କମିସନରେଟ୍‌ ପୁଲିସ ପଞ୍ଝାରେ ବାଇକ୍‌ ଚୋରି ଗ୍ୟାଙ୍ଗ ମୁଖ୍ୟ

ବଟି ନ ଦେବାରୁ ମହିଳାଙ୍କୁ ଉଲଗ୍ନ କରି ଫଟୋ ଉଠାଇଲେ, ୫ ଦୁର୍ବୃତ୍ତଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ବର : କମିସନରେଟ୍‌ ପୁଲିସ ପଞ୍ଝାରେ ପଡ଼ିଛି ଏକ ବାଇକ୍‌ ଚୋରି ଗ୍ୟାଙ୍ଗ ମୁଖ୍ୟ। ରାଜଧାନୀରୁ ଦାମୀ ବାଇକ୍‌ ଉଠାଇ ନେଉଥିବା ଏହି ଗ୍ୟାଙ୍ଗ୍‌ର ସବୁ ସଦସ୍ୟଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଉଦ୍ୟମ ରଖିଥିବାରୁ ଗିରଫ ମାଷ୍ଟରମାଇଣ୍ଡ ବାବଦରେ ତଥ୍ୟ ଗୋପନ ରଖାଯାଇଛି। ସୂଚନାନୁସାରେ, ଗତ ୭ତାରିଖ ରାତିରେ ଚନ୍ଦ୍ରଶେଖରପୁର ବିଡିଏ କଲୋନି ଏମ୍ଆଇଜି କଲୋନିରୁ ସନ୍ତୋଷ ପାଣିଗ୍ରାହୀଙ୍କ ବାଇକ୍‌ ଚୋରି ହୋଇଯାଇଥିଲା। ସ‌ନ୍ତୋଷ ବାଇକ୍‌ଟିକୁ ଘର ବାହାରେ ପାର୍କିଂ କରି ଭିତରକୁ ଯାଇଥିବା ବେଳେ ଜଣେ ଯୁବକ ବାଇକ୍‌ ଚୋରି କରି ଚମ୍ପଟ ମାରିଥିଲା। ବାଇକ୍‌ ଚୋରିର ଏହି ଦୃଶ୍ୟ ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ପୁଲିସ ସିସିଟିଭି ଫୁଟେଜ୍‌ରୁ ଚୋରକୁ ଚିହ୍ନଟ କରିଥିଲା। ଆଜି କମିସନରେଟ୍‌ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଆଜି ଖଣ୍ଡଗିରିସ୍ଥିତ ତା’ ଆଡ଼ାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ପ୍ରାପ୍ତ ସୂଚନାନୁସାରେ, ତା’ ନିକଟରୁ ୧୦ଟି ଗାଡ଼ି ଜବତ ହୋଇସାରିଛି। ଏହି କୁଖ୍ୟାତ ବାଇକ୍‌ ଲୁଟେରା ପୂର୍ବରୁ ଜେଲ୍‌ ଯାଇଥିଲା ଓ ଜାମିନ୍‌ରେ ଆସିବା ପରେ ଏକ ବଡ଼ ଗ୍ୟାଙ୍ଗ୍‌ ଗଠନ କରିଛି। ଉକ୍ତ ଗ୍ୟାଙ୍ଗ୍‌ କେବଳ ଦାମୀ ବାଇକ୍‌ ଚୋରି କରୁଛନ୍ତି।

ବଟି ନ ଦେବାରୁ ମହିଳାଙ୍କୁ ଉଲଗ୍ନ କରି ଫଟୋ ଉଠାଇଲେ, ୫ ଦୁର୍ବୃତ୍ତଙ୍କ ନାମରେ ମାମଲା ରୁଜୁ
ଭୁବନେଶ୍ବର : ମାସିକିଆ ବଟି ବାବଦକୁ ହଜାରେ ଟଙ୍କା ନ ଦେବାରୁ ମହିଳାଙ୍କୁ ଉଲଗ୍ନ କରି ଫଟୋ ଉଠାଇଲେ ଦୁର୍ବୃତ୍ତ। ଏୟାରପୋର୍ଟ ଥାନା ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି। ଏ ସଂପର୍କରେ ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମହିଳାଙ୍କ ସ୍ବାମୀ ଜଣେ ବ୍ୟବସାୟୀ। କିଛି ଦୁର୍ବୃତ୍ତ ତାଙ୍କୁ ବଟି ମାଗିଥିଲେ। ସେ ବଟି ନ ଦେବାରୁ ସେମାନେ ଗତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘରେ ଧସେଇ ପଶିବା ସହ ବଟି ବାବଦକୁ ହଜାରେ ଟଙ୍କା ଦେବା ପାଇଁ ଧମକ ଚମକ ଦେଇଥିଲେ। ବ୍ୟବସାୟୀଙ୍କ ପତ୍ନୀ ସେମାନଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ଉଲଗ୍ନ କରି ଫଟୋ ଉଠାଇଥିଲେ। ବଟି ନ ଦେଲେ ସୋସିଆଲ ମିଡିଆ‌ରେ ପଟୋ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇଥିଲେ। ଏ ସଂପର୍କରେ ପୁଲିସ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର