ଭୁବନେଶ୍ବର: ଚଳଚ୍ଚିତ୍ର ରାଇଜର ମର୍ଯ୍ୟାଦାଜନକ ପୁରସ୍କାର ଜୟଦେବ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଚଳଚ୍ଚିତ୍ର ଓ ନାଟ୍ୟ ଜଗତର ଶିଖର ପୁରୁଷ ଡ. ବିଜୟ ମିଶ୍ର। ରଚନା, ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦେଶନାରେ ୫୯ ବର୍ଷର ସାଧନାର ଫଳଶ୍ରୁତି ସ୍ବରୂପ ତାଙ୍କୁ ମିଳିଛି ଏହି ସମ୍ମାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ସହଯୋଗରେ ଉତ୍କଳ ମଣ୍ଡପରେ ଆୟୋଜିତ ୩୦ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ତାଙ୍କୁ ସମ୍ବର୍ଧିତ କରାଯାଇଛି।

Advertisment

ଏଥିସହ ‘ଭିଜା ମାଟିର ସ୍ବର୍ଗ’କୁ ଏଥର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ’ ପୁରସ୍କାର ପ୍ରଦାନ କରାଯାଇଛି। ୫୦ହଜାର ଟଙ୍କାର ଅର୍ଥରାଶି ସହ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ‘ଭିଜା ମାଟିର ସ୍ବର୍ଗ’ର ନିର୍ଦେଶକ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦେଶକ ଏବଂ ଏହାର ଅଭିନେତା ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରାଯାଇଛି। ‘ଚମ୍ପିଆନ୍‌’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତବର୍ଷ ‘ଫେରିଆ କମ୍‌ବ୍ୟାକ୍‌’କୁ ୮ଟି ପୁରସ୍କାର ମିଳିଥିବା ବେଳେ ‘ଭିଜା ମାଟିର ସ୍ବର୍ଗ’ ୬ଟି ବର୍ଗରେ ପୁରସ୍କାର ହାତେଇଛି। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ତଥା ଚଳଚ୍ଚିତ୍ର ଜୁରି କମିଟି ଅଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର ସମ୍ମାନ ପ୍ରଦାନ ଉତ୍ସବରେ ବକ୍ତବ୍ୟ ରଖି କହିଲେ, ଦର୍ଶକମାନେ ଆଉ ସିନେମା ହଲ୍‌କୁ ଆସୁ ନାହାନ୍ତି। ଦିନେ ବଙ୍ଗଳା ଓ ମରାଠି ଚଳଚ୍ଚିତ୍ରର ଅବସ୍ଥା ମଧ୍ୟ ସେହିପରି ଥିଲା। ମରାଠି ଚଳଚ୍ଚିତ୍ର ବି ବହୁ ପରିମାଣରେ କପି ହେଉଥିଲା। ମାତ୍ର ସେଠାରେ ସରକାରୀ ପ୍ରୋତ୍ସାହନ ଯୋଗୁଁ ଚଳଚ୍ଚିତ୍ର ଶିଳ୍ପ ପୁଣି ଅଣ୍ଟା ସଳଖି ଛିଡ଼ା ହେଲା। ତେଣୁ ସରକାର ଚଳଚ୍ଚିତ୍ର ନିର୍ମାଣ‌ ପାଇଁ ପ୍ରୋତ୍ସାହନ ଦେବା ଯେତିକି ଆବଶ୍ୟକ, ପ୍ରଯୋଜକମାନେ ଚଳଚ୍ଚିତ୍ର ନିର୍ମାଣର ଧାରା ପରିବର୍ତନ କରିବା ସେତିକି ଆବଶ୍ୟକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟକ ଭାବେ ଯୋଗଦେଇ କହିଲେ, ଚଳଚ୍ଚିତ୍ର ଶିଳ୍ପକୁ ପର୍ଯ୍ୟଟନ ସହ ଯୋଡ଼ା ଯାଇଛି। ‘ଓଡ଼ିଶାକୁ ଚଳଚ୍ଚିତ୍ର ପର୍ଯ୍ୟଟନସ୍ଥଳୀ’ ଭାବେ ଉପସ୍ଥାପିତ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଚାଲିଛି। ତେବେ ସିନେ ନିର୍ମାତା ନୂଆ ଦିଗର ଅନୁସନ୍ଧାନ କରିବା ଆବଶ୍ୟକ। ଓଡ଼ିଆ କ୍ଲାସିକ୍‌, ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଓ ସ୍ମରଣୀୟ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ ବୋଲି ସେ କହିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଲେ, ଭାରତୀୟ ଅର୍ଥନୀତିରେ ଚଳଚ୍ଚିତ୍ରର ଅବଦାନ ରହିଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ସ୍ବତନ୍ତ୍ର ଶାସନ ସଚିବ ଡ. ରାମକୃଷ୍ଣ ସାହୁ, ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଜୁରି ସଦସ୍ୟ ସିନେମାଟୋଗ୍ରାଫର୍‌ ଶ୍ରୀନିବାସ ମହାପାତ୍ର, ଅଭିନେତା ତଥା ନିର୍ଦେଶକ ଅଜିତ ଦାସ, ଗୀତିକାର ବୃନ୍ଦାବନ ଜେନା, ସଙ୍ଗୀତ ନିର୍ଦେଶକ ଓମ୍‌ପ୍ରକାଶ ମହାନ୍ତି, ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ ଓ ନାଟ୍ୟ ନିର୍ଦେଶକ ସୁବୋଧ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।