ଖଣ୍ଡଗିରି: ସବୁ ସଂକ୍ରାନ୍ତି ଭଳି ଗୁରୁବାର ମୀନ ସଂକ୍ରାନ୍ତିରେ ସ୍ୱାମୀ-ସ୍ତ୍ରୀ ଭୁବନେଶ୍ୱରରୁ ବାହାରିଥିଲେ ଖୋର୍ଧା କାଇପଦର ନିକଟ ଗୋଡ଼ା ଲୋକନାଥଙ୍କ ଦର୍ଶନ ପାଇଁ। ସାଙ୍ଗରେ ଥିଲା ଦେଢ଼ ବର୍ଷର ଶିଶୁକନ୍ୟା। ବଡ଼ ଖୁସିରେ ବାହାରି ପଡ଼ିଥିଲେ ଘରୁ। ମାତ୍ର ଅଧା ବାଟରେ ଘଟିଗଲା ହୃଦୟ ବିଦାରକ ଅଘଟଣ। ଏକ ଛୋଟିଆ ସଡ଼କ ଦୁର୍ଘଟଣାରେ ଶିଶୁକନ୍ୟାଟିର ମୃତ୍ୟୁ ଘଟିଲା। ଶିବ ଦର୍ଶନ ପାଇଁ ଯାଉଥିବା ବାପାମା ଶିଶୁକନ୍ୟାର ଶବ ଧରି ଗାଁକୁ ଫେରିଥିଲେ। ଏମିତି ଏକ ଅଘଟଣ ଆଜି ଯାଁଳା ଗଙ୍ଗପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଭୁବନେଶ୍ୱରରେ ରହୁଥିବା ଖୋର୍ଧା ଜିଲ୍ଲା ବେଗୁନିଆ ଥାନା ପରିଛଳ ଗାଁର ଆଲୋକ ସାହୁ ଓ ତାଙ୍କ ସ୍ତ୍ରୀ ଆଜି ଶିଶୁକନ୍ୟା ଆଦ୍ୟାଶା ପ୍ରିୟଦର୍ଶିନୀଙ୍କୁ ସାଙ୍ଗରେ ଧରି ଖୋର୍ଧା ଗୋଡ଼ା ଲୋକନାଥଙ୍କ ଦର୍ଶନ ପାଇଁ ଯାଉଥିଲେ। ସବୁ ସଂକ୍ରାନ୍ତିରେ ସ୍ୱାମୀ-ସ୍ତ୍ରୀ ଗୋଡ଼ା ଯାଇ ଲୋକନାଥଙ୍କୁ ଦର୍ଶନ କରନ୍ତି। ସେମାନେ ତଳଖେତା ଛକ ପାର୍ ହୋଇ ଗଙ୍ଗପଡ଼ା ଛକ ପୁର୍ବରୁ ଜାତୀୟ ରାଜପଥ କଡ଼ରେ ଏକ ସ୍ଥାନରେ ବାଇକ୍(ଓଡି୩୩-୦୮୬୭) ରଖି ଅଟକି ଥିଲେ। କିଛି ସମୟ ପରେ ପୁଣି ଆଲୋକ ବାଇକ୍ ଷ୍ଟାର୍ଟ କରି ବାହାରିଥିଲେ। ଫୁଟ୍ପାଥ୍ରୁ ବାଇକ୍କୁ ଉଠାଇବାବେଳେ ପଛରୁ ଆସୁଥିବା ଏକ ଅଟୋ (ଓଆର୍୦୨ଏୟୁ-୮୪୯୦)ବାଇକ୍କୁ ପିଟିଥିଲା। ଫଳରେ ବାଇକ୍ ସହ ଆଲୋକ ତାଙ୍କ ସ୍ତ୍ରୀ ଓ ଆଦ୍ୟାଶା ତଳେ ପଡ଼ି ଯାଇଥିଲେ। ଆଲୋକ ଓ ତାଙ୍କ ସ୍ତ୍ରୀଙ୍କର କିଛି ବଡ଼ ଧରଣର କ୍ଷତି ହୋଇ ନଥିଲା। କିନ୍ତୁ ଆଦ୍ୟାଶାର ମୁଣ୍ଡ ପଛ ଫାଟି ଯାଇଥିଲା। ତୁରନ୍ତ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନେ ଝିଅକୁ ନେଇ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ମାତ୍ର ସେତେବେଳକୁ ଆଦ୍ୟାଶା ଆଉ ନଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଦୁର୍ଘଟଣା ଘଟାଇଥିବା ଅଟୋ ଚାଳକକୁ ଅଟକ ରଖିବା ସହ ଅଟୋକୁ ଜବତ କରିଥିଲା। ପରେ ପୁଲିସ ଖୋର୍ଧା ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଇ ବାପାମାଙ୍କୁ ହସ୍ତାନ୍ତର କରିଥିଲା।
ବାଇକ୍କୁ ପିଟିଲା ଅଟୋ, ଶିଶୁକନ୍ୟା ମୃତ
ଶିବ ଦର୍ଶନ ନୋହିଲା, ଶବ ନେଇ ଫେରିଲେ
/sambad/media/post_attachments/wp-content/uploads/2018/03/ARJUN-ACCIDENT-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)