‘ନୀତି ଓ ନୈତିକତା ବିନା ଗଢ଼ା ଆଇନ ସାର୍ଥକ ନୁହେଁ’

ବିଜୟିନୀ ସ୍ମୃତିସଭା ଓ ସ୍ମାରକୀ ବକ୍ତତା-୨୦୧୮

ଭୁବନେଶ୍ୱର: ନୀତି ଓ ନୈତିକତା ବିନା ଗଢ଼ା ଯାଇଥିବା ଆଇନ ସାର୍ଥକ ନୁହେଁ। କେବଳ ଆଇନ ତିଆରି କରିଦେଲେ ତାହା ଯଥେଷ୍ଟ ହୋଇ ନଥାଏ। ଆଇନ ବଳରେ ପୃଥିବୀକୁ ପ୍ରାକୃତିକ ବିପର୍ଯ୍ୟୟ କବଳରୁୁ ରକ୍ଷା କରିହେବନି କି ପୀଡ଼ିତାକୁ ନ୍ୟାୟ ଦେବା ସମ୍ଭବ ନୁହେଁ। ଆଇନ ସହ ନୈତିକତା ମିଶିଲେ ତାହା ସମାଜର ମଙ୍ଗଳ ସାଧନ କରିଥାଏ ବୋଲି ଜବାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର ଆଇନ ଓ ଶାସନ ନୀତି ବିଭାଗ ପ୍ରଫେସର ଅମିତା ସିଂହ ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌କେସିଜି ପ୍ରେକ୍ଷାଳୟରେ ଆୟୋଜିତ ‘ବିଜୟିନୀ ସ୍ମୃତି ସଭା ଓ ସ୍ମାରକୀ ବକ୍ତତା-୨୦୧୮’ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଫେସର ସିଂହ ମଣିଷର ମାନବିକଶୂନ୍ୟ ବ୍ୟବହାର ନେଇ କ୍ଷୋଭ ପ୍ରକାଶ କରିଥିଲେ। ମଣିଷ ଭାବୁଛି ପ୍ରକୃତିର ସମସ୍ତ ଦାନ ଓ ଉପାଦାନ କେବଳ ତା’ର। ଏଥିରେ ଅନ୍ୟ ଜୀବଜନ୍ତୁଙ୍କର ଅଧିକାର ନାହିଁ। ମଣିଷ ପ୍ରକୃତି ଉପରେ ଅତ୍ୟାଚାର ଚଳାଇଛି। ମାତ୍ର ପ୍ରକୃତି ଯେବେ କୋପ କରେ ତାହାକୁ ନିୟନ୍ତ୍ରଣ କରିବା ମଣିଷ ପକ୍ଷେ ଅସମ୍ଭବ ହୋଇଥାଏ। କିନ୍ତୁ ପ୍ରକୃତି ମଣିଷ ଭଳି ସ୍ୱାର୍ଥପର ନୁହେଁ। ପ୍ରକୃତି ଯେବେ ନିଜର ପ୍ରକୋପ ଦେଖାଏ ଓ ତାଣ୍ଡବ ରଚେ, ଏହାର ଯଥେଷ୍ଟ ପୂର୍ବରୁ ସେ ମଣିଷକୁ ସତର୍କ କରି ଦେଇଥାଏ। ମାତ୍ର ମଣିଷ ଏଭଳି ସତର୍କତାକୁ ନ ବୁଝି ନିଜ ସ୍ୱାର୍ଥ ପୂରଣ କରିବାରେ ଅନ୍ଧ ହୋଇଯାଏ ବୋଲି ପ୍ରଫେସର ସିଂହ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ପ୍ରଫେସର ବିଜୟିନୀ ମହାନ୍ତିଙ୍କ ସ୍ମୃତିସଭାକୁ ‘ସତ୍‌ସଙ୍ଗ’ ବୋଲି କହିଥିଲେ। ରାଜତନ୍ତ୍ର ଯାଇ ଗଣତନ୍ତ୍ର ଆସିଛି ବୋଲି ଗର୍ବ କଲା ବେଳେ ନିଜକୁ ସଚେତନ ରହିବାକୁ ହେବ। ଏବେ ଗଣତନ୍ତ୍ରରେ ଯେଉଁ ‘ରାଜା’ଜଣକ ଶାସନ କରୁଛି, ତାହା ହେଉଛି ‘ରାଜନୈତିକ ଦଳ’। ଏବେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ରାଜତନ୍ତ୍ରର ପ୍ରତିଫଳନ ସ୍ପଷ୍ଟ ବାରି ହେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଆମ ସମାଜରେ ଆଇନ ତିଆରି ହୋଇଥାଏ ଭାଙ୍ଗିବା ପାଇଁ। ସମାଜର ସବୁବର୍ଗର ଲୋକେ ଆଇନର ଗଳାବାଟ ଖୋଜନ୍ତି ଏବଂ ଆଇନ ଭାଙ୍ଗନ୍ତି। କ୍ଷମତା ପଛରେ ନ ଧାଇଁ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ଚାପମୁକ୍ତ ଓ ନିର୍ଭୟ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ ପୌରୋହିତ୍ୟ କରି ସ୍ୱର୍ଗତ ପ୍ରଫେସର ବିଜୟନୀ ମହାନ୍ତିଙ୍କୁ ଅଧାବୋଲା ପ୍ରାର୍ଥନା ବୋଲି କହିଥିଲେ। ପତ୍ନୀଙ୍କ ସ୍ମୃତିରେ ପତି ଡାକ୍ତର ଇନ୍ଦ୍ରମଣି ଜେନା ଯେଉଁଭଳି ଭାବେ ଯୋଗୀଗୀତ ଗାଉଛନ୍ତି ତାହା ଅତୁଳନୀୟ ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ନଳିନୀ ରଂଜନ ମହାନ୍ତି ଯୋଗ ଦେଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗର ପ୍ରଫେସର ଡ. ସ୍ୱର୍ଣ୍ଣମୟୀ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥଲେ। ‘ବିଜୟିନୀ ମେମୋରିଆଲ୍‌ ଟ୍ରଷ୍ଟ’ର ସଭାପତି ଡାକ୍ତର ଇନ୍ଦ୍ରମଣି ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. କେଶବ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଶାମୁକୁଲ ବାରିକ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଡାକ୍ତର ପ୍ରେରଣା ବିଶ୍ୱାଳ ପ୍ରଫେସର ବିଜୟିନୀ ମହାନ୍ତିଙ୍କ ବିଷୟରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ମଧୁସ୍ମିତା ପାତ୍ରଙ୍କ ଲିଖିତ ‘ହେଲ୍‌ଥ କେୟାର ଆଡ୍‌ମିନିଷ୍ଟ୍ରେସନ ଆଣ୍ଡ ମ୍ୟାନେଜମେଣ୍ଟ’ ପୁସ୍ତକ ଓ ବିଜୟିନୀ ମହାନ୍ତି ସ୍ମରଣିକା ଉନ୍ମୋଚିତ ହୋଇଥିଲା। କବି ଆଶାରାଣୀ ବେଉରିଆଙ୍କୁ ‘ବିଜୟିନୀ ସମ୍ମାନ’ ଏବଂ ଛାତ୍ର ଅଭିଷେକ ସନ୍ଦେଶ ମହାପାତ୍ର ଏବଂ ଦୃଷ୍ଟିବାଧିତ ଛାତ୍ରୀ ତପସ୍ୱିନୀ ଦାସଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ‘ବିଜୟିନୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର