ଏମ୍ସରେ ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ ଯୋଜନା

୨ ଦିନ ଧାଡ଼ିରେ ଛିଡ଼ା ହେଉଛନ୍ତି ସମ୍ପର୍କୀୟ, ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ଏମ୍ସ କର୍ତ୍ତୃପକ୍ଷ

ଭୁବନେଶ୍ବର : ଏମ୍ସରେ ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ ଯୋଜନା। ସୁବିଧା ପାଇବା ପାଇଁ ଦୁଇ ଦିନ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏଥିଯୋଗୁଁ ଅନେକ ଆବେଦନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ଯୋଜନାରେ ପ୍ରତିଦିନ ଆବେଦକଙ୍କ ସଂଖ୍ୟା ଶହେରୁ ଅଧିକ। କିନ୍ତୁ ଦୈନିକ ମାତ୍ର ୧୦ରୁ ୧୨ ରୋଗୀଙ୍କୁ ଟୋକନ୍‌ ମିଳୁଥିବାରୁ ସମ୍ପର୍କୀୟମାନେ ନାକେଦମ୍‌ ହୋଇ ପଡ଼ୁଛନ୍ତି। ମାର୍ଚ ମାସରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାନୁଆଲ ଆପ୍ଲିକେସନ ଗ୍ରହଣ ପ୍ରକ୍ରିୟା ବନ୍ଦ କରାଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟା ସମାଧାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖାଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି।

ବରଗଡ଼ ଜିଲ୍ଲାର ୧୬ ବର୍ଷୀୟ ତରୁଣ ମଲ୍ଲିକଙ୍କ ଅଣ୍ଟା ହାଡ଼ ଭାଙ୍ଗିଯିବାରୁ ଗୁରୁତର ଅବସ୍ଥାରେ ବୁଧବାରଠାରୁ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତର ଆବଶ୍ୟକ ଚିକିତ୍ସା କରିବା ସହିତ ନିର୍ଦିଷ୍ଟ ପ୍ରକାର ବେଲ୍ଟ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି। ତରୁଣଙ୍କ ପରିବାର ଦାରିଦ୍ର୍ୟ ସୀମାରେଖା ତଳର। ୧୦ ହଜାର ଟଙ୍କା ମଧ୍ୟ ସେମାନଙ୍କ ପାଇଁ ବହୁ ବଡ଼ କଥା। ଏଥିପାଇଁ ବିଜୁ ସ୍ବାସ୍ଥ୍ୟ ଯୋଜନା ଅନ୍ତର୍ଗତରେ ବେଲ୍ଟ ସମେତ ଅନ୍ୟାନ୍ୟ ସୁବିଧା ପାଇଁ ଗୁରୁବାର ସଂଧ୍ୟା ୫ଟାରୁ ତାଙ୍କ ଭାଇ ଧାଡ଼ିରେ ଛିଡ଼ା ହୋଇଛନ୍ତି। ଶୁକ୍ରବାର ଦିନତମାମ ଅପେକ୍ଷା ପରେ ମଧ୍ୟ ତାଙ୍କ ପାଳି ଆସିଲା ନାହିଁ। ଶନିବାର ଅଧା ଦିନ କାର୍ଯ୍ୟ ହେବ, ତେଣୁ କେବଳ ୬ ଜଣଙ୍କ ପାଳି ପଡ଼ିବ। ଶନିବାର ତାଙ୍କ ଆବେଦନ ଗ୍ରହଣ କରାଯାଇ ପାରିବ କି ନାହିଁ ଏହାକୁ ନେଇ ତରୁଣଙ୍କ ଭାଇ ଅନିଶ୍ଚିତତାରେ ଅଛନ୍ତି। ଏହାପରେ ରବିବାର ଛୁଟି, ସେତେବେଳକୁ ଡାକ୍ତର ଡିସଚାର୍ଜ କରି ଦେଲେ ସେମାନଙ୍କ ପାଇଁ ଅସୁବିଧା ବଢିବ।

କେବଳ ତରୁଣ ନୁହଁନ୍ତି; ଏମ୍ସରେ ଚିକିତ୍ସାଧୀନ ସବୁ ଗରିବ ବିଜୁ ସ୍ବାସ୍ଥ୍ୟ ଯୋଜନା ହିତାଧିକାରୀ ଏହିଭଳି ହନ୍ତସନ୍ତ ହେଉଛନ୍ତି। ଏହି ସମସ୍ୟାକୁ ଏମ୍ସ କର୍ତ୍ତୃପକ୍ଷ ମଧ୍ୟ ସ୍ବୀକାର କରିଛନ୍ତି। ଏମ୍ସ ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବାର୍ଷିକ ୪୦ ହଜାର ଟଙ୍କା ଆୟ ଥିବା ବ୍ୟକ୍ତି କିମ୍ବା ବିଜୁ ସ୍ବାସ୍ଥ୍ୟ ଯୋଜନା କାର୍ଡ ଥିଲେ ନିଃଶୁଳ୍କ ବିଭିନ୍ନ ପ୍ରକାର ଔଷଧ, ଚିକିତ୍ସା ଉପକରଣ ପାଇଥାଆନ୍ତି। ଏଥିପାଇଁ ଏମ୍ସରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଡେସ୍କ କାର୍ଯ୍ୟ କରୁଛି। ଏଥିରେ ଜଣେ ସ୍ବାସ୍ଥ୍ୟମିତ୍ର ନିଯୁକ୍ତ ଅଛନ୍ତି। ପୂର୍ବରୁ ଦସ୍ତାବିଜ ସହିତ ଆବେଦନପତ୍ର ମାନୁଆଲ (ହାତ)ରେ ଗ୍ରହଣ ହୋଇ, ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯାଉଥିଲା। ଏଥିଯୋଗୁଁ ଦୈନିକ ୪୦ରୁ ୫୦ ରୋଗୀ ଏହି ଯୋଜନାରେ ଲାଭାନ୍ବିତ ହେଉଥିଲେ। ମାର୍ଚ ମାସରେ ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି। ପୋର୍ଟାଲ ଜରିଆରେ ଆବେଦନ ଗ୍ରହଣ ହେଉଛି। ଏହି ଯୋଜନାରେ ଅନେକ ସଂଖ୍ୟକ ଦସ୍ତାବିଜ ଆବଶ୍ୟକ। ତେଣୁ ଜଣେ ବ୍ୟକ୍ତି ଗୋଟିଏ ସିଷ୍ଟମରେ ଏତେ ସଂଖ୍ୟକ ଦସ୍ତାବିଜ ଦାଖଲ କରିବା ବେଳକୁ ସମୟ ଅଣ୍ଟୁ ନାହିଁ। ସକାଳୁ-ସଂଧ୍ୟା ପର୍ଯ୍ୟନ୍ତ କେବଳ ୧୦ରୁ ୧୨ ଜଣଙ୍କ ଦସ୍ତାବିଜ ଗ୍ରହଣ ହୋଇ ପାରୁଛି। ଏଥିପାଇଁ ଅଧିକ ସଂଖ୍ୟକ ସ୍ବାସ୍ଥ୍ୟମିତ୍ର ନିଯୁକ୍ତି ଏବଂ ଅଧିକ କମ୍ପ୍ୟୁଟର ତଥା ପୋର୍ଟାଲ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅନୁରୋଧ କରାଯାଇଛି। ସେମାନେ ଏହା ଉପରେ ଦୃଷ୍ଟି ଦେଲେ, ସମସ୍ୟାର ସମାଧାନ ହୋଇ ପାରିବ।

ବିଜୁ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ବେଳେ ରାଜ୍ୟ ସରକାର ଘରୋଇ ଡାକ୍ତରଖାନା ଭଳି ଏମ୍ସ ପ୍ରତି ସମାନ ଆଭିମୁଖ୍ୟ ରଖିଛନ୍ତି। ଏମ୍ସରେ ସମୁଦାୟ ୯୮୦ ରୋଗୀ ଭର୍ତ୍ତି ହୋଇପାରିବେ। ଏଠାରେ ମୁଖ୍ୟତଃ ଗରିବ ପରିବାରର ରୋଗୀ ଆସନ୍ତି। ଯେଉଁମାନେ ବିଜୁ ସ୍ବାସ୍ଥ୍ୟ ଯୋଜନାର ହିତାଧିକାରୀ ଅଟନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବେ ବୋଲି ରୋଗୀଙ୍କ ପରିବାର ଆଶା କରିଛନ୍ତି।

ସମ୍ବନ୍ଧିତ ଖବର