ବାଇକ୍‌ ଧକ୍କାରୁ ଛାତ୍ର ଓ ପୁଲିସ ମୁହାଁମୁହିଁ

ପୁରୁଣା ଭୁବନେଶ୍ୱର : ଏୟାରଫିଲ୍‌ଡ ଥାନା ଅଧୀନ ଏକାମ୍ର କଲେଜ ନିକଟରେ ଜଣେ କଲେଜ ଛାତ୍ର ଓ ଜଣେ ପୁଲିସ କର୍ମଚାରୀଙ୍କ ମଧ୍ୟରେ ବାଇକ୍‌ ଧକ୍କାରୁ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ କର୍ମଚାରୀଜଣଙ୍କ ଛାତ୍ରଙ୍କୁ ମାଡ଼ ମାରିଥିବା ଛାତ୍ର ସଂସଦ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ କିଛି ଛାତ୍ର ଥାନା ଆଗରେ ପ୍ରତିବାଦ କରିଥିଲେ।

ସୂଚନା ଅନୁଯାୟୀ, ଏକାମ୍ର କଲେଜର +୨ ଛାତ୍ର ଶ୍ରୀକାନ୍ତ ପ୍ରଧାନ ଏକ ବାଇକ୍‌ରେ କଲେଜ ଯାଉଥିଲେ। ଏହି ସମୟରେ ଏୟାରଫିଲ୍‌ଡ ଥାନାର ଜଣେ କର୍ମଚାରୀ ଶ୍ରୀକାନ୍ତଙ୍କ ଆଗରେ ବାଇକ୍‌ ନେଇ ଯାଉଥିବା ବେଳେ ହଠାଥ୍‌ ୟୁ ଟର୍ଣ୍ଣ କରିଥିଲେ। ଫଳରେ ଭାରସାମ୍ୟ ହରାଇ ସେ ଶ୍ରୀକାନ୍ତଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ଶ୍ରୀକାନ୍ତ ଏ ସଂପର୍କରେ ପଚାରିବାରୁ ପୁଲିସ କର୍ମଚାରୀ ଜଣକ ତାଙ୍କ ସହ ଯୁକ୍ତିତର୍କ କରିବା ସହ ଏକ ଚାବି ରିଙ୍ଗ୍‌ ଧରି ମାଡ଼ ମାରିଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଖବର ପାଇ କିଛି ଛାତ୍ର ଘଟଣାସ୍ଥଳରେ ପହଞ୍ଚିଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଯୁବନେତା ବାଉନ ନନ୍ଦ ଓ ଅନ୍ୟମାନେ ବୁଝାସୁଝା କରିବା ପରେ ପରିସ୍ଥିତି ସୁଧୁରିଥିଲା। ଏହାପରେ ପୁଲିସ କର୍ମଚାରୀ ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଛାତ୍ର ସଂସଦ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସଂସଦର ସଭାପତି ଓଁକାର ଆଚାର୍ଯ୍ୟଙ୍କ ନେତୃତ୍ଵରେ ଥାନା ଆଗରେ ପ୍ରତିବାଦ କରାଯାଇଥିଲା। ଏହାର ସମାଧାନ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର