ମାଛ କିଣିବାକୁ ଯାଇ ହଟହଟା: ମାଛ ନେଇ ଘରକୁ ଯ‌ିବେ କ’ଣ ଗାଡି ମୁକୁଳାଇବା ପାଇଁ ଲଗାଇଲେ ଲାଇନ୍‌

ଉଲ୍ଲଂଘନକାରୀଙ୍କ ସଂଖ୍ୟା ବଢ଼ୁଛି, ନୟାନ୍ତ ପୁଲିସ

ଭୁବନେଶ୍ବର : ବୁଧବାର ଟିକେ ଆମିଷ ଖାଇବା ଯୋଜନାରେ ଘରୁ ବାହାରି ଥିଲେ। ଗାଡ଼ି ରାସ୍ତାରେ ଥୋଇ ମାଛ କିଣୁଥିଲେ। ଦୋକାନ ଦୋକାନ ବୁଲି ସଜ ମାଛ କିଣି ସାରି ଫେରିବା ବେଳକୁ ଆଉ ଗାଡ଼ି ନାହିଁ। ଖୋ‌ଜା ଖୋଜି ପରେ ଦେଖିବାକୁ ପାଇଲେ ଯେ ଏକ ବଡ଼ ଗାଡ଼ିରେ ୨୦ ବାଇକ୍‌ ଲଦା ହୋଇଛି। ଯେତେ ରଡ଼ି ଛାଡ଼ିଲେ ବି କିଏ ଶୁଣୁଛି? ସମସ୍ତ ବାଇକ୍‌କୁ ନେଇ ଗାଡ଼ି ଯାଇ ଟ୍ରାଫିକ୍‌ ଥାନାରେ। ମାଛ ନେଇ ଘରକୁ ଯ‌ିବେ କ’ଣ ଗାଡି ମୁକୁଳାଇବା ପାଇଁ ସେଠାରେ ଲାଇନ୍‌ ଲଗାଇଲେ। ସେଠି ଛିଡ଼ା ହୋଇ କାଗଜପତ୍ର କାମ କରିବା ପରେ ତଣ୍ଡ ଗଣି ଘରକୁ ବାହାରିବା ବେଳକୁ ବାଜି ଯାଇଥିଲା ଦିନ ଗୋଟାଏ।

‘ଯେତେ ବାଟ ହେଉ ପଛେ ଏଥର ମାଛ ପାଇଁ ଚାଲି ଚାଲି ଆସିବି’ ବୋଲି କହି କାନମୁଣ୍ଡା ଆଉଁସି ବାହାରିଥିଲେ ୟୁନିଟ୍‌-୪ର ଜଣେ ଯୁବକ। ଯିବା ବେଳେ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କାରେ ବର୍ଣ୍ଣନା କରିଥିଲେ। କେବଳ ଏହି ଯୁବକ ନୁହନ୍ତି, ବରଂ ଶହେରୁ ଊର୍ଦ୍ଧ୍ବ ଗାଡ଼ିମାଲିକ ଏଭଳି ହଟହଟା ହୋଇଛନ୍ତି। ସାଧାରଣତଃ କମିସନରେଟ୍‌ ପୁଲିସ ଅନ୍ୟ ଦିନେ ପରିବା ମାର୍କେଟ ଉପରେ ନଜର ରଖିଥାଏ। ଆଜି କିନ୍ତୁ ବୁଧବାର ଥିବାରୁ କମିସନରେଟ୍‌ ପୁଲିସ ବିଭିନ୍ନ ମାଛ ମାର୍କେଟ୍‌କୁ ଟାର୍ଗେଟ କରିଥିଲା। ଜରୁରୀକାଳୀନ ବ୍ୟବସ୍ଥା ବ୍ୟତୀତ ଅନ୍ୟ କାମରେ ଗାଡ଼ି ବ୍ୟବହାର କଲେ ଜରିମାନା ବ୍ୟବସ୍ଥା ଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥି‌ଲା।

କୋଭିଡ୍‌-୧୯ ମୁକାବିଲାରେ ସାରା ବିଶ୍ବ ଘା‌ଣ୍ଟି ହେଉଥିବା ‌ବେଳେ କେତେକ ତାଲାବନ୍ଦ ନିୟମ ଉଲ୍ଲଂଘନକାରୀଙ୍କୁ ନେଇ ପୁଲିସର ମୁଣ୍ଡବିନ୍ଧା ବଢ଼ିବାରେ ଲାଗିଛି। ଦୈତନଗରୀରେ ତାଲାବନ୍ଦ ସଫଳ କରିବାକୁ କମିସନରେଟ୍‌ ପୁଲିସ ଅକ୍ଳାନ୍ତ ପରିଶ୍ରମ କରୁଥିବା ବେଳେ ଶହ ଶହ ଉଲ୍ଲଂଘନକାରୀ ପ୍ରତ୍ୟେକ ଦିନ ଧରା ହେଉଛନ୍ତି। କଟକ ଓ ଭୁବନେଶ୍ବରରେ ଆଜି ମୋ‌ଟ୍‌ ୧୩୯୩ ଗାଡ଼ି ଚାଳକଙ୍କ ଠାରୁ ଜରିମାନା ଆଦାୟ କରା ଯାଇଥିବା ବେଳେ ୩୭୨ ଲୋକ ମାସ୍କ ନ ପିନ୍ଧି ତଣ୍ଡ ଗଣିଛନ୍ତି। ସେଥିମଧ୍ୟରେ କଟକରୁ ୬୨୪ ଓ ଭୁବନେଶ୍ବରରୁ ୭୬୯ ଜଣ ଗାଡ଼ି ଚାଳକ ଧରାପଡ଼ିଥିବା ବେଳେ ମାସ୍କ ନ ପିନ୍ଧି କଟକରୁ ୧୩୦ ଜଣ ଓ ଭୁବନେଶ୍ବରରୁ ୨୪୨ ଜଣ ତଣ୍ଡ ଗଣିଛନ୍ତି। ଗତକାଲି ୧୧୨୩ ଗାଡ଼ି ଚାଳକଙ୍କ ଠାରୁ ଜରିମାନା ଆଦାୟ ହୋଇଥିବା ବେଳେ ୩୦୧ ଜଣ ମାସ୍କ ନ ପିନ୍ଧି ଜରିମାନା ଦେଇଥିଲେ। କଟକଣା ଯେତିକି ବଢ଼ୁଛି ଉଲ୍ଲଂଘନକାରୀଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ୁଥିବାରୁ ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର