ସବୁ କ୍ଷେତ୍ରରେ ଲିଙ୍ଗଗତ ସମାନତା ଆସିବା ଜରୁରୀ: ବିଜୟଲକ୍ଷ୍ମୀ ନନ୍ଦ

ନୂଆଦିଲ୍ଲୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମିରାଣ୍ଡା କଲେଜର ଅଧ୍ୟକ୍ଷା ଭାବେ ଚଳିତ ବର୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି ବିଜୟଲକ୍ଷ୍ମୀ ନନ୍ଦ। ଜଣେ ଓଡ଼ିଆ ଭାବେ ଦେଶର ରାଜଧାନୀର ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନର ଏହି ସମ୍ମାନଜନକ ପଦବି ଗ୍ରହଣ କରି ସେ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ଭୁବନେଶ୍ବରର ଷ୍ଟିୱାର୍ଟ ସ୍କୁଲ୍‌ରୁ ସ୍କୁଲ୍‌ ଶିକ୍ଷା ଗ୍ରହଣ କଲା ପରେ ବିଜେବି କଲେଜ, ଉତ୍କଳ ବିଶ୍ବବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରି ଶିକ୍ଷାଦାନକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ। ଦୀର୍ଘ ୨୬ ବର୍ଷ ଧରି ସେ ମିରାଣ୍ଡା କଲେଜରେ ଶିକ୍ଷାଦାନ କରିଛନ୍ତି। ନିକଟରେ ରମାଦେବୀ ବିଶ୍ବବିଦ୍ୟାଳୟ ଓ ମିରାଣ୍ଡା ହାଉସ୍‌ ମିଳିତ ଭା‌େବ ଲିଙ୍ଗଗତ ନ୍ୟାୟ ସମ୍ପର୍କରେ ଗବେଷଣା କରିବାକୁ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ବର ଆସିଥିବା ଅବସରରେ ଶ୍ରୀମତୀ ନନ୍ଦଙ୍କ ସହ ‘ସମ୍ବାଦ’ର ସାକ୍ଷାତକାର।

ରମ‌ାଦେବୀ ବିଶ୍ବବିଦ୍ୟାଳୟ ସହ ମିରାଣ୍ଡା ହାଉସ୍‌ର ଲିଙ୍ଗଗତ ଗବେଷଣା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହେଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ରହିଛି ?
ଶିକ୍ଷା, ବିଜ୍ଞାନ, ସ୍ବାସ୍ଥ୍ୟ, ନେତୃତ୍ବ ଆଦି ବହୁ କ୍ଷେତ୍ରରେ ନାରୀ ପଛରେ ରହିଛନ୍ତି। ସବୁ କ୍ଷେତ୍ରରେ ସମାନତା ଆଣିବାକୁ ହେଲେ ପ୍ରଥମେ ଗବେଷଣା ହେବା ଆବଶ୍ୟକ ଓ ଗବେଷଣା ଭିତ୍ତି‌େର ନୀତି ନିର୍ଦ୍ଧାରଣ ହେବା ଜରୁରି। ଓଡ଼ିଶା ପରି ରାଜ୍ୟରେ ଏହାର ଅନେକ ପ୍ରାସଙ୍ଗିକତା ରହିଛି। ବର୍ତ୍ତମାନ ଉଭୟ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗ ବଳରେ ନିଶ୍ଚିତ ଭାବେ ଏ ଦିଗରେ କିିଛି ଉଲ୍ଲେଖନୀୟ କାମ ହୋଇପାରିବ। ସରଳା ଦେବୀଙ୍କ ନାମରେ ଏହି ଗବେଷଣା କେନ୍ଦ୍ର ନାମିତ ହୋଇଥିବାରୁ ଜଣେ ଓଡ଼ିଆ ନାରୀ ଭାବେ ମୁଁ ଗର୍ବିତ।

ନିର୍ଦ୍ଦିଷ୍ଟ ଭାବେ ଶିକ୍ଷା‌ କ୍ଷେତ୍ରରେ ବଡ଼ ବଡ଼ ପଦବିରେ ମହିଳାଙ୍କ ସଂଖ୍ୟା କମ୍। ଏହାର କାରଣ କ’ଣ ?
ସାରା ଦେଶରେ ନିଶ୍ଚିତ ଏହା ଏକ ସମସ୍ୟା। ଏହାର ତିନିଟି ମୁଖ୍ୟ କାରଣ ରହିଛି। ବିବାହ, ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯିବା ପାଇଁ ସମସ୍ୟା ଓ ମାତୃତ୍ବ। ବିବାହ ପରେ ନିଶ୍ଚିତ ଭାବେ ମହିଳାମାନେ ପାରିବାରିକ କାର୍ଯ୍ୟ ଯୋଗୁ ନିଜ କର୍ମକ୍ଷେତ୍ରରେ ପଛରେ ପଡ଼ିଯିବାକୁ ବାଧ୍ୟ ହୋଇଥା’ନ୍ତି। ଦ୍ବିତୀୟତଃ ମହିଳାମାନେ ନିର୍ଦ୍ବଦ୍ବରେ ବୃତ୍ତିଗତ କ୍ଷେତ୍ରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମ୍ଭବ ହୋଇପାରେ ନାହିଁ। ସେହିପରି ମାତୃତ୍ବ ଲାଭ କଲା ପରେ କର୍ମକ୍ଷେତ୍ରକୁ ଶତ ପ୍ରତିଶତ ସମୟ ଦେଇ ହୁଏ ନାହିଁ।

ଜଣେ ମହିଳା ଏସବୁ ପ୍ରତିବନ୍ଧକକୁ କିପରି ଦୂର କରି ଆଗକୁ ଯାଇପାରିବ ?
ପରିବାରର ସହଯୋଗ ମିଳିଲେ ଏହି ତିନିଟି ସମସ୍ୟାକୁ ଜଣେ ମହିଳା ଅତିକ୍ରମ କରିପାରିବ। ପରିବାରର ସଦସ୍ୟମାନଙ୍କର କର୍ମଜୀବୀ ମହିଳାଙ୍କ ପ୍ରତି ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ। ଏ କ୍ଷେତ୍ରରେ ସ୍ବାମୀମାନଙ୍କର ସବୁଠାରୁ ଅଧିକ ଭୂମିକା ରହିଛି। ଘର କାମକୁ ବାଣ୍ଟି ନେଇଗ‌େଲ ଉଭୟ ନିଜ କର୍ମ କ୍ଷେତ୍ରକୁ ଠିକ୍ ନ୍ୟାୟ ଦେଇପାରିବେ।

ଓଡ଼ିଶା ବାହାରେ ଓଡ଼ିଆମାନେ ସଫଳତା ପାଇବା କ୍ଷେତ୍ରରେ ବହୁ ସମସ୍ୟାର ସାମ୍ନା କରୁଥିବାର କୁହାଯାଏ। ଆପଣ ସେମିତି କିଛି ସମସ୍ୟାର ସାମ୍ନା କରିଛନ୍ତି କି ?
ଏହା ବାସ୍ତବରେ ଏକ ସମସ୍ୟା। ରାଜ୍ୟ ବାହାରେ ଆମ ଓଡ଼ିଆମାନଙ୍କର ନେଟ୍‌ୱର୍କ ଅଧିକ ଦୃଢ଼ ନ ଥିବାର ଅନୁଭବ ହୁଏ। ସେଥି ପାଇଁ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଉଥିବା ବହୁ ଓଡ଼ିଆ ଅସୁବିଧାର ସାମ୍ନା କରୁଛନ୍ତି। ଏ ଦିଗରେ ପ୍ରବାସୀ ଓଡ଼ିଆ ଓ ରାଜ୍ୟ ସରକାର ମିଳିତ ଭାବେ କିଛି ପଦକ୍ଷେପ ନେବା ଆବଶ୍ୟକ।

ଆପଣ ଓଡ଼ିଶାରେ ଶିକ୍ଷା ଗ୍ରହଣ କରିଛନ୍ତି ଓ ନୂଆଦିଲ୍ଲୀରେ ଶିକ୍ଷାଦାନକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି। ଉଭୟ ସ୍ଥାନର ଶିକ୍ଷା ବ୍ୟବସ୍ଥାରେ କି ଫରକ ଅନୁଭବ କରୁଛନ୍ତି ?
ନିଶ୍ଚିତ ଭାବେ ନୂଆଦିଲ୍ଲୀରେ ଶିକ୍ଷାଦାନ ବ୍ୟବସ୍ଥା‌ ଅଧିକ ମାତ୍ରାରେ ଉନ୍ନତ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ବ୍ୟାପକ ସୁଯୋଗ ମିଳେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ପଛରେ ଅଛି। କିନ୍ତୁ ଆମକୁ ଗବେଷଣା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। କେବଳ ଡିଗ୍ରି ପାଇଁ ଗବେଷଣା ନ କରି ତାହା ଯେପରି ସାମାଜିକ ସ୍ତରରେ ପ୍ରଭାବ ପକାଇପାରିବ, ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଏଥିରେ ବିଶ୍ବବିଦ୍ୟାଳୟଗୁଡ଼ିକର ଗୁରୁ ଦାୟିତ୍ବ ‌ରହିଛି। ଏହା ହୋଇପାରିଲେ ହିଁ ଶିକ୍ଷା ବ୍ୟବସ୍ଥା ପ୍ରଭାବୀ ହୋଇପାରିବ। ଏହା ସହ ସ୍କୁଲ୍‌, କଲେଜଗୁଡ଼ିକରେ ଭିତ୍ତିଭୂମିକୁ ଉନ୍ନତ କରିବାକୁ ପଡ଼ିବ।

ମିରାଣ୍ଡା କଲେଜ ସମେତ ନୂଆଦିଲ୍ଲୀର ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଓଡ଼ିଆ ପିଲାଙ୍କ ହାର କିପରି ରହିଛି ?
ସେତେଟା ଉତ୍ସାହଜନକ ନୁହେଁ। କିନ୍ତୁ ସେମାନଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଛି। ଜାତୀୟ ରାଜଧାନୀରେ ନିଶ୍ଚିତ ଭାବେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିବାର ଆବଶ୍ୟକତା ରହିଛି। ଏ ଦିଗରେ ଅଭିଭାବକମାନେ ସଚେତନ ହେବା ଉଚିତ।

ସମ୍ବନ୍ଧିତ ଖବର