କୁଖ୍ୟାତ ବାଇକ୍‌ ଲୁଟେରା ଦାସିଆ, ଅଜିତ ଗିରଫ; ୯ ବାଇକ୍ ଜବତ, ୧୭ ଥର ଜେଲ୍‌ ଯାଇଛି

ଭୁବନେଶ୍ବର : ୨୦ରୁ ଅଧିକ ଚୋରି ମାମଲା ମୁଣ୍ଡାଇଥିବା ଓ ୧୭ ଥର ଜେଲ୍‌ ଯାଇଥିବା କୁଖ୍ୟାତ ବାଇକ୍‌ ଲୁଟେରା ଦାସିଆ ଦଳେଇ ପୁଣି ଗିରଫ ହୋଇଛି। ଖଣ୍ଡଗିରି ଥାନା‌ ପୁଲିସ ପଞ୍ଝାରେ ପଡ଼ିଥିବା ଦାସିଆଠାରୁ ଏଥର ୯ଟି ବାଇକ୍‌ ଜବତ କରାଯାଇଛି। ତେବେ ଏଥର ଦାସିଆ ସହ ତା’ର ସହଯୋଗୀ ନୟାଗଡ଼ ଚାନ୍ଦପୁର ଅଞ୍ଚଳର ଅଜିତ ଜେନାକୁ ମଧ୍ୟ ପୁଲିସ ଧରିଛି। ପ୍ରଥମେ ଦାସିଆକୁ ଡୁମୁଡୁମା ରଘୁନାଥନଗରରୁ ଉଠାଇବା ପ‌ରେ ପୁଲିସ ତା’ ସୂଚନା ଆଧାରରେ ଅଜିତ୍‌ର ଚାନ୍ଦପୁରସ୍ଥିତ ଘରେ ଚଢ଼ଉ କରି ତାକୁ ଗିରଫ କରିଛି। ଗୁରୁବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗତ ୧୭ତାରିଖ ଅପରାହ୍‌ଣରେ ଡୁମୁଡୁମା ପଞ୍ଚସଖାନଗର ବାସିନ୍ଦା ଚିତ୍ତରଂଜନ ଦାଶଙ୍କ ଘର ସାମ୍ନାରୁ ଏକ ସ୍କୁଟି ଚୋରି ହୋଇଥିଲା। ଏନେଇ ଶ୍ରୀ ଦାଶ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଡୁମୁଡୁମା ଅଞ୍ଚଳରୁ ଘନଘନ ବାଇକ୍‌ ଚୋରି ଅଭିଯୋଗ ଆସୁଥିବାରୁ ପୁଲିସ ଏହି ମାମଲାକୁ ଗୁରୁତ୍ବର ସହ ନେଇଥିଲା। କମିସନରେଟ୍‌ ପୁଲିସର ଟିମ୍-୬୦ ଓ ଖଣ୍ଡଗିରି ଥାନାର ପିଓପିଡି ଟିମ୍ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରି ପୁଲିସ ଏହା କୁଖ୍ୟାତ ଦାସିଆର କାଣ୍ଡ ବୋଲି ଜାଣିବାକୁ ପାଇଥିଲା। ତେଣୁ ପୁଲିସ ଟିମ୍‌ ଦାସିଆ ମିସନ ଆରମ୍ଭ କରିଥିଲା। ଗତକାଲି ରାତିରେ ଧୂର୍ତ୍ତ ଦାସିଆକୁ ରଘୁନାଥନଗରସ୍ଥିତ ଏକ ପରିତ୍ୟକ୍ତ ଘରୁ ‌ଶୋଇଥିବା ଅବସ୍ଥାରେ ପୁଲିସ ଠାବ କରିଥିଲା। ପରେ ଅଜିତକୁ ଗିରଫ କରାଗଲା। କବା‌ଡ଼ ଗୋଦାମରେ ବିକିବାକୁ ରଖିଥିବା ୯ଟି ବାଇକ୍‌ ପୁଲିସ ଜବତ କରିଥିଲା।

ପ୍ରେମିକା ଓ ଦେହଜୀବୀ ଖର୍ଚ୍ଚ ଉଠାଉଥିଲା
ମାତ୍ର ୧୨ ବର୍ଷ ବୟସରୁ ସାଇକେଲ ଚୋରି ଆରମ୍ଭ କରିଥିବା ଦାସିଆ ଏ ଭିତରେ କୁଖ୍ୟାତ ବାଇକ୍‌ ଲୁଟେରା ପାଲଟି ସାରିଛି। ତା’ ନାଁରେ ନୂଆପଲ୍ଲୀ, ଭରତପୁର, ଖଣ୍ଡଗିରି ଓ ତମାଣ୍ଡୋ ଥାନାରେ ୨୦ରୁ ଅଧିକ ଚୋରି ମାମଲା ରହିଛି। ୧୭ଥର ଜେଲ୍‌ ଯାଇଥିବା ଦାସିଆ ସବୁଥର ଜାମିନ୍‌ରେ ଆସିବା ପରେ ଅଭ୍ୟାସଗତ ଭାବେ ଚୋରି କରିଛି। ସେହିଭଳି ସହଯୋଗୀ ଅଜିତ ନାଁରେ ମଧ୍ୟ ନୟାଗଡ଼ ଓ ଖୋର୍ଦ୍ଧାର ଏକାଧିକ ଥାନାରେ ଡଜନେରୁ ଅଧିକ ଚୋରି ମାମଲା ରହିଛି। ଉଭୟେ ନିଜ ନିଜ ଅଞ୍ଚଳରୁ ବାଇକ୍‌ ଚୋରି କରିବା ପରେ କବାଡ଼ ଗୋଦାମରେ ଦେବାକୁ ଏକାଠି କରି ରଖୁଥିଲେ। ୮/୧୦ ବାଇକ୍‌ ହେଲେ କବାଡ଼ ଗୋଦାମରେ ପହଞ୍ଚାଉଥିଲେ। କିନ୍ତୁ ଜରୁରୀ ସମୟରେ ସେମାନେ କମ୍ ଦାମ୍‌ରେ ଗ୍ରାହକଙ୍କୁ ବିକି ଦେଉଥିଲେ। ଏମିତିକି ମାତ୍ର ୩ ଶହ ଟଙ୍କାରେ ଦାସିଆ ବାଇକ୍‌ ବିକିଥିବା ପୁଲିସକୁ କହିଛି। ନିଶା ଖର୍ଚ୍ଚ ସାଙ୍ଗକୁ ପ୍ରେମିକା ଓ ଦେହଜୀବୀ ଖର୍ଚ୍ଚ କରିବାକୁ ସେ ଏହି ଚୋରି କରୁଥିବା ସ୍ବୀକାର କରିଛି। ମିଛ କହି ଫସାଇଥିବା ପ୍ରେମିକାକୁ ଉପହାର ଦେବା ପାଇଁ ସେ ବାଇକ୍‌ ଚୋରି କରୁଥିଲା ବୋଲି ମାନିଛି। ସେହିଭଳି ଅଜିତ ସହ ମିଶି ହୋଟେଲରେ ଦେହଜୀବୀଙ୍କ ସହ ରାତି କାଟିବାକୁ ଦରକାର ଖର୍ଚ୍ଚ ସେ ଏହି ମାଧ୍ୟମରୁ ହିଁ ଉଠାଉଥିଲା ବୋଲି କହିଛି।

ସମ୍ବନ୍ଧିତ ଖବର