ପାରାପ୍ଲେଜିକ ଯବାନଙ୍କ କଷ୍ଟ ଓ ସଫଳତା ଦେଶବାସୀଙ୍କୁ ଜଣାଇବି

ମିତ୍‌ସୁ ଚାଭଡ଼ାଙ୍କ ନିଆରା ବାଇକ୍‌ ଯାତ୍ରା

ଭାରତରେ ଯେତେବେଳେ ନିର୍ଭୟା ପରି କାଣ୍ଡ ଘଟିଚାଲିଛି, ସେତେବେଳେ ସେ ଘରୁ ଗୋଡ଼ କାଢି ‘ରାଇଡ୍‌ ଫର୍‌ ସୋଲଜର’ ଯାତ୍ରାରେ ବାହାରିଛନ୍ତି। ନିଜ ରାଜ୍ୟ, ଜିଲ୍ଲା ସହର ଛାଡ଼ି ଏକୁଟିଆ ଘୂରି ବୁଲୁଛନ୍ତି ସାରା ଦେଶ ଗୁଜୁରାଟର ଝିଅ ମିତ୍‌ସୁ ଚାଭଡ଼ା(୨୩) । ଏକମାତ୍ର ଉଦ୍ଦେଶ୍ୟ ଯୁଦ୍ଧରେ ଆହତ ଯବାନ୍‌ (ପାରାପ୍ଲେଜିକ୍‌ ସୋଲଜର୍‌)ଙ୍କ ବିଷୟରେ ସାଧାରଣ ଜନତା, ଛାତ୍ରଛାତ୍ରୀଙ୍କ ନିକଟରେ ବାର୍ତା ପହଞ୍ଚାଇବା। ଆଜି ସେ ରାଜଧାନୀ ଭୁବନେଶ୍ୱରର ପଳାସପଲ୍ଲୀସ୍ଥିତ ଏୟାରସ୍କ୍ଵାଡେନ୍‌ ଏନ୍‌ସିସିରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ଏନ୍‌ସିସି ଓଡ଼ିଶାର ନିର୍ଦେଶକ କ୍ରିପାଳ ସିଂହ, କର୍ଣ୍ଣେଲ ଅସିତ ରଞ୍ଜନ, କର୍ଣ୍ଣେଲ ଏମ୍‌.କେ ସିଂହ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧ ରିତେନ୍ଦ୍ର ଛାଟୋଇ।

ଆପଣଙ୍କର ଏଇ ‘ରାଇଡ୍‌ ଫର୍‌ ସୋଲଜର୍‌’ର ଉଦ୍ଦେଶ୍ୟ କଣ?
ଦେଶର ସୀମାନ୍ତରେ ଯୁଦ୍ଧ ହେଉ କିମ୍ବା ଦେଶ ମଧ୍ୟରେ ପ୍ରାକୃତିକ ଦୁର୍ବିପାକ ଯବାନମାନେ ଆମକୁ ସବୁବେଳେ ରକ୍ଷା କରିଥାନ୍ତି। ଏପରି ବିପଦ ସମୟରେ ଏମାନେ ଅନ୍ୟକୁ ବଞ୍ଚାଇବାକୁ ଯାଇ କେହି କେହି ନିଜର ଅଙ୍ଗ ହରାଇ ଅକ୍ଷମ ହୋଇଯାନ୍ତି। କିନ୍ତୁ ସେମାନେ ଭାଙ୍ଗି ପଡ଼ନ୍ତି ନାହିଁ। ଦେଶର ସେବା କରିଚାଲନ୍ତି ଭିନ୍ନ ଢଙ୍ଗରେ। ସେପରି ପାରାପ୍ଲେଜିକ୍‌ ସୋଲଜର୍‌ଙ୍କ କଷ୍ଟ ଆଉ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବା ମୋର ଉଦ୍ଦେଶ୍ୟ।

ଆପଣଙ୍କର ଏହି ବାଇକଯାତ୍ରା କେବେ ଆରମ୍ଭ ହୋଇଥିଲା
ଗୁଜୁରାଟର ସୁରଟ ସହରରୁ ମୋର ଏଇ ଯାତ୍ରା ଗତ ନଭେମ୍ବର ମାସ ୨୬ ତାରିଖରେ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ମୁଁ ମହାରାଷ୍ଟ୍ର, ଅନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟ ବୁଲି ପାରାପ୍ଲେଜିକ୍‌ ସୋଲଜରଙ୍କ ବିଷୟରେ ବିଭିନ୍ନ ସ୍କୁଲ, କଲେଜ, ଏନ୍‌ସିସି କ୍ୟାଡର୍‌ଙ୍କ ମଧ୍ୟରେ ବାର୍ତା ପ୍ରଚାର କରି ସାରିଲେଣି।

ଆମ ଦେଶର ଏପରି ଯବାନଙ୍କ ବିଷୟରେ କ’ଣ କହିବେ
ପାରାପ୍ଲେଜିକ ସୋଲଜର ଏସ୍‌ସି ରାଜଦା, ହରୋଜିତ୍‌ ରାଜକୁମାର ଆଦିଙ୍କ ବିଷୟରେ ଜାଣିବା ପରେ ଏପରି ଯବାନଙ୍କ କଥା ପ୍ରଚାର ପାଇଁ ଆଗ୍ରହ ବଢ଼ିଲା। ଗତ ଥର ପାରା ଅଲମ୍ପିକରେ ଏପରି ଯବାନ୍‌ମାନେ ଆମ ପାଇଁ ମେଡାଲ ଜିତିଲେ। ଆମ ଦେଶ ପାଇଁ ଗର୍ବ ଆଣିଲେ। ଯୁଦ୍ଧରେ ଗୋଡ଼ ହରାଇବା କିମ୍ବା ପକ୍ଷାଘାତର ଶିକାର ହେବା ପରେ ମଧ୍ୟ ପାରା ଅଲମ୍ପିକ ତଥା ଉଚ୍ଚଶିକ୍ଷା ଲାଭ କରି ଗରିବ ଛାତଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ଏହି କଥା ସମସ୍ତେ ଜାଣିବା ଦରକାର ।

ଏହି ଯାତ୍ରା ପାଇଁ ଆପଣଙ୍କ ଜୀବନରେ କିଛି ପରିବର୍ତନ ଘଟିଛି କି?
ଏଥିପାଇଁ ତ ମୋର ସଂପୂର୍ଣ୍ଣ ଜୀବନ ପରିବର୍ତନ କରିବାକୁ ପଡ଼ିଛି କହିଲେ ଚଳେ। ୨୦୦୯ରେ ବିଟେକ୍‌ ଶେଷ କରିଥିଲେ ମଧ୍ୟ କେବଳ ଏନ୍‌ସିସିରେ ଯୋଗ ଦେବା ପାଇଁ ମୁଁ ପୁଣି ଯୁକ୍ତ ତିନିରେ ଆଡମିସନ୍‌ ନେଇଛି। ଯାହାଦ୍ୱାରା ମୁଁ ଏନ୍‌ସିସି କ୍ୟାଡର୍‌ ଭାବେ ସାରା ଦେଶର ବିଭିନ୍ନ ଏନ୍‌ସିସି କ୍ୟାମ୍ପକୁ ଯାଇ କ୍ୟାଡର୍‌ମାନଙ୍କ ମଧ୍ୟରେ ଏପରି ଯବାନଙ୍କ ବିଷୟରେ କହିପାରୁଛି। ବିଟେକ୍‌ ପରେ ମୁଁ ବାର୍ଷିକ ୬ ଲକ୍ଷ ଟଙ୍କା ଦରମାରେ ଚାକିରି ପାଇଥିଲେ ମଧ୍ୟ ଏହାକୁ ହାତ ଛଡ଼ା କରିଛି।

ଭୁବନେଶ୍ୱରରୁ ବର୍ତମାନ କେଉଁଠିକି ଯିବେ
ଭୁବନେଶର ପରେ ମୁଁ କଲିକତା ଯିବି। ଦୁଇମାସ ମଧ୍ୟରେ ସତର ହଜାର କିମି ବାଟ ଅତିକ୍ରମ କରି ସଚେତନତା ସୃଷ୍ଟି କରିବା ମୋର ଲକ୍ଷ୍ୟ ରହିଛି । ଜାନୁଆରି ୨୬ରେ ସୁରତରେ ଏହି ଯାତ୍ରା ଶେଷ ହେବ।

ଦେଶର ବିଭିନ୍ନ ପ୍ରାନ୍ତ ବୁଲିବା ବେଳେ କିଛି ସମସ୍ୟାର ସମୁଖୀନ ହୋଇଛନ୍ତି କି?
କୌଣସି ବି ରାଜ୍ୟରେ ପବ୍ଲିକ ଟଏଲେଟ୍‌ର ସୁବିଧା ନାହିଁ । ସେଥିନେଇ ସମସ୍ୟାର ସମ୍ମୁଖୀନ ହୋଇଛି। ଆଉ ବିଶେଷ କିଛି ସମସ୍ୟା ନାହିଁ । ବରଂ ଝିଆଟିଏ ହୋଇ ପୁଅଙ୍କ ପରି ବାଇକ୍‌ ଚଳାଉଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସମ୍ବନ୍ଧିତ ଖବର