ନାଁ କୁ ମାତ୍ର ବିଜୁ ଆଦର୍ଶ କଲୋନି, ବଦଳିନି ଚିତ୍ର: ବାହାରେ ଚକାଚକ୍‌, ଭିତର ଫମ୍ପା

ଭୁବନେଶ୍ବର: ବିଜୁ ଆଦର୍ଶ କଲୋନିକୁ ରୂପାନ୍ତରଣ ‌ହେଉଛି ଭୁବନେଶ୍ବର ବସ୍ତି। ବସ୍ତିର ଚିତ୍ର, ସ୍ଥିତି ବଦଳୁଛି। ପ୍ରତ୍ୟେକ ମୌଳିକ ଆବଶ୍ୟକତା ସହ ହାତପାହାନ୍ତାରେ ମିଳୁଛି ସେବା। ଏଭଳି ଆହ୍ବାନ ଦେଇ ବିଏମ୍‌ସି ବସ୍ତିର ବିକାଶ କରୁଛି। ମାତ୍ର ବସ୍ତି ବେଳେ ଯେଉଁ ସମସ୍ୟା ଥିଲା ଏବେ ବିଜୁ ଆଦର୍ଶ କଲୋନିରେ ବି ସେଇ ସମସ୍ୟା ରହିଛି। ଅନେକ କଲୋନିରେ ଖାଲି ପାନୀୟ ଜଳର ସୁବିଧାକୁ ଛାଡ଼ି ଦେଲେ ଆଉ କିଛି ସୁବିଧା ମିଳିଲାନି। ଆଗରୁ ବର୍ଷା ହେଲେ ପାଣି ଘରେ ପଶୁଥିଲା, ପାଇଖାନା ନଥିଲା ନାଳ ଉପରେ ଶୌଚ ହେଉଥିଲେ। ଏବେ ମଧ୍ୟ ସେହି ଅବସ୍ଥା। ୱାର୍ଡ ନମ୍ବର ୪୦ର ୟୁନିଟ୍‌-୧ ସ୍ଥିତ ହରିଜନ ବିଜୁ ଆଦର୍ଶ କଲୋନି ଏହାର ଜ୍ବଳନ୍ତ ଉଦାହରଣ।
ଜାଗା ମିସନରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ରାଜଧାନୀକୁ ବସ୍ତିମୁକ୍ତ କରାଯାଇ ବିଜୁ ଆଦର୍ଶ କଲୋନି କରିବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ବିଏମ୍‌ସିର ରେକର୍ଡ ଅନୁସାରେ ଭୁବନେଶ୍ବରରେ ଥିବା ୪୩୬ଟି ବସ୍ତିକୁ ଜାଗା ମିସନରେ ସାମିଲ କରାଯାଇଛି। ଏଥିରୁ ୧୧୫ଟି ବସ୍ତିକୁ ବିଏମ୍‌ସି ପକ୍ଷରୁ ବିଜୁ ଆଦର୍ଶ କଲୋନି ଭାବେ ଘୋଷଣା କରାଯାଇଛି। ବିଏମ୍‌ସି ୪୦ ୱାର୍ଡର ୟୁନିଟ୍‌-୧ ସ୍ଥିତ ହରିଜନ ବସ୍ତିକୁ ଏହି ଯୋଜନାରେ ସାମିଲ କରାଯାଇ ବିଜୁ ଆଦର୍ଶ କଲୋନି ଭାବେ ଘୋଷଣା କରାଯାଇଛି। ଏହି ବସ୍ତିର ଆରମ୍ଭରୁ ରାସ୍ତାକୁ ପେଭର ବ୍ଲକ ପକାଯାଇ ସୁନ୍ଦର କରାଯାଇଛି। ଯେମିତି ଦେଖିଲେ ଲାଗିବ ସତରେ ହିଁ ଏହି ବସ୍ତି ବାସିନ୍ଦାଙ୍କ ଦୁଃଖ ବଦଳିଛି। କିନ୍ତୁ ଭିତରକୁ ଗଲେ ହିଁ ଜଣାପଡ଼ିବ ବିଜୁ ଆଦର୍ଶ କଲୋନିର ପ୍ରକୃତ ଚିତ୍ର। ନିୟମ ଅନୁଯାୟୀ କଲୋନିରେ ଷ୍ଟ୍ରିଟ୍‌ ଲାଇଟ, ପାଇପ ଯୋଗେ ପାନୀୟ ଜଳ ବ୍ୟବସ୍ଥା, ରାସ୍ତା, ଡ୍ରେନ୍‌, କମ୍ୟୁନିଟି ଶୌଚାଳୟ, ବିଦ୍ୟୁତ୍‌ ଯୋଗାଣ, କମ୍ୟୁନିଟି ସେଣ୍ଟର ଢାଞ୍ଚାରେ ଘର ତିଆରି ହେବା କଥା। ମାତ୍ର ବସ୍ତିରେ ସବୁ ଲୋକଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି।

ଯେଉଁ ବାସିନ୍ଦାମାନେ ଆଗରୁ ବିଦ୍ୟୁତ୍‌ ନେଇଥିଲେ ସେତିକି। ଆଉ ନୂଆ କରି କାହାକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। ବସ୍ତିରେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। କମ୍ୟୁନିଟି ଶୌଚାଳୟ କଥା ନକହିବା ଭଲ। ଏହାର ପାଣି ଟ୍ୟାପ୍‌ ଭାଙ୍ଗିଯାଇଥିବା ବେଳେ ଶୌଚାଳୟର କାନ୍ଥ ଓ ଛାତ ଦୁର୍ବଳ ହୋଇଯାଇଛି। ଏହି ଶୌଚାଳୟ ପୁଣି ଯାହା ଆଗରୁ ହୋଇଥିଲା ବାସ୍‌ ସେତିକି। ବସ୍ତିରେ ୧୦୦ରୁ ଅଧିକ ପରିବାର ବାସ କରୁଥିବା ବେଳେ ମାତ୍ର ଗୋଟିଏ ଶୌଚାଳୟ ଥିବାରୁ ସେମାନଙ୍କୁ ଅସୁବିଧା ହେଉଛି। ଯାହା ଫଳରେ କିଛି ଲୋକ ନିଜ ଉଦ୍ୟମରେ ଡ୍ରେନ୍‌ ଉପରେ ପାଇଖାନା ଘର ନିର୍ମାଣ କରିଛନ୍ତି। ସେହିପରି ବସ୍ତିରେ ଆଗରୁ ଆଉ ଅନ୍ୟ ଏକ ଗୋଷ୍ଠୀ ଶୌଚାଳୟ ଥିଲା। ମାତ୍ର ଫନି ବାତ୍ୟାରେ ଭାଙ୍ଗିଯିବାରୁ ଏବେ ସେ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ବସ୍ତିରେ ଯାଇଥିବା ଡ୍ରେନ୍‌ର ଅବସ୍ଥା ମଧ୍ୟ ଭଲ ନାହିଁ। ଡ୍ରେନ୍‌ ଛୋଟ ଏବଂ ବହୁ ଦିନ ଧରି ସଫା ହୋଇନଥିବାରୁ ବର୍ଷା ହେଲେ ଘର ଭିତରେ ପାଣି ପଶୁଥିବା ନେଇ ବସ୍ତିର ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ବସ୍ତିରେ କମ୍ୟୁନିଟି ସେଣ୍ଟର କରିବାର ଯୋଜନା ଥିବା ବେଳେ ଏହାକୁ କରାଯାଇନାହିଁ। ଯାହା ଫଳରେ ବସ୍ତି ବାସିନ୍ଦାଙ୍କ ଉଦ୍ୟମରେ କରାଯାଇଥିବା କ୍ଲବ୍‌ ଘରେ ସେମାନଙ୍କର ପର୍ବପର୍ବାଣୀ ପାଳନ କରାଯାଉଛି।
ଏନେଇ ସ୍ଥାନୀୟ କର୍ପୋରେଟର ଆସିୟା ବେଗମ୍‌ କହିଛନ୍ତି, ଯାହା ଯାହା କାମ ନହୋଇଛି ସେନେଇ ବିଏମ୍‌ସି ଅଧିକାରୀଙ୍କୁ ଜଣାଇ ଖୁବ୍‌ ଶୀଘ୍ର କରିବେ। ଜଣେ ବିଏମ୍‌ସି ଅଧିକାରୀଙ୍କ କହିବା ଅନୁଯାୟୀ, ଆଗ ବସ୍ତିରେ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଉଛି ତା’ ପରେ ଯାଇ ସେହି ବସ୍ତିକୁ ବିଜୁ ଆଦର୍ଶ କଲୋନି ଭାବେ ଘୋଷଣା କରାଯାଉଛି।

ସମ୍ବନ୍ଧିତ ଖବର