ବିହାରୀ ଶ୍ରମିକ ହତ୍ୟା ମାମଲା: ହତ୍ୟାକାରୀଙ୍କ ଟେର୍‌ ମିଳିନି, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ପଳାସୁଣୀ ନିକଟ ନିର୍ମାଣାଧୀନ ଏମ୍‌ସିସିରେ ବିହାରୀ ଶ୍ରମିକ ମୁକେଶ ଚୌଧୁରୀ ହତ୍ୟା ମାମଲାରେ ପୁଲିସକୁ କିଛି ବି ସୁରାକ୍ ମିଳିପାରିନାହିଁ। ମୁକେଶକୁ ପୂର୍ବ ଶତ୍ରୁତାରୁ ତାକୁ ହତ୍ୟା କରାଯାଇଛି କି ଚୋରି ମାଲ୍ ଭାଗବଣ୍ଟାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡ‌ଗୋଳରୁ ଏହା ଘଟିଛି, ତାହା ଜଣାପଡ଼ିନାହିଁ। କେବଳ ଗୁରୁବାର ରାତିରେ ତାକୁ ହତ୍ୟା କରାଯାଇଛି ଓ ମଦ ପିଇବା ବେଳେ ସେ ହତ୍ୟାର ଶିକାର ହୋଇଛି ବୋଲି ପୁଲିସ ନିକଟରେ ତଥ୍ୟ ରହିଛି।

ମଞ୍ଚେଶ୍ବର ଥାନା ପୁଲିସ ସୂଚନାନୁସାରେ ଏହି ମାମଲା ପାଇଁ ୩ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଭୁବନେଶ୍ବର ଓ ରାଜଧାନୀ ବାହାରେ ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଚଢ଼ଉ ଚାଲିଛି। ମୃତ ମୁକେଶର କୌଣସି ଆତ୍ମୀୟ ଏଠାରେ ନଥିବାରୁ ସୁରାକ୍‌ ମିଳିବା କଷ୍ଟକର ହେଉଛି। କିନ୍ତୁ ମୁକେଶ ସହ ମିଶୁଥିବା କିଛି ସ୍ଥାନୀୟ ଯୁବକଙ୍କ ହାତ ଥିବା ସନ୍ଦେହରେ ତଦନ୍ତ ଆରମ୍ଭ ହୋଇଛି। ଏଣେ ହତ୍ୟାକାରୀଙ୍କୁ ଠାବ କରିବା ଯେତିକି ସମସ୍ୟା ହୋଇଛି, ମୁକେଶର ଶବ ସତ୍କାର ତା’ଠୁ ବଳେଇ ପଡ଼ିଛି। ବିହାରର ବାସିନ୍ଦା ମୁକେଶର ଅସଲ ଠିକଣା କାହାକୁ ଜଣାନାହିଁ।

ତେଣୁ ପରିବାର ଲୋକମାନେ ନଆସିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇପାରୁନାହିଁ। ପରିବାର ଲୋକଙ୍କୁ ଠାବ କରିବା ପାଇଁ ପୁଲିସ ବିହାର ପୁଲିସକୁ ଫଟୋ ପଠାଇଛି। ୪ ଦିନ ଭିତରେ ମୁକେଶର ପରିବାର ଲୋକଙ୍କ ଠିକଣା ନମିଳିଲେ, ଶବ ବ୍ୟବଚ୍ଛେଦ କରାଯାଇ ଅନ୍ତିମ ସତ୍କାର କରିଦିଆଯିବ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ, ମୁକେଶ ମୁଣ୍ଡାସାହି ବସ୍ତିରେ ଏକୁଟିଆ ରହି ଶ୍ରମିକ ଭାବେ କାମ କରୁଥିଲା। କିନ୍ତୁ ତା’ର ଅସଲ କାମ ଥିଲା ଚୋରି। ଏକ ଚୋରି ମାମଲାରେ ସେ ୨୦୧୯ ମସିହାରୁ ଜେଲ୍‌ରେ ଥିଲା। କେହି ଜାମିନ୍‌ ଆଣିବାକୁ ନଥିବାରୁ ସେ ପ୍ରାୟ ୨ ବର୍ଷ ଜେଲ୍‌ରେ ରହିଥିଲା। ହତ୍ୟାକାଣ୍ଡର ୪ଦିନ ଆଗରୁ ସେ ଜେଲ୍‌ରୁ ମୁକୁଳିଥିଲା। ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଚୋରି ଓ ଛିନ୍‌ତାଇ ମାମଲାରେ ଜେଲ୍ ଯାଇଥିଲା। କିନ୍ତୁ ଏମ୍‌ସିସି ଭିତରେ ହତ୍ୟାକାଣ୍ଡ ଘଟିଥିବାରୁ ଏହା ଯୋଜନାବଦ୍ଧ ନୁହେଁ ବୋଲି କିଛି ବରିଷ୍ଠ ପୁଲିସ ଅଧିକାରୀ ମତ ରଖିଛନ୍ତି।

ମୁକେଶର ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ରହିଛି। ସେହିଭଳି ବେକରେ ବି ଦାଗ ରହିଛି। ତେଣୁ ଗାମୁଛାରେ ବେକକୁ ଭିଡ଼ି ଚାପିଦେବା ପରେ ମୁଣ୍ଡ ଓ ମୁହଁକୁ ଆଘାତ କରାଯାଇଛି ବୋଲି ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର