ସ୍ନେହ, ଶ୍ରଦ୍ଧା, ସମ୍ମାନ ସହ ଅଙ୍ଗାଙ୍ଗୀ ଜଡ଼ିତ ଥିଲେ ବିଜୟିନୀ: ଅପରାଜିତା

ବିଜୟିନୀ ସ୍ମୃତି ସଭା ଓ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ବର: ବିଜୟିନୀ ସ୍ମୃତିସଭା ଓ ସମ୍ବର୍ଦ୍ଧନା ସମାରୋହ ଆଜି ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ କହିଲେ, ସ୍ନେହ, ଶ୍ରଦ୍ଧା, ସମ୍ମାନ ଭଳି ତି‌ନୋଟି ‘ସ’ରୁ ସମ୍ପର୍କ ସୃଷ୍ଟି। ଏହି ଶବ୍ଦଗୁଡ଼ିକ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ ପ୍ରଫସେର୍‌ ବିଜୟିନୀ ମହାନ୍ତି। ସେ ଥିଲେ ଏକ ପୂର୍ଣ୍ଣାଙ୍ଗ ଅନୁଷ୍ଠାନ। ପାରିବାରିକ ଓ କର୍ମମୟ ଜୀବନ ମଧ୍ୟରେ କିପରି ଉତ୍ତମ ଭାରସାମ୍ୟ ବଜାୟ ରଖାଯାଇପାରିବ, ସେ ତାହାର ଏକ ବଡ଼ ଉଦାହରଣ ଥିଲେ।

ଈଶ୍ବର ଗାଁ ଗଢ଼ିଛନ୍ତି, ମଣିଷ ସହର ଗଢ଼ିଛି: ଗୌରହରି

ଏହି ସମାରୋହରେ ବିଶିଷ୍ଟ କଥାକାର ଗୌରହରି ଦାସ ସଭାପତିତ୍ବ କରି କହିଲେ, ହଜିଯାଉଥିବା ଜିନିଷକୁ ଖୋଜିବା ମନୁଷ୍ୟର ପ୍ରବୃତ୍ତି। ଗାଁଗଣ୍ଡା ହଜି ଯାଉଥିବାରୁ ତାକୁ ଖୋଜିବାର ପ୍ରବଣତା ଆମ ପାଖରେ ଦେଖାଦେଉଛି। ସେଥିପାଇଁ ଚଳିତବର୍ଷ ବିଜୟିନୀଙ୍କ ସ୍ମୃତିରେ ପ୍ରକାଶିତ ପୁସ୍ତିକାରେ ପ୍ରସଙ୍ଗ ରହିଛି ‘ଗାଁଗଣ୍ଡାର ଜୀବନ’। ଏହାକୁ ସମୀକ୍ଷା କରି ଶ୍ରୀ ଦାସ କହିଲେ, ଈଶ୍ବର ଗାଁକୁ ଗଢ଼ିଛନ୍ତି, ମଣିଷ ସହର ଗଢ଼ିଛନ୍ତି। ଗାଁ ‌ହେଉଛି ମେଞ୍ଚାଏ ମାଟି, ଯାହାକୁ ବିଭିନ୍ନ ଆକୃତି ଦେଇ ହେବ। କିନ୍ତୁ ସହର ହେଉଛି ପୋଡ଼ାଇଟା, ତାହାକୁ କେବଳ ନିର୍ଦ୍ଦିଷ୍ଟ କେତୋଟି ଆକୃତି ଦେଇହେବ।

ସମ୍ମାନିତ ଅତିଥି ଡିଏଭି ସ୍କୁଲର ଆଞ୍ଚଳିକ ନିର୍ଦ୍ଦେଶକ କୃଷ୍ଣକେଶବ ଶତପଥୀ କହି‌ଲେ, ସ୍ବର୍ଗତ ବିଜୟିନୀ ଭିନ୍ନଧରଣର ବ୍ୟକ୍ତିତ୍ୱ ଥିଲେ। ତାଙ୍କ ପ୍ରଶାସନିକ କ୍ଷମତା ପ୍ରଶଂସନୀୟ ଥିଲା। ବସ୍ତୁବାଦୀ ଦୁନିଆରେ ଭଲ ମଣିଷଙ୍କ ସଂଖ୍ୟା କମୁଥିବା ବେଳେ ସେ ଥିଲେ ଏକ ବ୍ୟତିକ୍ରମ। ଆମ ସମାଜ ଏକ ବିଶ୍ବବିଦ୍ୟାଳୟ। ଅନ୍ୟତମ ସମ୍ମାନିତ ଅତିଥି ଡାକ୍ତର ପ୍ରିୟଦର୍ଶନୀ ମହାନ୍ତି କହିଲେ, ମନୁଷ୍ୟ ଦେହ ତ୍ୟାଗ କରିବା ସହ ଇହଧାମ ତ୍ୟାଗ କରେ। ହେଲେ ତା’ର କୃତିତ୍ବ ଚିରଦିନ ପାଇଁ ଜନମାନସ ଉଜ୍ଜୀବିତ ହୋଇ ରହିଥାଏ। ବିଜୟିନୀ ଥିଲେ ସେହିଭଳି ଜଣେ ବ୍ୟକ୍ତିତ୍ୱ। ଡା. ପ୍ରେରଣା ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ଡା. ଇନ୍ଦ୍ରମଣୀ ଜେନା ସ୍ବାଗତ ଭାଷଣ ଦେବା ସହ ଟ୍ରଷ୍ଟର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ। ଏହି ଅବସରରେ ବିଜୟିନୀ-୨୦୨୨ ଓ ‘ସାଇକୋଲଜି ଅଫ୍‌ ଡିଜାବିଲିଟି’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପୁସ୍ତକର ସମ୍ପାଦକ ଜି.କେ ନନ୍ଦ ବହି ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ଅଭିନୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳଙ୍କୁ ‘ବିଜୟିନୀ ସମ୍ମାନ-୨୦୨୨’ ପ୍ରଦାନ କରଯାଇଥିଲା। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟରେ ଲୋକପ୍ରଶାସନ ବିଭାଗରେ ସ‌ର୍ବୋଚ୍ଚ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଥିବା ବିକାଶ ଚନ୍ଦ୍ର ସାହୁ ଓ ତ୍ରିଶାଜ୍ୟୋତି ମିଶ୍ରଙ୍କୁ ଯଥାକ୍ରମେ ୨୦୨୦ ଓ ୨୦୨୧ ପାଇଁ ବିଜୟିନୀ ମେମୋରିଆଲ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିଭଳି ରାଜନୀତି ବିଜ୍ଞାନ ସ୍ନାତ୍ତକରେ ସର୍ବୋଚ୍ଚ ନମ୍ବର ରଖିଥିବା ରମାଦେବୀ ବିଶ୍ବବିଦ୍ୟାଳୟର ସାଗରିକା ମହାରଣା ଓ ଆଦ୍ୟାଶା ମହାନ୍ତିଙ୍କୁ ଯଥାକ୍ରମେ ୨୦୨୦ ଓ ୨୦୨୧ ପାଇଁ ବିଜୟିନୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର