ଅସନ୍ତୋଷ ସୃଜନଶୀଳତାକୁ ପ୍ରେରଣା ଦିଏ: ବିଜୟ ମିଶ୍ର

ଓଡ଼ିଆ ଚଳଚ୍ଚିତ୍ର ଓ ନାଟ୍ୟ ଜଗତରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ିଥିବା ପରଦା ପଛର ନାୟକ ବିଜୟ ମିଶ୍ର। ଜଣେ ନାଟ୍ୟକାର, ସଂଳାପକାର ଓ ଚିତ୍ରନାଟ୍ୟ ଲେଖକ ଭାବେ ସେ ବହୁ ସଫଳତାର ଅଧିକାରୀ ହୋଇପାରିଛନ୍ତି। ତାଙ୍କର ଏହି ସଫଳତାର ଅଧ୍ୟାୟରେ ଖୁବ୍‌ଶୀଘ୍ର ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ତାହା ହେଲା ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଶ୍ରୀଜୟଦେବ ସମ୍ମାନ’। ମାତ୍ର ୨୧ବର୍ଷ ବୟସରେ ସେ ପ୍ରଥମେ ଭେଟି ଦେଇଥିଲେ ନାଟକ ‘ଜନନୀ’। ୧୯୭୧ ମସିହାରେ ଦର୍ଶକଙ୍କୁ ଭେଟି ଦେଇଥିଲେ ପ୍ରଥମ ଚଳଚ୍ଚିତ୍ର ‘ଯାଯାବର’। ଓଡ଼ିଶା ସାହିତ୍ୟ ଏକାଡେମି ସମ୍ମାନ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ସମ୍ମାନ ଓ କୋଣାର୍କ ସମ୍ମାନ ଆଦି ବହୁ ମର୍ଯ୍ୟାଦାଜନକ ପୁରସ୍କାର ସେ ପାଇଛନ୍ତି। ଏହି ଲମ୍ବା ସଫଳ ଯାତ୍ରାର ଅନୁଭୂତି ସମ୍ପର୍କରେ ଜାଣିବା ପାଇଁ ଆଜି ତାଙ୍କୁ ‘ସମ୍ବାଦ’ ପକ୍ଷରୁ ସାକ୍ଷାତ କରିଥିଲେ ସସ୍ମିତା ସାହୁ।

ଦୀର୍ଘ ୬ ଦଶନ୍ଧିର ଯାତ୍ରା କେମିତି ଥିଲା?
– ଜଣେ ଭଲ ଲେଖକକୁ ପ୍ରଥମେ ଭଲ ପାଠକ ହେବାକୁ ପଡ଼ିବ। ଏ ବିଶ୍ବାସ ମୋର ଥାଏ। ପ୍ରଥମେ କିଛି କାହାଣୀ ମୋ ମୁଣ୍ଡକୁ ପଶିଲେ, ତାହା ମୋତେ ଦୁନିଆର ଶ୍ରେଷ୍ଠ କାହାଣୀ ଭଳି ଅନୁଭବ ହୁଏ। କାହାଣୀ ଲେଖା ସରିବା ସହ ଧୀରେ ଧୀରେ ମୋ ଭିତରର ଉତ୍ସାହ ଓ ଆଗ୍ରହ ମରି ମରିଯାଏ ଓ ସେ କାହାଣୀ ଆଉ ମତେ ପସନ୍ଦ ଆସେ ନାହିଁ। ତା’ଠାରୁ ଆଉ ଏକ ଭଲ କାହାଣୀ ଲେଖିବା ଉଦ୍ଦେଶ୍ୟରେ ପୁଣି ମୋର ଶତ ପ୍ରତିଶତ ଦିଏ। ଏଭଳି ଭାବେ କେତେବେଳେ ମୋର ୬୦ ବର୍ଷ ବିତିଗଲା ଓ ଏତେ କିଛି ଲେଖିପକାଇଲି ଜାଣିପାରିଲି ନାହିଁ।

