ଗାଡ଼ି ଧକ୍କା କଲା, ବନ୍ଧୁକ ଦେଖାଇ ଡରାଇଲା

ବରିଷ୍ଠ ନାଗରିକ ଆହତ, ଜଣେ ଅଟକ

ଭୁବନେଶ୍ୱର : ଏକ ସାଇକେଲ୍‌ ସହ ବାଇକ୍‌ ଧକ୍କାକୁ ନେଇ କୋଳଥିଆ ବଜାର ବୁଧବାର ଦିନ ରଣକ୍ଷେତ୍ର ପାଲଟିଥିଲା। ଦୁର୍ଘଟଣା ଘଟାଇଥିବା ଯୁବକମାନେ ସ୍ଥାନୀୟ ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଯାହାକୁ ନେଇ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ଆହତ ଶରଧାପଲ୍ଲୀ ଅଞ୍ଚଳର ରାଜକିଶୋର ମହାନ୍ତି(୬୦)ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ସେହିପରି ସ୍ଥାନୀୟଲୋକ ଅଟକ ରଖିଥିବା ଜଣେ ଯୁବକଙ୍କୁ କାବୁ କରି ପୁଲିସ ଥାନାକୁ ଆଣିଥିଲା।

ସୂଚନା ମୁତାବକ, ବୁଧବାର ରାତି ପାଖାପାଖି ୭ଟା ସମୟରେ ରାଜକିଶୋର ସାଇକେଲ୍‌ରେ କୋଳଥିଆରୁ ଭରତପୁର ସ୍ଥିତ ଶରଧାପଲ୍ଲୀ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ବାଇକ୍‌ରେ ଦ୍ରୁତ ଗତିରେ ଆସୁଥିବା ଦୁଇ ଯୁବକ ଭାରସାମ୍ୟ ହରାଇ ରାଜକିଶୋରଙ୍କ ସାଇକେଲ୍‌କୁ ଧକ୍କା ଦେଇଥିଲେ। ରାଜକିଶୋର ସାଇକେଲ୍‌ ସହ କିଛିବାଟ ଘୋଷାଡ଼ି ହୋଇ ଡିଭାଇଡର୍‌ରେ ପିଟି ହୋଇ ଯିବାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ। ଦୁର୍ଘଟଣା ଦେଖି ଆଖପାଖରେ ଥିବା ଲୋକମାନେ ଦୌଡ଼ି ଆସି ରାଜକିଶୋରଙ୍କୁ ଉଦ୍ଧାର କରିଥିଲେ। ଆଉ ଯୁବକ ଦ୍ବୟଙ୍କୁ ଅଟକାଇଥିଲେ। ହେଲେ ଜଣେ ଯୁବକ ଅଣ୍ଟାରୁ ବନ୍ଧୁକ କାଢ଼ି ଲୋକଙ୍କୁ ଡରାଇଥିଲା ଏବଂ ଧସ୍ତାଧସ୍ତି କରି ବାଇକ୍‌ ନେଇ ଫେରାର୍‌ ହୋଇଯାଇଥିଲା। ହେଲେ କେତେକ ଲୋକ ସାହସ ବାନ୍ଧି ଜଣକୁ କାବୁ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରି ପରେ ସ୍ଥିତି ଆୟତ୍ତ ହୋଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାବଳେ ଫେରାର୍‌ ଯୁବକକୁ ଗିରଫ ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର