ ଯାଞ୍ଚ କରିବା ପରେ ତାହା ସହିଦନଗରରୁ ନିଖୋଜ ହୋଇଯାଇଥିବା ବିହାରୀ ମିସ୍ତ୍ରି ଆଜାଦ୍‌ର ବୋଲି ଜାଣିବାକୁ ପାଇଥିଲା। ପରିତ୍ୟକ୍ତ ଅବସ୍ଥାରେ ବାଇକ୍‌ ମିଳିବା ପରେ ପୁଲିସର ସନ୍ଦେହ ହୋଇଥିଲା ଓ ସେମାନେ ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ବାଇକ୍‌ ପଡ଼ିଥିବା ସ୍ଥାନରୁ ପ୍ରାୟ ୧୦୦ ମିଟର ଦୂରରେ ଆଜାଦ୍‌ଙ୍କ ଗଳିତ ଶବ ଏକ ବୁଦା ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଣି କିଛି ଦୂରରେ ଯାଦବଙ୍କ ଗୋଟେ ହାତ ଓ ହେଲମେଟ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶବ ନିକଟରେ ଏକ ରକ୍ତ ଭିଜା ପଥର ପୁଲିସ ଜବତ କରିଥିଲା। ଡିସିପି ପ୍ରତୀକ ସିଂହ, ଏସିପି ତାପସ ପ୍ରଧାନ ଓ ଥାନା ଆଇଆଇସି ପ୍ରଦୀପ କୁମାର ନାୟକ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ସହିଦନଗର ଥାନାରେ ଏକ ନିଖୋଜ ମାମଲା ହୋଇଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ୁଛି। ଖବର ପାଇ ସହିଦନଗର ଥାନା ପୁଲିସ ଓ ମୃତ ଆଜାଦ୍‌ର ପରିବାର ଲୋକେ ସେଠା‌ରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା।

ସୂଚନାଯୋଗ୍ୟ, ବିହାର ଭାଗଲପୁରର ଆଜାଦ୍ ତାଙ୍କ ଅଞ୍ଚଳର ଆଉ କିଛି ଲୋକଙ୍କ ସହିତ ଭୁବନେଶ୍ବର ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ରହୁଥିଲେ। ଏମାନେ କଟକ ଓ ଭୁବନେଶ୍ବରରେ ଘରର ଛାତ ସିଲିଂ କାମ କରନ୍ତି। ଭାଗଲପୁରର ଆଉ କିଛି ମିସ୍ତ୍ରି କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଘର ଭଡ଼ା ନେଇ ରୁହନ୍ତି। ସମସ୍ତେ ମିଶି ଦୁଇ ସହରରେ କାମ କରନ୍ତି। କଟକରେ ରହୁଥିବା ଠିକାଦାର ମୁନିଲାଲ ଶର୍ମା ସେମାନଙ୍କୁ କାମରେ ନି‌‌ୟୋଜିତ କରିଥାଏ। ଆଜାଦ୍‌ର ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ ୨୫ ତାରିଖରେ ମୁନିଲାଲ୍ ଆଜାଦ୍‌କୁ କଟକ ଡକାଇଥିଲା। ୨୦ ହଜାର ବର୍ଗଫୁଟ‌୍‌ର ଛାତ ସିଲିଂ କାମ କରିବାକୁ କହି ଫୋନ୍ କରି ଡକାଇଥିଲା। ତେଣୁ ଆଜାଦ୍‌ ନିଜ ବାଇକ୍‌ରେ ୨୫ ତାରିଖ ସକାଳ ପ୍ରାୟ ୯ଟା ବେଳେ ସହିଦନଗରରୁ କଟକ ଅଭିମୁଖେ ବାହାରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଜାଦ୍‌ ଭୁବନେଶ୍ବର ନଫେରିବାରୁ ସାନ ଭାଇ ଶୁଭମ୍ ମୁନିଲାଲ୍‌କୁ ଫୋନ୍‌ କରି ପଚାରିଥିଲେ। ଆଜାଦ୍‌ ଘରକୁ ଫେରିଯାଇଛି ବୋଲି ମୁନିଲାଲ୍ କହିବାରୁ ଶୁଭମ୍‌ ଚାଉଳିଆଗଞ୍ଜ ଯାଇ ଖୋଜାଖୋଜି କରିଥିଲା। କିନ୍ତୁ ଭାଇକୁ ନପାଇ ସେ ୨୬ ତାରିଖରେ ସହିଦନଗର ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସମସ୍ତ ଥାନାକୁ ଆଜାଦଙ୍କ ଫଟୋ ଓ ବାଇକ୍ ନମ୍ବର ପଠାଇଥିଲା।

ପୁଲିସକୁ ମିଳିଥିବା ସୂଚନାନୁଯାୟୀ ମୁନିଲାଲ୍‌ର ଜଣେ ସମ୍ପର୍କୀୟର ପତ୍ନୀଙ୍କ ସହିତ ଆଜାଦ୍‌ର ଅବୈଧ ସମ୍ପର୍କ ଥିଲା। ପ୍ରାୟ ଏକ ବର୍ଷ ହେବ ଏହି ପରକୀୟା ପ୍ରୀତିକୁ ନେଇ ଦୁଇ ପରିବାର ଭିତରେ ବିବାଦ ଲାଗି ରହିଥିଲା। ମୁନିଲାଲ୍‌ଙ୍କ ପରିବାର ଲୋକେ ଏହାକୁ ବିରୋଧ କରି ଆସୁଥିଲେ। ମାତ୍ର ଆଜାଦ୍ ଓ ଉକ୍ତ ମହିଳାଙ୍କ ମଧ୍ୟରେ ସମ୍ପର୍କ ବଢ଼ି ଚାଲିଥିବା ସିନା ଛିଡ଼ିବା ନାଁ ଧରିନଥିଲା। ତେଣୁ ସବୁଦିନ ପାଇଁ ଆଜାଦ୍‌କୁ ରାସ୍ତାରୁ ହଟାଇ ଦେବାକୁ ସୁଚିନ୍ତିତ ଷଡ଼୍‌ଯନ୍ତ୍ର ରଚନା କରାଯାଇଥିଲା। ସେହି ଅନୁସାରେ ଗତ ୨୫ ତାରିଖରେ ମୁନିଲାଲ୍‌ ଆଜାଦ୍‌କୁ କାମ ଓ ଟଙ୍କା ଦେବା ଆଳରେ କଟକ ଡକାଇ ହତ୍ୟା କରାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଏଣେ ୨୫ ତାରିଖ ପରଠାରୁ ମୁନିଲାଲ୍‌ ଓ ଅନ୍ୟ ବିହାରୀ ମିସ୍ତ୍ରି ପଙ୍କଜର କୌଣସି ଖୋଜଖବର ନାହିଁ। ଆଜାଦ୍‌ ଚାଉଳିଆଗଞ୍ଜ ଆସିଥିବାରୁ ପୁଲିସ ଏବେ ନୂଆ ବଜାରରୁ ଓଏମ୍‌ପି ଛକ, ସମ୍ରାଟ ସିନେମା ହଲ୍ ଯାଏ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଛି। ନୂଆବଜାରରୁ ଆଜାଦ୍‌ କିଭଳି ବିଡ଼ାନାସୀ ଗଲେ ଏବଂ ତାଙ୍କ ସହିତ ଆଉ କେଉଁମାନେ ଯାଇଥିଲେ, ସେନେଇ ପୁଲିସ ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରୁଛି।