ବିଜୟ ବାବୁଙ୍କ ଅବର୍ତ୍ତମାନରେ

ବିପ୍ଳବ କୁମାର ମହାନ୍ତି

୧୯୮୪ ମସିହା ଅକ୍ଟୋବର ୪ ତାରିଖ ଦିନ ‘ସମ୍ବାଦ’ ପ୍ରକାଶ ପାଇବାର ବହୁ ପୂର୍ବରୁ ନୂଆପଲ୍ଲୀସ୍ଥିତ ଏ-୬୨ ସମ୍ବାଦ କାର୍ଯ୍ୟାଳୟରେ ବିଜୟ ପଟ୍ଟନାୟକଙ୍କ ସହ ମୋର ପ୍ରଥମେ ଦେଖା ହୋଇଥିଲା। ପ୍ରଥମ ଦେଖାରୁ ହିଁ ଜଣାପଡ଼ିଥିଲା, ସେ ଜଣେ କର୍ମଠ ଓ ଦାୟିତ୍ୱବାନ ବ୍ୟକ୍ତି ବୋଲି। କନଷ୍ଟ୍ରକ୍ସନ ଷ୍ଟେଜ୍‌ରେ ପ୍ରତ୍ୟେକ ସଂସ୍ଥାର ବହୁତ କିଛି କାମ କରିବାକୁ ଥାଏ। ଆଉ ବହୁତ କମ୍ ଲୋକ ମିଳନ୍ତି, ଯେଉଁମାନେ ସେସବୁ କାର୍ଯ୍ୟକୁ ଆତ୍ମୀୟତାର ସହ ନିଜର ଭାବି ନିଷ୍ଠାପର ଭାବେ ତଥା ସୁଚାରୁରୂପେ ସମ୍ପାଦନ କରନ୍ତି। ବିଜୟ ପଟ୍ଟନାୟକ ହିଁ ସେହିପରି ଜଣେ ବ୍ୟକ୍ତି ଥିଲେ, ବୋଧ ହୁଏ ସେଥିପାଇଁ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କୁ ଅନେକ କିଛି ଦାୟିତ୍ୱ ଦେବା ସହ ‘ସମ୍ବାଦ’ର ପ୍ରକାଶକ ପଦରେ ଅବସ୍ଥାପିତ କରିଥିଲେ। ‘ସମ୍ବାଦ’ର ଉଦ୍‌ଘାଟନୀ ଉତ୍ସବରେ ଡ. ହରେକୃଷ୍ଣ ମହତାବ ଯୋଗ ଦେଇଥିଲେ। ସୌଭାଗ୍ୟକ୍ରମେ ମୁଁ ସେଦିନ ସେହି ଉତ୍ସବରେ ଉପସ୍ଥିତ ଥିଲି। ଉଦ୍‌ଘାଟନ ଉତ୍ସବକୁ ସଫଳ କରାଇବା ଦିଗରେ ବିଜୟ ପଟ୍ଟନାୟକଙ୍କ ଭୂମିକା କ’ଣ ଥିବ, ଯିଏ ସେହି ଉତ୍ସବରେ ଯୋଗ ଦେଇଥିବେ, ସେ ହିଁ ଭଲ ଭାବେ ଜାଣିଥିବେ।

ତାଙ୍କ ଦାୟିତ୍ୱ, ନିଷ୍ଠା ଓ କାର୍ଯ୍ୟଦକ୍ଷତା ଯୋଗୁଁ ସେ ଆଜି ଯାଏ ପ୍ରକାଶକ ପରି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଆସିଥିଲେ। ୧୯୮୪ ମସିହା ଅକ୍ଟୋବର ୪ ତାରିଖଠାରୁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଜିଲ୍ଲା ପ୍ରତିନିଧି ଏବଂ ପରେ ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର ବିଭିନ୍ନ ପଦ ପଦବିରେ ମୁଁ ରହିଆସିଛି। ମୋ ସାମ୍ବାଦିକତା ଜୀବନରେ ସୌମ୍ୟବାବୁଙ୍କ ପ୍ରେରଣା, ଦିଗ୍‌ଦର୍ଶନ ଓ ଉପଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବିଜୟବାବୁଙ୍କ ଆନ୍ତରିକତା ଏବଂ ସମୟୋଚିତ ପରାମର୍ଶ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ବହନ କରେ। ‘ସମ୍ବାଦ’ର ମାସିକ ବୈଠକ ହେଉ କିମ୍ବା ବାର୍ଷିକ ଉତ୍ସବ, ଏପରିକି ସୌମ୍ୟବାବୁଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ପ୍ରତିଟି କ୍ଷେତ୍ରରେ ବିଜୟ ପଟ୍ଟନାୟକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା, ମୁଁ ଏକୁଟିଆ କାହିଁକି, ଆମେ ସମସ୍ତେ ଅନୁଭବ କରିଆସିଛୁ। ୨୦୦୪ ମସିହା ସାଧାରଣ ନିର୍ବାଚନରେ ମୁଁ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ଦାୟିତ୍ୱରେ ଥିବା ବେଳେ ସେ ପ୍ରତ୍ୟେକ ଦିନ ବହୁବାର ଫୋନ୍ କରି ନିର୍ବାଚନ ପରିଚାଳନା ସମ୍ପର୍କରେ ଖବର ସଂଗ୍ରହ କରିବା ସହ ବିଭିନ୍ନ ସମୟରେ ବହୁ ଆବଶ୍ୟକ ପରାମର୍ଶ ମଧ୍ୟ ଦେଉଥିଲେ। ସେ ସୌମ୍ୟବାବୁଙ୍କର ଅତ୍ୟନ୍ତ ଘନି‌ଷ୍ଠ ସହଯୋଗୀ ଥିଲେ। ସେ ଜଣେ ଅତ୍ୟନ୍ତ ବନ୍ଧୁବତ୍ସଳ, ସ୍ନେହୀ, ଦରଦୀ, ହୃଦୟବାନ୍‌, ଅହଙ୍କାରଶୂନ୍ୟ, ପରୋପକାରୀ, କର୍ମଠ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ। ତାଙ୍କ ଅନାବିଳ ଆତ୍ମୀୟତା କେବେ ବି ଭୁଲି ହେବ ନାହିଁ।

‘ସମ୍ବାଦ’ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଯାଇଥିବା ବେଳେ ସେ ମୋତେ ଅନେକଥର ତାଙ୍କ ଘରକୁ ଡାକି ନେଇଛନ୍ତି। ଥରେ ସେ ମୋତେ କହିଲେ, ବିପ୍ଳବ ବାବୁ! ଆମେ ଆଜି ଯାହା ହୋଇଛେ, ‘ସମ୍ବାଦ’ ଆମକୁ ସେହି ପରିଚୟ ଦେଇଛି। ତେଣୁ ଆମେ ସମସ୍ତେ ସମ୍ବାଦ ପାଇଁ ସବୁକିଛି ଉତ୍ସର୍ଗ କରି ଦେବା ନାହିଁ କାହିଁକି? ଏଇଥିରୁ ହିଁ ଅନୁଷ୍ଠାନ ପ୍ରତି ସେ କେତେ ଦରଦୀ ଓ ନିଷ୍ଠାବାନ ଥିଲେ, ତା’ର ପ୍ରମାଣ ମିଳେ। ସେ ଜଣେ ଅତ୍ୟନ୍ତ ଧର୍ମାନୁରାଗୀ ମଣିଷ ଥିଲେ। ମୁଁ ଯାହା ଜାଣିଛି, ସିଆରପି ଛକ ‘ସମ୍ବାଦ’ କାର୍ଯ୍ୟାଳୟ ସଂଲଗ୍ନ ହନୁମାନ ମନ୍ଦିର ପ୍ରତିଷ୍ଠା ଦିଗରେ ତାଙ୍କର ବିଶେଷ ଅବଦାନ ଥିଲା। ଅଫିସ୍‌ ପରେ ସଂଧ୍ୟା ବେଳେ ସେ ମୋତେ ବହୁବାର ମନ୍ଦିରକୁ ଡାକି ନେଉଥିଲେ। ବାଲେଶ୍ୱର ସହରର ଆମ ଘର ପଡ଼ୋଶୀ ବାବିନା ବାବୁଙ୍କ ଭଉଣୀ ମଧ୍ୟ ତାଙ୍କ ସମ୍ପର୍କୀୟ ହୋଇଥିବାରୁ ସେ ବହୁବାର ବାବିନା ବାବୁଙ୍କ ଘରକୁ ଆସୁଥିଲେ। ବାଲେଶ୍ୱର ଆସିଲେ, କୌଣସିଥର ସେ ଆମ ଘରକୁ ଆସିବାକୁ ଭୁଲି ନଥା’ନ୍ତି। ବିଜୟ ବାବୁଙ୍କ ସହ ମୋର ଶେଷ ଦେଖା ହୋଇଥିଲା ବାଲେଶ୍ୱର ସହରର ଏକ ବିବାହ ଉତ୍ସବ‌ରେ। ସମ୍ବାଦ ପ୍ରକାଶ ପାଇବା ଦିନଠାରୁ ଆମେ ଯେଉଁମାନେ ସାଙ୍ଗରେ କାମ କରିଆସୁଥିଲୁ, ସେଥିମଧ୍ୟରୁ ବନ୍ଧୁ ରଣଜିତ୍ ଗୁରୁଙ୍କୁ ହରାଇବାର ବର୍ଷକ ପରେ ଆଜି ବିଜୟ ବାବୁଙ୍କୁ ହରାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ବିଜୟ ବାବୁ ମୋଠାରୁ ୬ବର୍ଷ ସାନ ଥିଲେ। ମାତ୍ର ଏତେ କମ ବୟସରେ ସେ ଯେ ଏହି ଧରାପୃଷ୍ଠରୁ ବିଦାୟ ନେବେ, ତାହା ଚିନ୍ତା କରିହେଉ ନାହିଁ। ବିଜୟ ବାବୁ ସବୁବେଳେ ବିଜୟୀ ଥିଲେ। ହେଲେ ଦୀର୍ଘଦିନ ଧରି ଡାକ୍ତରଖାନାରେ ରହି ଜୀବନ ସଂଗ୍ରାମ କରି ଶେଷରେ ସେ ହାରି ଯାଇଥିଲେ। ମୁଁ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ପ୍ରାର୍ଥନା କରୁଛି କି ତାଙ୍କ ପରିବାର ପ୍ରତି ସହାୟ ହୁଅନ୍ତୁ।
ଗୋପାଳ ଗାଁ, ବାଲେଶ୍ୱର
(ଶ୍ରୀ ମହାନ୍ତି ବହୁ ବର୍ଷ ଧରି ‘ସମ୍ବାଦ’ରେ ସାମ୍ବାଦିକତା କରିଥିଲେ)

ସମ୍ବନ୍ଧିତ ଖବର