ବାଇକ୍‌କୁ ପିଟିଲା ଟ୍ରଲର୍‌ ଜଣେ ମୃତ, ୨ ଗୁରୁତର

ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳାରେ ଘଟିଥିବା ଏକ ଦୁଘର୍ଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଓରକଳ ଗାଁର ବିଶ୍ବମ୍ବର ସେନାପତିଙ୍କ ପୁଅ ଗୋବିନ୍ଦ(୪୦)। ଏକ ଟ୍ରଲର୍‌ ଧକ୍କାରେ ତାଙ୍କ ମୃତ୍ୟୁ ଘଟିଛି। ଯାଁଳା ଫାଣ୍ଡି ପୁଲିସ ଆଜି ମୃତଦେହକୁ ଭୁବନେଶ୍ବର ଏମ୍‌ସରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁସାରେ ଗୋବିନ୍ଦ ଯାଁଳା ଶିଳ୍ପାଞ୍ଚଳସ୍ଥିତ ଏକ ରାଇସ୍ ମିଲ୍‌ରେ ଟ୍ରକ୍‌ ଚାଳକଭାବେ କାମ କରନ୍ତି। ଗତକାଲି ରାତିରେ ସେ ମା’ ବାଟ ଭୁଆସୁଣୀ ବଜାରସ୍ଥିତ ଏକ ଢାବାକୁ ଖାଇବାକୁ ଯାଇଥିଲେ। ସେ ଖାଇ ସାରି ମିଲ୍‌କୁ ଫେରୁଥିବାବେଳେ ଉକ୍ତ ମିଲ୍‌ରେ କାମ କରୁଥିବା ଅନ୍ୟ ଦୁଇ ଟ୍ରକ୍‌ ଚାଳକ କାହ୍ନା ଓ ଧରଣୀଙ୍କ ସହ ରାଜପଥର ଭୁଆସୁଣୀ କଟ୍‌ରେ ଦେଖା ହୋଇଥିଲା। ସେମାନେ ସେଠାରେ କିଛି ସମୟ ପାଇଁ ଠିଆ ହୋଇ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଖୋର୍ଧାରୁ ଭୁବନେଶ୍ବର ଦିଗରେ ଯାଉଥିବା ଏକ ଦ୍ରୁତଗାମୀ ଆନ୍ଧ୍ର ଟ୍ରଲର୍ (ଏପି୦୪ଏକ୍ସ-୯୩୦୦) ଭାରସାମ୍ୟ ହରାଇ ସେମାନଙ୍କ ଆଡ଼କୁ ମାଡ଼ି ଯାଇଥିଲା। ଫଳରେ ଗୋବିନ୍ଦଙ୍କ ଉପରେ ଟ୍ରଲର୍ ମାଡ଼ି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର