କାର୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଧଉଳି : ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦୟାବ୍ରିଜ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଧଉଳି ଜୟପୁର ପାଟଣାର ମନୋଜ ବେହେରା। ସେ ଇଟିପୁର ପଞ୍ଚାୟତର ସମିତି ସଭ୍ୟ ଗଜେନ୍ଦ୍ର ବେହେରାଙ୍କ ବଡ଼ପୁଅ। ସୂଚନା ଅନୁଯାୟୀ, ମନୋଜ ଭୁବନେଶ୍ୱରରୁ କାମ ସାରି ବିଳମ୍ବିତ ରାତିରେ ତାଙ୍କ ବାଇକ୍‌ (ଓଆର ୦୨ଏଏକ୍ସ ୨୪୩୭) ଯୋଗେ ଧଉଳି ପଟୁ ଲିଙ୍ଗିପୁର ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଦୟାବ୍ରିଜ୍‌ କଟ୍‌ରେ ଏକ କାର୍‌ (ଓଡି-୦୨ବିପି ୦୨୨୦) ଡାହାଣ ପଟୁ ବାମପଟକୁ ଦ୍ରୁତ ଗତିରେ ପଶିଯିବାରୁ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ମନୋଜ ବାଇକ୍‌ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥି‌‌ଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌ ଓ ବାଇକ୍‌କୁ ଜବତ କରିବା ସହ କାର୍‌ ଚାଳକ କଟକର ଚିନ୍ତନ ଠକରକୁ ଅଟକ ରଖିଛି। ଆଜି ମନୋଜଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର