ବିଜୟ ଜେନା ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ

ଭୁବନେଶ୍ୱର : ଉତ୍କଳ ସଂଗୀତ ମହାବିଦ୍ୟାଳୟର ଓଡ଼ିଶୀ ସଂଗୀତ ବିଭାଗର ଅଧ୍ୟାପକ ଡ.ବିଜୟ ଜେନା ଓଡ଼ିଶା ସଂଗୀତ ନାଟକ ଏକାଡେମିର ନୂତନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଡ.ଜେନା ଆଜି ଅପରାହ୍‌ଣରେ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ସଂପ୍ରତି ସେ ଭାରପ୍ରାପ୍ତ ସଚିବ ଦାୟିତ୍ୱ ନିର୍ବାହ କରିବେ। ଏଥିସହିତ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟାପନା ଜାରି ରଖିବେ ବୋଲି ସୂଚନା ଦିଆଯାଇଛି। ପ୍ରଦୀପ ମିଶ୍ରଙ୍କ କାର୍ଯ୍ୟକାଳ ଡିସେମ୍ବର ଶେଷାର୍ଧରେ ଶେଷ ହୋଇଥିବା ବେଳେ ନିର୍ଦେଶକ ସଚ୍ଚି ଦାସ, ଓଡ଼ିଶୀ ଗୁରୁ ଦୁର୍ଗାଚରଣ ରଣବୀର, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କୁ ନେଇ ଗଠିତ ସର୍ଚ କମିଟିର ନିଷ୍ପତ୍ତି ମୁତାବକ ଏହି ଚୟନ କରାଯାଇଛି।

ସଂସ୍କୃତି ବିଭାଗ ଅଧୀନସ୍ଥ ଏହି ଏକାଡେମିର ସଚିବ ଥିବା ପ୍ରଦୀପ ମିଶ୍ରଙ୍କର ଡିସେମ୍ବର ପ୍ରଥମ ସପ୍ତାହରେ କାର୍ଯ୍ୟକାଳ ସରିଥିଲା। ତେବେ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଉତ୍ସବ ଯୋଗୁଁ ପ୍ରଦୀପ ମିଶ୍ରଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲା ବିଭାଗ। ସଂସ୍କୃତି ବିଭାଗ ଶ୍ରୀ ମିଶ୍ରଙ୍କ କ୍ଷେତ୍ରରେ ୧୮ ଦିନିଆ ବିଜ୍ଞପ୍ତି ଜାରି କରି ତାଙ୍କୁ ପଦବିରେ ଡିସେମ୍ବର ସରିବା ଯାଏଁ ବସାଇଥିଲା।

ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ମୋର ଲକ୍ଷ୍ୟ

ଓଡ଼ିଶୀ ସଂଗୀତ ଓଡ଼ିଆ ଜାତିର ଅନ୍ୟତମ ପରିଚୟ। ତେଣୁ ଓଡ଼ିଶୀ ସଂଗୀତ କିଭଳି ଶାସ୍ତ୍ରୀୟ ମାନ୍ୟତା ପାଇବ ସେନେଇ ଗୁରୁତ୍ୱ ଦେବି। ତେବେ ଓଡ଼ିଶୀ ସଂଗୀତର ଜଣେ କଣ୍ଠଶିଳ୍ପୀ ବୋଲି ନୁହେଁ ବରଂ ଲକ୍ଷଲକ୍ଷ ଓଡ଼ିଆ ଓଡ଼ିଶୀ ସଂଗୀତକୁ ନେଇ ଯେଉଁ ଶାସ୍ତ୍ରୀୟତାର ସ୍ୱପ୍ନ ଦେଖିଛନ୍ତି ତାକୁ ସାକାର କରିବା ପାଇଁ। ସଂଗୀତ ସମେତ ନାଟକ, ଲୋକନୃତ୍ୟ, ଲୋକଗୀତ ସବୁ କ୍ଷେତ୍ରକୁ ସମାନ ପ୍ରାଧାନ୍ୟ ଦେବି।

ନିର୍ଦେଶକ ଚୌକି ଫାଙ୍କା

ଏକାଡେମିର ସଚିବ ପଦ ମଣ୍ଡନ କରିଥିଲେ ହେଁ ବିଭାଗର ନିର୍ଦେଶକ ଚୌକି ଏବେ ଫାଙ୍କା। ଏଣେ ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିଲେ ସୁଦ୍ଧା ପ୍ରଶାସକ ବିଜୟ ନାୟକ ଏଯାଏଁ ଯୋଗ ଦେଇପାରିନାହାନ୍ତି। ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ପଦରେ ଥିବା ତାରାକାନ୍ତ ପରିଡ଼ାଙ୍କ ଡିସେମ୍ବର ୪ରୁ କାର୍ଯ୍ୟକାଳ ସରିଛି। ମାତ୍ର ତାଙ୍କ ସ୍ଥାନରେ ଏଯାଏଁ କେହି ନିଯୁକ୍ତି ପାଇନାହାନ୍ତି। ମିଳିଥିବା ସୂଚନା ମୁତାବକ, ଜାନୁଆରି ଶେଷ ଭାଗରେ ଆଉ ଦୁଇଟି ଏକାଡେମିର ସଚିବଙ୍କ କାର୍ଯ୍ୟକାଳ ପୂରୁଛି। ସାହିତ୍ୟ ଏକାଡେମିର ସଚିବ ଅଶ୍ୱିନୀ ମିଶ୍ର ଏବଂ ଓଡ଼ିଶା ଉର୍ଦୁ ଏକାଡେମିର ସଚିବ ଡ. ମୁସିର୍‌ ଆଲାମଙ୍କର କାର୍ଯ୍ୟକାଳ ପୂରିବାକୁ ଯାଉଛି। ତେଣୁ ସଂସ୍କୃତି ବିଭାଗ ମୁଣ୍ଡରେ ଏବେ ୩ଟି ଏକାଡେମିର ପଦବି ନିଯୁକ୍ତି ଭାର ପଡ଼ିଛି। ଓଡ଼ିଶା ସଂଗୀତ ନାଟକ ଏକାଡେମିର ଉପସଭାପତି ରାମହରି ଦାସ ଏବଂ ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ଗାୟତ୍ରୀ ସରାଫଙ୍କ କାର୍ଯ୍ୟକାଳ ବି ଏଇ ଫେବ୍ରୁଆରିରେ ପୂରିବାକୁ ଯାଉଛି। ଏଣେ କାର୍ଯ୍ୟକ୍ରମ ତ୍ୱରାନ୍ଵିତ କରୁଥିବା ସଂସ୍କୃତି ବିଭାଗର ନିର୍ଦେଶକ ପଦବି ଖାଲି ପଡ଼ିଥିବାରୁ ପ୍ରଥମେ ନିର୍ଦେଶକଙ୍କୁ ଚୌକିରେ ବସାଇବାକୁ ଦାବି ହୋଇଛି। ଏନେଇ ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି, ଉର୍ଦୁ ଏକାଡେମି ପାଇଁ ପ୍ରସ୍ତାବ ମନ୍ତ୍ରୀଙ୍କ ପାଖକୁ ଯାଇଛି। ସେହିଭଳି ଅନ୍ୟ ଦୁଇଟି ଏକାଡେମି ପାଇଁ ଖୁବ୍‌ଶୀଘ୍ର ସର୍ଚ କମିଟି ବସିବ ବୋଲି ସେ କହିିଛନ୍ତି।

ସମ୍ବନ୍ଧିତ ଖବର