ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୂର୍ବାପେକ୍ଷା ବହୁମାତ୍ରାରେ ବିମାନରେ ପକ୍ଷୀ ଓ ଜନ୍ତୁଜନ୍ତା ମାଡ଼ ହେବା କମିଛି। ନିୟମିତ ଯାଞ୍ଚ, ପ୍ରାଧିକୃତ କର୍ମଚାରୀ ନିୟୋଜନ ସହ ପକ୍ଷୀ ଓ ଜନ୍ତୁଜନ୍ତା ଘଉଡ଼ାଇବା ପାଇଁ ଅତ୍ୟାଧୁନିକ ଓ ପାରମ୍ପରିକ ଜ୍ଞାନକୌଶଳର ବ୍ୟବହାର ପାଇଁ ଏହା ସମ୍ଭବପର ହୋଇପାରିଛି ବୋଲି ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି। ତଥାପି ଆମେ ବିମାନବନ୍ଦର ଓ ଆଖପାଖ ଅଞ୍ଚଳରୁ ପକ୍ଷୀ ଓ ଜନ୍ତୁଜନ୍ତାଙ୍କୁ ଘଉଡ଼ାଇବା ପାଇଁ ଆଗକୁ ବୃତ୍ତିଗତ ଓ ଅଭିଜ୍ଞ ଗ୍ରୁପଙ୍କୁ ରଖିବାକୁ ନିଷ୍ପତ୍ତି ନେଇଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି, ବିମାନ ଓ ବିମାନଯାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ବିମାନବନ୍ଦର ଅଞ୍ଚଳରୁ ପକ୍ଷୀ ଘଉଡ଼ାଇବା ପାଇଁ ପ୍ରାୟ ୩୦ଜଣ ପକ୍ଷୀ ଘଉଡ଼ାଳି ନିୟୋଜିତ ହୋଇଛନ୍ତି। ଏଥିସହ ଜୋନ୍ ଗନ୍, ପାଳଭୂତ, ଅଲ୍‌ଟ୍ରା ଲାଇଟ୍ ଆଦି ବ୍ୟବହାର କରୁଛୁ। ଅନ୍ୟପଟେ ପକ୍ଷୀ ବସା ଅଞ୍ଚଳ ଚିହ୍ନଟ କରି ଗଛକଟାଠାରୁ ଆରମ୍ଭ କରି ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି। ପୂର୍ବରୁ ଫାଷ୍ଟଫୁଡ୍ ଓ ଅନ୍ୟ ଦୋକାନ କାରଣରୁ କୁକୁର, ପକ୍ଷୀ ଆଦି ବିମାନବନ୍ଦର ଅଞ୍ଚଳରେ ବୁଲୁଥିଲେ ଓ ଉଡ଼ୁଥିଲେ। ଏହି ଦୋକାନ ସବୁ ହଟାଯାଇଛି। ଆବଶ୍ୟକତା ଅନୁସାରେ ଗଛ ସବୁ କଟାଯାଉଛି। 

Advertisment

ବିଜୁ ପଟ୍ଟନାୟକ ବିମାନବନ୍ଦର
୨୦୨୪-୨୫ରେ ଯାତ୍ରା କରିଛନ୍ତି ୪୮.୩୮ ଲକ୍ଷ ଯାତ୍ରୀ,
ମିଳିଛି ୧୦୦ କୋଟି ଲାଭ
ଦୁବାଇକୁ ବିମାନ ବନ୍ଦ ନେଇ, କୌଣସି ସୂଚନା ନାହିଁ

ଶ୍ରୀ ପ୍ରଧାନ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷରେ ୪୮ଲକ୍ଷ ୩୮ହଜାର ଯାତ୍ରୀ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଯା’ଆସ କରିଛନ୍ତି। ସାରା ଦେଶରେ ବିମାନ ଯାତ୍ରୀ ଯା’ଆସ କ୍ଷେତ୍ରରେ ବିଜୁ ପଟ୍ଟନାୟକ ବିମାନବନ୍ଦର ଗତବର୍ଷ ୧୩ତମ ସ୍ଥାନରେ ଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ଆମେ ୫୦ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ। ବିଜୁ ପଟ୍ଟନାୟକ ବିମାନବନ୍ଦର ସରକାରଙ୍କୁ ସର୍ବଦା ଲାଭ ଦେଇ ଆସିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୦୦ କୋଟି ଟଙ୍କା(ଟିକସକୁ ଛାଡ଼ି) ଲାଭ ହୋଇଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ଆମେ ୧୪୦ କୋଟି ଲାଭ କରିବାର ଲକ୍ଷ୍ୟ ରଖିଛୁ। ଦୁବାଇକୁ ବିମାନ ଚଳାଚଳ ହେବନି ବୋଲି ଏବେ ଚର୍ଚ୍ଚା ଜୋର ଦରିଛି। କିନ୍ତୁ ଶ୍ରୀ ପ୍ରଧାନ ଏହାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଦୁବାଇକୁ ବିମାନ ଚଳାଚଳ ନେଇ ଅଦ୍ୟାବଧି କୌଣସି ଆଶଙ୍କା ବି ସୃଷ୍ଟି ହୋଇନି। ପୂର୍ବଭଳି ଟିକେଟ୍ ସ୍ଲଟ୍ ବୁକିଂ ଜାରି ରହିଛି। ପ୍ରତିବର୍ଷ ଦୁଇଟି ସେଡୁଲ୍‌ରେ ଟିକେଟ୍ ବୁକିଂ ହୋଇଥାଏ। ଗୋଟିଏ ଖରା ଓ ଅନ୍ୟଟି ଶୀତ। ସେହି ଅନୁସାରେ ସ୍ଲଟ୍ ବୁକିଂ ହୋଇଥାଏ। ଟିକେଟ୍ ସ୍ଲଟ୍ ବନ୍ଦ ସଂପର୍କରେ ଆମ ପାଖକୁ କୌଣସି ସୂଚନା ଆସିନି ବୋଲି ସେ କହିଛନ୍ତି। ଅନ୍ୟପଟେ ଆମେ ଜମ୍ମୁ ଓ କ‌ାଶ୍ମୀରକୁ ବିମାନ ଚଳାଚଳା ନେଇ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ଅପରେସନ୍ ସିନ୍ଦୁର ପରେ ଏହା ବନ୍ଦ ହୋଇଯାଇଥିଲା। ପରେ ଏଠାକୁ ବିମାନ ଚଳାଚଳ ନେଇ ଆଉ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।