ଚଳଚ୍ଚିତ୍ରରୁ ସନ୍ନ୍ୟାସ ନେଇଗଲେ କାହିଁକି?
– ୨୦୦୧ରେ ମୁକ୍ତିଲାଭ କରିଥିବା ‘ମୋ କୋଳ ତୋ ଝୁଲଣା’ ଚଳଚ୍ଚିତ୍ର ଥିଲା ମୋର ଶେଷ ଚଳଚ୍ଚିତ୍ର। ୨୦୦୦ ମସିହା ଆଡ଼କୁ ଓଡ଼ିଆ ଚଳଚ୍ଚିତ୍ରରେ କପିକ୍ୟାଟ୍‌ ଓ ଡବିଂର ପରମ୍ପରା ବେଶ୍‌ ପ୍ରଭାବ ପକାଇବାରେ ଲାଗିଲା। ଅଲଗା ଭାଷାଭାଷୀ ଚଳଚ୍ଚିତ୍ରରୁ ଓଡ଼ିଆ ଚଳଚ୍ଚିତ୍ରର ନକଲ କରିବା ଧନ୍ଦା ସହ ମୁଁ ଖାପଖୁଆଇ ପାରିଲି ନାହିଁ। ଏଣୁ ବାଧ୍ୟ ହୋଇ ଚଳଚ୍ଚିତ୍ର କାହାଣୀ ଲେଖିବା ବନ୍ଦ କରିଦେଲି।

ଡବିଂ ପରମ୍ପରାର ବନ୍ଦ ପାଇଁ ଉଦ୍ୟମ କରିଛନ୍ତି କି?
– ଉଦ୍ୟମ ତ’ ବହୁତ କରିଛି। କିନ୍ତୁ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସହଯୋଗ ପାଇନି। ଗୋଟିଏ ନୂଆ କାହାଣୀ ଲେଖିବାକୁ ଅତି କମ୍‌ରେ ୩ ମାସ ସମୟ ଦରକାର। ଏଥିପାଇଁ ଅନେକ ଗବେଷଣା ସହ ଦର୍ଶକଙ୍କ ଚାହିଦାକୁ ବି ନଜର ଦେବାକୁ ପଡ଼େ। କିନ୍ତୁ ଏଠି ସମସ୍ତେ ଶସ୍ତା ଓ ଶୀଘ୍ର ମନୋଭାବରେ ଥା’ନ୍ତି। ବାହାର ଚଳଚ୍ଚିତ୍ର ଡବିଂ କଲେ ୧୫ ଦିନରେ କାହାଣୀ ପ୍ରସ୍ତୁତ। ନୂଆ କାହାଣୀ ପାଇଁ କିଏ କାହିଁକି ଏତେ ସମୟ ବର୍‌ବାଦ୍‌ କରିବାକୁ ଚାହିଁବ?

ଓଡ଼ିଆ ଚଳଚ୍ଚିତ୍ରରୁ ଏବେ ଦର୍ଶକ ବିମୁଖ କାହିଁକି?
– ନୂତନତ୍ବ ଓ ଓଡ଼ିଆତ୍ବର ଅଭାବ ରହିଛି। ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସମସ୍ତଙ୍କ ମଧ୍ୟରେ ବୃତ୍ତିଗତ ମନୋଭାବ ଓ ସଂପୃକ୍ତିର ଘୋର ଅଭାବ ଚଳଚ୍ଚିତ୍ର ଜଗତକୁ ରସାତଳଗାମୀ କଲାଣି।

ଏଭଳି ପରିସ୍ଥିତିରେ ଓଡ଼ିଆ ଚଳଚ୍ଚିତ୍ରର ମାର୍ଗଦର୍ଶକ କିଏ ସାଜିବ?
– ଭିନ୍ନ ଭିନ୍ନ ସ୍ବାଦ ଓ ବିଷୟବସ୍ତୁକୁ ନେଇ ୫ଟି ଚଳଚ୍ଚିତ୍ର ନିର୍ମାଣ କରାଯାଉ। ଦର୍ଶକ ସେ ସବୁକୁ ଦେଖନ୍ତୁ ଓ ଚୟନ କରନ୍ତୁ।

