ଡମ୍ପିଂୟାର୍ଡ ପାଲଟିଛି ବିଜୁ ପଟ୍ଟନାୟକ ପାର୍କ

ଭୁବନେଶ୍ବର: ପାର୍କ ପାଇଁ ପ୍ରଶାସନ ନୂଆ ନୂଆ ଯୋଜନା କରୁଛି। ଆକର୍ଷଣୀୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛି। ମାତ୍ର ସେଇ ସୌନ୍ଦର୍ଯ୍ୟକୁ ବଜାୟ ରଖିବାରେ ପ୍ରଶାସନ ସେତିକି ସଫଳ ହେଉନାହିଁ। ବିଜୁ ପଟ୍ଟନାୟକ ପାର୍କରେ ଏବେ ବି ୭ଟି ସ୍ଥାନ ଡମ୍ପିଂରେ ପରିଣତ ହୋଇଛି। ବିଡ଼ମ୍ବନା ଏହି ଯେ, ପାର୍କ ସଫେଇ ପରେ ଯାହା ଆବର୍ଜନା ବାହାରୁଛି ତାହା ସେଇ ପାର୍କ ମଧ୍ୟରେ ଏଣେ ତେଣେ ଗଦେଇ ଦେଇ ଏହି ଡମ୍ପିଂ ସୃଷ୍ଟି କରାଯାଇଛି। ଅଥଚ ଦୀର୍ଘ ବର୍ଷ ହେଲା ଏହା ମଧ୍ୟରୁ ଅଳିଆ ଉଠେଇବା ପାଇଁ ପ୍ରଶାସନ ଚିନ୍ତା କରି ନାହିଁ। କେବଳ ସେତିକି ନୁହେଁ ନାନାବିଧ ସମସ୍ୟା ଥିଲେ ହେଁ ଏହାକୁ ପ୍ରଶାସନ ଗୁରୁତ୍ବର ସହ ନେଇ ନାହିଁ। ତେଣୁ ବହୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅଚଳ ହୋଇଯାଇଛି। ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ଏହି ଉଦ୍ୟାନକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଥିଲେ ମଧ୍ୟ ସେଠାରେ ୨୦୦୨ରୁ ସ୍ଥାପନ ହୋଇଥିବା ଫଳକରୁ ଅକ୍ଷରମାନ ଗଳି ପଡ଼ିଥିଲେ ହେଁ ଏହାକୁ ଗୁରୁତ୍ବ ଦିଆଯାଉ ନାହିଁ। ପାର୍କ ମଧ୍ୟରେ ଥିବା ‘କଇଁ ପୋଖରୀ’ ବି ଧୀରେଧୀରେ ଡମ୍ପିଂର ରୂପ ନେଲାଣି। ମଧ୍ୟ ଭାଗରେ ଥିବା ‘ଜଳ ଫୁଆରା’ ବି ଅଚଳ ହୋଇଯାଇଛି। ଏହା ମଧ୍ୟରେ ଥିବା ପାଣି ପଚି ଗନ୍ଧଉଛି। ଜଳ ପ୍ରପାତ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିପାଇଁ ଲକ୍ଷଲକ୍ଷ ଟଙ୍କାରେ ଯେଉଁ ମେସିନ୍‌ ଓ ଯନ୍ତ୍ରଗୁଡ଼ିକ ଖଞ୍ଜାଯାଇଥିଲା ତାହା ବି ନଷ୍ଟ ହୋଇଗଲାଣି। ମାତ୍ର ଏହା ଏବେ ନୁହେଁ, ଦୀର୍ଘ ବର୍ଷ ହେଲା ଏପରି ସ୍ଥିତି ଦେଖିବାକୁ ମିଳୁଥିଲେ ହେଁ ଏହାକୁ ସଜାଡ଼ିବା ପାଇଁ ପ୍ରଶାସନ ଗୁରୁତ୍ବ ଦେଉନାହିଁ।

ପରିସରରେ ୨୦୧୮ରୁ ନିର୍ମିତ ଆକ୍ୟୁପ୍ରେସର ପାଦଚଲା ରାସ୍ତାଟିଏ ୬.୭ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିଲା। ମାତ୍ର ସେଥିରେ ଊଇ ଚରିଗଲେଣି। କିଛି ଗଛରେ ବି ଊଇ ମାଡ଼ିଗଲେଣି। ମୁକ୍ତାକାଶ ବ୍ୟାୟାମଶାଳା ଏହା ମଧ୍ୟକୁ ଅନେକଙ୍କୁ ଆକୃଷ୍ଟ କରୁଛି। ମାତ୍ର ଏହା ମଧ୍ୟରେ ବହୁ ବ୍ୟାୟାମ ଉପକରଣ ଥିଲେ ହେଁ ସେସବୁ ‌କିପରି ବ୍ୟବହାର କରାଯିବ ସେ ସମ୍ପର୍କରେ ସୂଚନା ଫଳକଟିଏ ମଧ୍ୟ ଲଗାଯାଇନାହିଁ। ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଖେଳ-ଜୋନ୍‌ରେ ପରିସରରେ ଥିବା କିଛି ପ୍ରତିମୂର୍ତି ଧ୍ୟ ଭାଙ୍ଗିରୁଜି ଗଲାଣି। ପରିସରରେ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଇ-ଟଏଲେଟ୍‌ ଅନେକ ଦିନ ହେଲା ଖରାପ ହୋଇଯାଇଥିଲେ ହେଁ ‌ତାକୁ ସଜାଡ଼ିବାକୁ ପ୍ରଶାସନ ଗୁରୁତ୍ବ ଦେଉନାହିଁ।

ସମ୍ବନ୍ଧିତ ଖବର