ଖଣ୍ଡଗିରି: ଆଜି ରାତି ପ୍ରାୟ ୯ଟା ସମୟରେ ବରମୁଣ୍ଡା ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କେନ୍ଦୁଝର ଜିଲ୍ଲାର ଭୀମ ସିଂ ବୋଲି ଜଣାପଡ଼ିଛି। ସେ ବରମୁଣ୍ଡା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ପୁଲିସ ଆସିବାରେ ବିଳମ୍ବ ହେବା କାରଣରୁ ଦୁର୍ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଥିଲେ। ଫଳରେ ବରମୁଣ୍ଡା ସର୍ଭିସ୍ ରୋଡ୍ ସମ୍ପୂର୍ଣ୍ଣ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ନିକଟରେ ବରମୁଣ୍ଡା ଫାଣ୍ଡି ଥିଲେ ମଧ୍ୟ ମୃତଦେହ ନେବାରେ ଘଣ୍ଟାଏ ଲାଗିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ସୂଚନା ଅନୁଯାୟୀ ଭୀମ ଆଜି ରାତିରେ ନିଜ ବାଇକ୍ରେ ତପୋବନରୁ ବରମୁଣ୍ଡା ଆଡ଼କୁ ସର୍ଭିସ୍ ରୋଡ୍ରେ ଆସୁଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍ରୁ ଖସିପଡ଼ିଥିଲେ। ଟ୍ରକ୍ଟି ଭାରସାମ୍ୟ ହରାଇ ତାଙ୍କ ଉପରେ ଚଢ଼ିଯାଇଥିଲା। ତେଣୁ ଦୁର୍ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲୋକମାନେ ଟ୍ରକ୍କୁ ଗୋଡ଼ାଇ ଗୋଡ଼ାଇ ବରମୁଣ୍ଡା ବସ୍ଷ୍ଟାଣ୍ଡ ଅଣ୍ଡରପାସ୍ ନିକଟରେ ଅଟକାଇଥିଲେ। ଡ୍ରାଇଭର୍ଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ପୁଲିସ ୧୦ଟାରେ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭର୍ଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାପରେ ମଧ୍ୟ ଲୋକମାନେ ଭୀମଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ବହୁ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା ଏବଂ ସର୍ଭିସ୍ ରୋଡ୍ରେ ଖଣ୍ଡଗିରିରୁ ବରମୁଣ୍ଡା ପର୍ଯ୍ୟନ୍ତ ଗାଡ଼ି ଲମ୍ବି ରହିଥିଲା। ଏଥିପାଇଁ ତପୋବନ ଆଡ଼କୁ ଯିବାକୁ ଥିବା ଲୋକମାନେ ବୁଲିବୁଲି ଖଣ୍ଡଗିରି ଛକ ପର କୋଳଥିଆ ଅଣ୍ଡରପାସ୍ ଦେଇ ଯାଇଥିଲେ। ଭରତପୁର ଓ ଖଣ୍ଡଗିରି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।