ସେତେବେ‌ଳର ଓ ଏବେର ଚଳଚ୍ଚିତ୍ର ମଧ୍ୟରେ କ’ଣ ପାର୍ଥକ୍ୟ ଦେଖୁଛନ୍ତି?
– ବର୍ତ୍ତମାନର ବୈଷୟିକ ଜ୍ଞାନକୌଶଳ ଓ ବଜେଟ ଦୃଷ୍ଟିରୁ ଓଡ଼ିଆ ଚଳଚ୍ଚିତ୍ର ବେଶ୍‌ ଉନ୍ନତି କରିଛି। କିନ୍ତୁ ସେତେବେଳର ଚଳଚ୍ଚିତ୍ର ଭଳି ଏବେକାର ଚଳଚ୍ଚିତ୍ର କାହାଣୀରେ ଆଉ ଗଭୀରତା ନାହିଁ। ଦର୍ଶକଙ୍କୁ ଏହା ଆଉ ଭେଦି ପାରୁନି। କାହାଣୀରେ ନିଜତ୍ବ ନାହିଁ କି ଓଡ଼ିଆପଣ ବି ନାହିଁ।

‘ଯାଯାବର’ର କିଛି ବ୍ୟକ୍ତିଗତ ଅନୁଭୂତି ବିଷୟରେ କହିବେ?
– ‘ଯାଯାବର’ ଚଳଚ୍ଚିତ୍ରରେ ମୁଁ, ଅକ୍ଷୟ ମହାନ୍ତି ଓ ହେମନ୍ତ ଦାସ ଏକାଠି କାମ କରିଥିଲୁ। ଚଳଚ୍ଚିତ୍ର ପୂର୍ବରୁ ଅକ୍ଷୟ ଓ ମୁଁ ବସି ଦିନେ କଥା ହେଉଥିବା ବେଳେ ମୁଁ କହିଲି, ଆମେ ତିନି ଜଣ ବହୁତ ଆତ୍ମକୈନ୍ଦ୍ରିକ। ଏଣୁ ଚଳଚ୍ଚିତ୍ର ନିର୍ମାଣ ସମୟରେ ଆମ ମଧ୍ୟରେ ତିକ୍ତତା ଆସିପାରେ ଓ ଚଳଚ୍ଚିତ୍ର ନିର୍ମାଣରେ ଅସୁବିଧା ହୋଇପାରେ। ସେତେବେଳେ ଅକ୍ଷୟ କହିଥିଲେ, ନା’ ଆମେ ସମସ୍ତେ ନିଜ ନିଜ କାମ ବାଣ୍ଟିନେବା। ନିଜ କାମରେ ଅଧିକ ଧ୍ୟାନ ଦେବା ସହ ନିଜର ଶତପ୍ରତିଶତ ଦେବା। ‌ତାହା ହିଁ ଆମେ କଲୁ। ‌ଚଳଚ୍ଚିତ୍ର ଭଲରେ ନିର୍ଦ୍ଧାରିତ ସମୟରେ ସରିବା ସହ ହିଟ୍‌ ବି ହୋଇଥିଲା।

ପୁରସ୍କାର ରାଶି କଳାକାରମାନଙ୍କ ପାଇଁ କମ୍‌ ନୁହେଁ କି?
– ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କଳାକାରଙ୍କୁ ପ୍ରୋତ୍ସାହିତ କରିବ ସତ। କିନ୍ତୁ ପୁରସ୍କାର ରାଶି ନୁହେଁ। ନିହାତି ଭାବେ ଏହା ଖୁବ୍‌ କମ୍। ନା ଏହା ଘୋଡ଼ାଇ ହେବା ପାଇଁ ନା ବିଛାଇବା ପାଇଁ। ସରକାର ଏ‌ ଦିଗରେ ଦୃଷ୍ଟି ଦେବା ଦରକାର।

ଆପଣଙ୍କୁ ପୁରସ୍କୃତ କରିବାରେ ସରକାର ବିଳମ୍ବ କରିଦେଲେ କି?
– ସମସ୍ତଙ୍କ ପାଇଁ ଯୋଗ୍ୟ ବ୍ୟକ୍ତି ସମାନ ନୁହନ୍ତି। ଯେତେବେଳେ ମୁଁ ଯୋଗ୍ୟ ବୋଲି ଅନୁଭବ କଲେ ସେତେବେଳେ ସମ୍ମାନିତ କଲେ। ସେମିତିରେ ଜୀବନରେ ଅସନ୍ତୋଷ ଜରୁରୀ। ଅସନ୍ତୋଷ ହିଁ ସୃଜନଶୀଳତାକୁ ପ୍ରେରଣା ଦିଏ।

ସମ୍ବନ୍ଧିତ ଖବର