ବିମାନବନ୍ଦର ପାଇବ ନୂଆ ରୂପ : ଦୁଇ ଟର୍ମିନାଲ୍‌ ମିଶିବ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟି-୨ ଟର୍ମିନାଲର ଆଧୁନିକୀକରଣ ହେବ। ଦେଶର ଅନ୍ୟ ଅନ୍ତର୍ଜାତୀୟ ଟର୍ମିନାଲରେ ମିଳୁଥିବା ସୁବିଧା ସୁଯୋଗ ଭଳି ଏଠାରେ ସବୁ ପ୍ରକାରର ସେବା ଉପଲବ୍ଧ ହେବ। ଏରୋବ୍ରିଜ୍‌ରେ ବିମାନକୁ ଯାତାୟତଠାରୁ ଆରମ୍ଭ କରି ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ସପିଂ, ଖାଦ୍ୟପାନୀୟ, ଚେକିଂ ବ୍ୟବସ୍ଥା, ଏସ୍‌କାଲେଟର୍‌, ଲିଫ୍ଟ ଏବଂ ଆତିଥେୟତା ଉପଲବ୍ଧ ହେବ। କେବଳ ଏତିକି ନୁହେଁ ଭୁବନେଶ୍ୱର ବିମାନବନ୍ଦରକୁ ନୂଆ ରୂପ ଦେବା ପାଇଁ ଟି-୧ ଓ ଟି-୨ ଟର୍ମିନାଲକୁ ସଂଯୋଗ କରାଯିବ। ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରାୟ ୪୦କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଯୋଜନା କରିଛନ୍ତି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇ ଟର୍ମିନାଲ (ଟି-୧)ରେ ଏବେ ଅନ୍ତର୍ଜାତୀୟ ମାନର ସୁବିଧା ସୁଯୋଗ ମିଳୁଥିଲେ ହେଁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଥିବା ଟର୍ମିନାଲ (ଟି-୨)ରେ ଅନ୍ତର୍ଜାତୀୟ ମାନର ସେବା ଉପଲବ୍ଧ ହେଉନାହିଁ। ଏପରିକି ଏଠାରେ ମିଳୁଥିବା ସୁବିଧା ସୁଯୋଗ ନେଇ ଯାତ୍ରୀମାନେ ବାରମ୍ବାର ଅଭିଯୋଗ କଲେଣି। ସୋଫାଠାରୁ ଆରମ୍ଭ କରି ଶୌଚାଳୟ, ଆତିଥେୟତା, ଚେକିଂ ବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ବୋଲି ଯାତ୍ରୀମାନେ ଅଭିଯୋଗ କରିବା ପରେ ଏହି ଟର୍ମିନାଲର ଆଧୁନିକୀକରଣ ଏବଂ ଗୁଣାତ୍ମକ ସେବା ଯୋଗାଇବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ବିମାନବନ୍ଦରକୁ ନୂଆ ରୂପ ଦେବା ପାଇଁ ପ୍ରାୟ ୪୦କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଟି-୨ ଟର୍ମିନାଲର ଆଧୁନିକୀକରଣ ପାଇଁ ଏଥିରୁ ୮କୋଟି ଖର୍ଚ୍ଚ ହେବ। ବିମାନବନ୍ଦରର ଯୁଗ୍ମ ମହାପ୍ରବନ୍ଧକ (ସିଭିଲ୍‌) ଲୋକନାଥ ପାଢ଼ୀଙ୍କ ସୂଚନା ଅନୁଯାୟୀ, ବିମାନବନ୍ଦରକୁ ନୂଆ ରୂପ ଦେବା ସହ ଟି-୨ ଟର୍ମିନାଲର ଆଧୁନିକୀକରଣ କରିବା ପାଇଁ ଲୁଧିଆନାର ଖୋସଲା ଆସୋସିଏଟ୍‌ସକୁ ଆରଏଫ୍‌ପି ପ୍ରସ୍ତୁତ କରିବାକୁ ଦିଆଯାଇଛି। ଦୁଇ ଟର୍ମିନାଲ ସଂଯୋଗ କରିବାକୁ ପ୍ରାରମ୍ଭିକ ନକ୍ସା ବି ପ୍ରସ୍ତୁତ ହୋଇଛି। ଆରଏଫ୍‌ପି ପ୍ରସ୍ତୁତ ହେବା ପରେ ଟେଣ୍ଡର ଆହ୍ଵାନ ହେବ। ଆଉ ଦୁଇ ବର୍ଷରେ ବିମାନବନ୍ଦର ନୂଆ ରୂପ ପାଇବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ଦୁଇଟି ଯାକ ଟର୍ମିନାଲ ମଧ୍ୟରେ ପ୍ରାୟ ୨୦୦ମିଟର ଜାଗା ଥିବାବେଳେ ଏଠାରେ ଏକ ଦୁଇ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ହେବ। ଯାହା ଦୁଇଟି ଯାକ ଟର୍ମିନାଲକୁ ସଂଯୋଗ କରିବ। ଏହି ବିଲଡିଂ ଦେଇ ଅନ୍ତର୍ଜାତୀୟ ଯାତ୍ରୀ (ଏବେ ଟି-୨ ଟର୍ମିନାଲ ଦେଇ ଯାଉଥିବା ଯାତ୍ରୀ) ପ୍ରସ୍ଥାନ କରିବେ। ଯେଉଁ ଯାତ୍ରୀମାନେ ବିଦେଶରୁ ଆସିବେ ସେମାନେ ଏହି ବିଲଡିଂ ଦେଇ ବାହାରକୁ ବାହାରିବେ। ବର୍ତ୍ତମାନ ଟି-୨ ଟର୍ମିନାଲରେ ଏରୋବ୍ରିଜ୍‌ ଲଗାଇବା ସମ୍ଭବ ନଥିବାରୁ ଏହି ନୂଆ ବିଲଡିଂ ନିର୍ମାଣ ହେଲେ ଅନ୍ତର୍ଜାତୀୟ ଯାତ୍ରୀମାନେ ଏରୋବ୍ରିଜ୍‌ ସେବା ପାଇପାରିବେ। ଦୁଇଟି ମହଲାରେ ପୃଥକ ପୃଥକ ଭାବେ ଯାତ୍ରୀଙ୍କୁ ସେବା ଯୋଗାଇ ହେବ। ଏପରିକି ଏକସଙ୍ଗେ ଦୁଇରୁ ଅଧିକ ବିମାନ ପରିଚାଳନା କରିହେବ। ଏହାସହ ଦୁଇଟି କନଭେୟର ବେଲ୍ଟ, ଏସ୍‌କାଲେଟର୍‌, ଲିଫ୍ଟ ଆଦି ରହିବ। କିନ୍ତୁ ଯାତ୍ରୀମାନେ ବର୍ତ୍ତମାନ ଭଳି ପୁରୁଣା ଟର୍ମିନାଲ ଦେଇ ଚେକ୍‌ ଇନ୍‌ କରିବେ। ଏହି ଟର୍ମିନାଲର ଆଧୁନିକୀକରଣ କରାଯିବ। ଆଧୁନିକୀକରଣରେ ଏଠାରେ ଅତ୍ୟାଧୁନିକ ଟଏଲେଟ୍‌, ଆରାମ ଦାୟକ ସୋଫା, ଭିଆଇପି ରୁମ୍‌, ନର୍ସିଂ ରୁମ୍‌ ଆଦି ରହିବ।

ଦୁଇଟି ଟର୍ମିନାଲ ସଂଯୋଗ କରିଦେଲେ ଟି-୨ ଯାତ୍ରୀ ବି ସହଜରେ ଟି-୧ ଟର୍ମିନାଲକୁ ଆସିପାରିବେ। ଭୁବନେଶ୍ୱର ଭାୟା ହୋଇ ଯେଉଁମାନେ ଅନ୍ୟ ସହରକୁ ଯିବାକୁ ଚାହୁଁଥିବେ ସେମାନଙ୍କୁ ବିମାନବନ୍ଦର ବାହାରକୁ ଆସିବାକୁ ପଡ଼ିବନି। ବିମାନବନ୍ଦର ଭିତରେ ସେମାନେ ଟର୍ମିନାଲ ବଦଳାଇ ପାରିବେ ଏବଂ ଅତ୍ୟାଧୁନିକ ସେବା ପାଇବେ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି। ବିମାନବନ୍ଦରର ଟି-୨ ଟର୍ମିନାଲ ଆଧୁନିକୀକରଣ କାର୍ଯ୍ୟ ଶେଷ ହେବା ପରେ ଏକସଙ୍ଗେ ୫୦୦ ଯାତ୍ରୀ ଯାତାୟତ କରିପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଏହାସହ ବିମାନବନ୍ଦରର ଟି-୧ ଟର୍ମିନାଲରେ ଗୁଣାତ୍ମକ ସେବା ଯୋଗାଇବା ଏବଂ ଏକ ସଙ୍ଗେ ଅଧିକ ବିମାନକୁ ସେବା ଯୋଗାଇବା ପାଇଁ ଆଉ ଦୁଇଟି ଏରୋବ୍ରିଜ୍‌ ଲାଗିବ। ପରବର୍ତ୍ତୀ ସମୟରେ ଏଥିରୁ ଗୋଟିଏ ଏରୋବ୍ରିଜ୍‌ ଅନ୍ତର୍ଜାତୀୟ ଯାତ୍ରୀମାନେ ବ୍ୟବହାର କରିପାରିବେ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର