ଖଣ୍ଡଗିରି ସବୁକାଳରେ ଗରିବ ହିଁ ଧନୀକ ଗୋଷ୍ଠୀ ଦ୍ବାରା ଶୋଷଣର ଶିକାର ହୋଇଆସିଛି। କିନ୍ତୁ ସବୁବେଳେ ଗରିବ ନିରବ ରହିନାହିଁ। ପ୍ରତିବାଦ କରିଛି, ତା’ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସ୍ବର ଉଠାଇଛି। ହେଲେ ‘ଜୋର୍ ଯାର ମୂଲକ ତାର’ ହିସାବରେ ତା’ର ପ୍ରତିବାଦକୁ ଦଳି ଚକଟି ମାଟିରେ ମିଶାଇ ଦିଆଯାଇଛି ଓ ବିଚରା ଗରିବଟି ସେମିତି ଶୋଷିତ ବସ୍ତୁଟିଏ ହୋଇ ରହିଆସିଛି। କାଳେକାଳେ ଏହା ଚାଲିଛି। ଏମିତି ଏକ କଥାବସ୍ତୁକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ବିଜୁ ନାଟ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ନାଟକ ‘ଜୀବନ୍ୟାସ’।

Advertisment

ନାଟ୍ୟସଂସ୍ଥା ‘ଶତାବ୍ଦୀର କଳାକାର’ର ସଦସ୍ୟମାନଙ୍କ ଦ୍ବାରା ପରିବେଷିତ ଏହି ନାଟକର ରଚନା ଓ ନି‌ର୍ଦ୍ଦେଶନା ଦେଇଥିଲେ ଧିର ମଲ୍ଲିକ। କାହାଣୀ ଅନୁସା‌ରେ, ଜଙ୍ଗଲରେ ଏକାକୀ ଯାଉଥିବା ବେଳେ ଜଣେ ବାବା ଏକ ମଣିଷ ଖପୁରୀ ପାଇ ତାକୁ ଜୀବନ୍ୟାସ ଦେଇଛନ୍ତି। ଯମରାଜଙ୍କୁ ଯୁକ୍ତିରେ ପରାସ୍ତ କରି ତାନ୍ତ୍ରିକ ବାବା ଖପୁରୀକୁ ପୁନର୍ଜନ୍ମ ଦେବା ପରେ ମଣିଷଟି ତା’ର ପୂର୍ବ ଜନ୍ମର କଥା କହିଛି। ଗରିବ ପରିବାରରେ ଜନ୍ମ ନେଇଥିବା ସେହି ଲୋକଟି କିଭଳି ସେ ସମୟର ଜମିଦାରର ଚକ୍ରାନ୍ତ‌‌ରେ ସର୍ବସ୍ବ ହରାଉଛି ଓ ପୁଲିସ ବଳ ପ୍ର‌ୟୋଗ କରି ଜମିଦାର କିଭଳି ତା’ ପରିବାରକୁ ନିଶ୍ଚିହ୍ନ କରିଦେଇଛି, ସେହି କାହାଣୀ ବାବାଙ୍କୁ କହିଛି। ଠିକ୍ ଏତିକିବେଳେ ବାବାଙ୍କୁ ଖୋଜି ଖୋଜି ଜମିଦାର ଓ ପୁଲିସ ଜଙ୍ଗଲରେ ପହଞ୍ଚିଛନ୍ତି। ଲୋକଟି ଜମିଦାର ଓ ପୁଲିସକୁ ଦେଖି ଚିତ୍କାର କରିଛି। ଜମିଦାର ଓ ପୁଲିସ ତାକୁ ଉଗ୍ରପନ୍ଥୀ ବୋଲି କହି ଗୋଡ଼ାଇଛନ୍ତି। ଲୋକଟି ଅଣନିଶ୍ବାସୀ ହୋଇ ଧାଇଁଛି।