ରାଜଧାନୀରୁ ମାଫିଆ ଡନ୍‌ ବ୍ରଜେଶ ସିଂହ ଗିରଫ ଘଟଣା

୯ ବର୍ଷ ପରେ ମିଳିଲା ଜାମିନ୍‌

ଭୁବନେଶ୍ୱର: ଉତ୍ତରପ୍ରଦେଶର ମାଫିଆ ଡନ୍‌ ବ୍ରଜେଶ ସିଂହକୁ ଦୀର୍ଘ ୯ ବର୍ଷ ପରେ ଆଜି ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟରୁ ଜାମିନ ମିଳିଛି। ନଗଦ ୫୦ ହଜାର ଟଙ୍କା ଜମା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତ ମୂଳକ ଜାମିନ ମିଳିଥିବା ଜଣାପଡ଼ିଛି।

କୋର୍ଟରୁ ମିଳିଥିବା ଜାମିନ କପିକୁ ଝାରପଡ଼ା ଜେଲ୍‌ ସୁପରିନ୍‌ଟେଣ୍ଡେଣ୍ଟଙ୍କ ନିକଟକୁ ପଠାଇ ଦିଆଯାଇଛି। ସେ ଏହି କପିକୁ ବାରଣାସୀ ଜେଲ ପଠାଇବା ପରେ ବ୍ରଜେଶ ମୁକ୍ତ ହେବେ। ବ୍ରଜେଶଙ୍କ ବିରୋଧରେ ଉତ୍ତରପ୍ରଦେଶ, ମୁମ୍ବାଇ, ଦିଲ୍ଲୀରେ ଥିବା ସମସ୍ତ ମାମଲାରେ ସେ ଜାମିନ ପାଇ ସାରିଛନ୍ତି। କେବଳ ଏହି ମାମଲାର ଜାମିନ ନ ପାଇ ଜେଲ୍‌ରେ ଥିଲେ ବୋଲି ବ୍ରଜେଶଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶର ମାଫିଆ ଡନ୍‌ ବ୍ରଜେଶକୁ ୨୦୦୮ ମସିହାର ଜାନୁଆରି ୨୫ ତାରିଖରେ ଦିଲ୍ଲୀ ସ୍ପେସାଲ୍‌ ସେଲ୍‌ ଭୁବନେଶ୍ୱର ଖାରବେଳନଗର ଥାନା ଅଧୀନ ସତ୍ୟନଗର ବିଗ୍‌ ବଜାର ସମ୍ମୁଖରୁ ଗିରଫ କରିଥିଲା। ଗିରଫବେଳେ ଜଣା ପଡ଼ିଥିଲା ଯେ ଦୀର୍ଘ ଦିନ ଧରି ବ୍ରଜେଶ ଫେରାର ରହି ଭୁବନେଶ୍ୱରରେ ତାର ଆଡ୍ଡା ଜମାଇଥିଲା। ଉତ୍ତରପ୍ରଦେଶରେ ବ୍ରଜେଶ ନାଁରେ ୨୦ଟି ହତ୍ୟାକାଣ୍ଡ, ଅପହରଣ, ବୋମାମାଡ଼, ଡକାୟତି, ଲୁଟପାଟ୍‌ ଭଳି ମାମଲା ରହିଥିଲା। ଉତ୍ତରପ୍ରଦେଶ ପୁଲିସର ମୋଷ୍ଟ ଓ୍ଵାଣ୍ଟେଡ ତାଲିକାରେ ଥିଲା ସେ।
ତେବେ ଦିଲ୍ଲୀ ସ୍ପେସାଲ୍‌ ସେଲ୍‌ ତାକୁ ନେଇ ଯିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା ବ୍ରଜେଶ ବିରୋଧରେ। ଲକ୍ଷ୍ମୀସାଗର କ୍ରିଷ୍ଣା ଟାଓ୍ଵାର ଘରେ ପୁଲିସ ଚଢ଼ଉ କରି ସେଠାରୁ ଏକ ବିହାରର ଲାଇସେନ୍ସ ପ୍ରାପ୍ତ ମାଉଜର, ହାତୀଦାନ୍ତ, ବାଘନଖ, ହୀରା, ବିଦେଶୀ ମୁଦ୍ରା, ନଗଦ ୬ ଲକ୍ଷ ଟଙ୍କା ଏବଂ ପାସପୋର୍ଟ ଜବତ କରିଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ୨୫/୨୭ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରିଥିଲା।

ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ବ୍ରଜେଶଙ୍କୁ ସେତେବେଳେ ପଚରା ଉଚରା କରି ପାରି ନ ଥିଲା ପୁଲିସ। କେସ କୋର୍ଟରେ ଗଡ଼ି ଚାଲିଥିଲା। କୋର୍ଟ ପୁଲିସ ଉପରେ କ୍ଷୁବ୍ଧ ହେବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ବାଧ୍ୟ ହୋଇ ବ୍ରଜେଶକୁ ରିମାଣ୍ଡ୍‌ରେ ଆଣିବାକୁ ଆବେଦନ କରିଥିଲା।

ଏଠାରେ ପ୍ରକାଶଥାଉକି ବ୍ରଜେଶ ୨୦୦୮ ମସିହାରେ ଭୁବନେଶ୍ୱରରୁ ଗିରଫ ହେବାବେଳେ ଦିଲ୍ଲୀ ସ୍ପେସାଲ୍‌ ସେଲ୍‌ ଏବଂ କମିସନରେଟ୍‌ ପୁଲିସ ମଧ୍ୟରେ ସେତେବେଳେ ଧସ୍ତାଧସ୍ତି ଓ ଟକରା ଟକରି ଲାଗିଥିଲା। ଦିଲ୍ଲୀ ପୁଲିସ ସଂଧ୍ୟା ସମୟରେ ବ୍ରଜେଶକୁ ବିଗ୍‌ବଜାର ସମ୍ମୁଖରୁ ଉଠାଇ ନେଇ ଏକ ଗୁପ୍ତ ସ୍ଥାନରେ ରଖିଥିଲା। ପରଦିନ ବିମାନବନ୍ଦର ନେଉଥିବାବେଳେ କମିସନରେଟ ପୁଲିସ ବ୍ରଜେଶକୁ ଉଦ୍ଧାର କରିଥିଲା। ପରେ ଦିଲ୍ଲୀ ପୁଲିସ ବ୍ରଜେଶକୁ ଭୁବନେଶ୍ୱର କୋର୍ଟରେ ହାଜର କରାଇ ଦିଲ୍ଲୀ ନେଇଥିଲା।

ସମ୍ବନ୍ଧିତ ଖବର