ଭୁବନେଶ୍ବର : ଆପଣଙ୍କ ବାଇକ ସାଇଲେନ୍ସରୁ ବିକଟାଳ ଶବ୍ଦ ବାହାରୁଛି କି? କିମ୍ବା ବୁଲେଟ୍‌ରୁ ଫାୟାରିଂ ଶବ୍ଦ ବାହାର କରୁଛନ୍ତି କି? ତେବେ ହୁସିଆର। ଆପଣଙ୍କୁ ଯେ କୌଣସି ଛକରେ ଟ୍ରାଫିକ ପୁଲିସ ମାଡ଼ି ବସି ପାରେ। ଜରିମାନା ତ ଦେବେ, ତା ସହିତ ଆପଣଙ୍କ ବାଇକ ଓ ବୁ‌ଲେଟରୁ ସାଇଲେନ୍ସର ମଧ୍ୟ କାଢ଼ି ନେବେ। ଏପରିକି ଆପଣଙ୍କ ବାଇକ୍‌ ଓ ବୁଲେଟକୁ ଜବତ କରି ଥାନାରେ ରଖିବେ, ଯେ ପର୍ଯ୍ୟନ୍ତ ଆପଣ ଟ୍ରାଫିକ ପୁଲିସ ସମ୍ମୁଖରେ ନିଜ ଗାଡିରେ ନୂଆ ଓ ଠିକ ମାନ ଥିବା ସାଇଲେଇନ୍ସର ନ ଲଗାଇଛନ୍ତି। ଆଜିଠାରୁ କମିସନରଟ ପୁଲିସ ବିକଟାଳ ଶବ୍ଦ କରୁଥିବା ବାଇକ୍‌ ଓ ବୁଲେଟ୍‌ଗୁଡିକ ଉପରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଏକାସାଙ୍ଗରେ ରାଜଧାନୀର ୭ଟି ଛକରେ ଟ୍ରାଫିକ ପୁଲିସ ଜଗି ରହି, ଶତାଧିକ ବୁଲେଟ୍‌ ଓ ବାଇକ୍‌ ଯାଞ୍ଚ କରିଥିଲା। ଏଥିମଧ୍ୟରୁ ୨୮ଟି ବୁଲେଟ୍‌ରେ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍ସର ଲାଗିଥିଲା, ସେହିପରି ଫାୟାରିଂ ଶବ୍ଦ କରୁଥିବା ଯନ୍ତ୍ର ମଧ୍ୟ ଖଞ୍ଜା ଯାଇଥିଲା। ସମସ୍ତ ବୁଲେଟକୁ ଏଜି ଛକରେ ଥିବା ଟ୍ରାଫିକ ଥାନାକୁ ଅଣାଯାଇ ସାଇଲେନ୍ସର ଖୋଲି ଦିଆଯାଇଥିଲା। ପ୍ରତ୍ୟେକଙ୍କଠାରୁ ୫ଶହ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଆଦାୟ କରାଯାଇଛି। ବୁଲେଟ୍‌ ମାଲିକମାନଙ୍କୁ କୁହଯାଇଛି ନୂଆ ସାଇଲେଇନ୍ସର ଲଗାଇବା ପରେ ବୁଲେଟ୍‌ ହସ୍ତାନ୍ତର କରାଯିବ। ଟ୍ରାଫିକ ପୁଲିସ ପକ୍ଷରୁ ବାଇକ୍‌ ଓ ବୁଲେଟ୍‌ ଉପରେ ଏଭଳି ଯାଞ୍ଚକୁ ନେଇ ରାଜଧାନୀର ଯୁବପିଢ଼ିଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି।

Advertisment

ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ପୂର୍ବରୁ ଏଭଳି ଚଢ଼ଉ କରାଯାଉଥିଲା। ଆଗାମୀ ଦିନରେ ଚଢ଼ଉ ଆହୁରି ଜୋରଦାର ହେବ। କେହି ବି ଉଚ୍ଚଶବ୍ଦ ଯୁକ୍ତ ସାଇଲେନ୍ସର ବାଇକ୍‌ରେ ଲଗାଇ ପାରିବେ ନାହିଁ।

ଏବେ ରାଜଧାନୀରେ କେତେକ ବାଇକ୍‌ ଚାଳକ ନିଜ ବାଇକ୍‌ରେ ବିକଟାଳ ସାଇଲେନ୍ସର ଲଗାଉଛନ୍ତି। କେବଳ ସାଇଲେନ୍ସର କାହିଁକି ହର୍ଣ୍ଣ ମଧ୍ୟ ଲଗାଉଛନ୍ତି। ଏହି ସବୁ ସାଇଲେନ୍ସର ଓ ହର୍ଣ୍ଣରୁ ଅତ୍ୟନ୍ତ କଦର୍ଯ୍ୟ ଶବ୍ଦ ବାହାରୁଛି। ଏପରିକି କେତେକ ବୁଲେଟ୍‌ରୁ ଗୁଳିର ଶବ୍ଦ ବାହାରୁଛି। ଆପଣଙ୍କୁ ଯେମିତି ଲାଗିବ କେହି ବାଣ ଫୁଟାଇଲା ନ ହେଲେ ବନ୍ଧୁକରୁ ଫାୟାରିଂ କଲା। ସାଇଲେନ୍ସରୁ ବାହାରୁଥିବା ଏଭଳି ଶବ୍ଦ ଶୁଣି ଆପଣ ଚମକି ପଡ଼ିବେ, ଭୟଭୀତ ହୋଇ ଯିବେ। ଭାରସାମ୍ୟ ହରାଇ ଦୁର୍ଘଟଣା ମଧ୍ୟ ଘଟାଇ ପାରନ୍ତି। ବେଳକୁ ବେଳ ଏଭଳି ଉଚ୍ଚ ଶବ୍ଦ ଯୁକ୍ତ ସାଇଲେନ୍ସର ଓ ହର୍ଣ୍ଣ ବାଜୁଥିଲେ ମଧ୍ୟ କମିସନରେଟ ପୁଲିସ ପକ୍ଷରୁ ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା। ଏ ସଂକ୍ରାନ୍ତରେ ଏକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କମିସନରେଟ ପୁଲିସ ତତ୍ପରତା ପ୍ରକାଶ କରିଥିଲା। ପୁଲିସ କମିସନର ଶ୍ରୀ ମହାନ୍ତିଙ୍କ ନିର୍ଦେଶ କ୍ରମେ ଟ୍ରାଫିକ ଏସିପି କିଶୋରଚନ୍ଦ୍ର ପାଣିଗ୍ରାହୀ ଓ ଇନ୍ସପେକ୍ଟର ପ୍ରମୋଦ ପଟ୍ଟନାୟକ ଦୁଇଟି ଟିମ୍‌ ଗଠନ କରିଥିଲେ। ଆଜି ସକାଳୁ ସକାଳୁ ଏକାସାଙ୍ଗରେ ଏଜିଛକ, ଶିଶୁଭବନ ଛକ, ରାଜମହଲ ଛକ, ସିଟି ଓମେନ୍ସ କଲେଜ ଛକ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ରସୁଲଗଡ଼, ରାମମନ୍ଦିର ଭଳି ଛକରେ ଯାଞ୍ଚ ଆରମ୍ଭ ହୋଇଥିଲା। ଏଥିରେ ପାଖାପାଖି ୧୨୫ଟି ବୁଲେଟକୁ ଚେକିଂ କରାଯାଇଥିଲା ବୋଲି ଟ୍ରାଫିକ ଏସିପି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।