ଖଣ୍ଡଗିରି : ସିସିଟିଭି ଫୁଟେଜ୍‌ରେ ବାଇକ୍ ଲୁଟେରା ଗ୍ୟାଙ୍ଗ୍

ଖଣ୍ଡଗିରି : ଖଣ୍ଡଗିରି ଅଞ୍ଚଳରେ ମାତିଛନ୍ତି ବାଇକ୍ ଲୁଟେରା ଗ୍ୟାଙ୍ଗ୍। ମାରଣାସ୍ତ୍ରରେ ସଜ୍ଜିତ ଏହି ଗ୍ୟାଙ୍ଗ୍ ଟାଟା ଏସ୍ ଗାଡ଼ିରେ ବାଇକ୍ ଉଠାଇ ନେଉଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୩ଟାବେଳେ ସ୍ଥାନୀୟ ଧର୍ମବିହାର ଜଗନ୍ନାଥ ମନ୍ଦିର ସମ୍ମୁଖ ବଜାରରୁ ଏହି ଲୁଟେରା ଗ୍ୟାଙ୍ଗ୍ ଏକ ବାଇକ୍ ଉଠାଇ ନେଉଥିବାରୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ଏହି ଗ୍ୟାଙ୍ଗ୍‌କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି।

ଉକ୍ତ ବଜାରରେ ଜାଗମରାର ବିକାଶ ସାହୁଙ୍କ ପୂଜା ସାମଗ୍ରୀ ଦୋକାନ ଅଛି। ସେ ଦୋକାନ ସମ୍ମୁଖରେ ତାଙ୍କ ପଲସର୍ ବାଇକ୍ (ଓଡି୩୩ଡବ୍ଲ୍ୟୁ-୯୭୫୩)କୁ ରଖି ଦୋକାନ ଭିତରେ ଶୋଇଥିଲେ। ସିସିଟିଭି ଫୁଟେଜ୍ ଅନୁସାରେ ରାତି ପ୍ରାୟ ସାଢ଼େ ୩ଟାବେଳେ ତାଙ୍କ ଦୋକାନ ସମ୍ମୁଖରେ ଏକ ଟାଟା ଏସ୍ ଗାଡ଼ି ଅଟକିଥିଲା। ଗାଡ଼ିରୁ ମୁହଁରେ ଗାମୁଛା ବାନ୍ଧିଥିବା ୩ ଜଣ ଯୁବକ ଓହ୍ଲାଇଥିଲେ ଓ ପଲସର୍ ବାଇକ୍ ପାଖକୁ ଯାଇଥିଲେ। ଜଣେ ଯୁବକ ହାତରେ ବଡ଼ ଖଣ୍ଡାଟିଏ ଧରିଥିଲା। ସେମାନେ ଗୋଇଠା ମାରି ବାଇକ୍‌ର ହ୍ୟାଣ୍ଡେଲ୍ ଲକ୍ ଭାଙ୍ଗିବା ପରେ ଟାଟା ଏସ୍ ଉପରକୁ ଉଠାଇଥିଲେ ଓ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର