ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର; ଟ୍ରକ୍‌ ଜବତ, ଚାଳକ ଗିରଫ

ଭୁବନେଶ୍ବର : ରସୁଲଗଡ଼ ଛକରେ ଟ୍ରକ୍‌ ଧକ୍କା ଯୋଗୁଁ ଜଣେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ‌ ହେଲେ ପିପିଲି ମଙ୍ଗଳପୁର ଅଞ୍ଚଳର ଗୋପନ ଜେନା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଚାଳକକୁ ଗିରଫ କରିବା ସହ ଟ୍ରକ୍‌କୁ ଜବତ କରିଛି।

ଶନିବାର ଅପରାହ୍‌ଣ ସାଢ଼େ ୨ଟା ସମୟରେ ଗୋପନ ଏକ ବାଇକ୍‌ରେ ନିଜ ପୁତୁରା ତପନ ଜେନାଙ୍କ ସହ ପିପିଲିରୁ ମଞ୍ଜେଶ୍ବର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାକୁ ଆସିଥିଲେ। ସେ ରସୁଲ୍‌ଗଡ଼ ଛକରେ ଯାଉଥିବା ବେଳେ ଟ୍ରକ୍‌ଟି ଭାରସାମ୍ୟ ହରାଇ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍‌ରୁ ଛିଟିକି ଯାଇ ଟ୍ରକ୍‌ ଚକା ପାଖରେ ପଡ଼ିଥିଲେ। ଟ୍ରକଟି ତାଙ୍କ ଡ଼ାହାଣ ଗୋଡ଼ ଉପରେ ଚଢ଼ିଯିବାରୁ ଗୋଡ଼ ଭାଙ୍ଗିଯିବା ସହ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ି ରହିଥିଲେ। ତାଙ୍କ ପୁତୁରା ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ଦେଖି ଆଖପାଖରେ ଥିବା ଲୋକ ଧାଇଁ ଆସିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେବା ସହ ରାସ୍ତା ଜାମ୍‌ ପରିସ୍ଥିତି ଉପୁଜିଥିଲା। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦ୍ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ତେବେ ଗୋପନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।

ଝୁମ୍ପୁଡ଼ି ଉପରେ ଚଢ଼ିଗଲା କାର୍‌, ୪ ଆହତ
ଧଉଳି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ହ୍ୟୁଣ୍ଡାଇ ସୋ’ରୁମ୍‌ ନିକଟରେ ଶନିବାର ଏକ ଦ୍ରୁତଗାମୀ କାର୍‌ ରାସ୍ତାକଡ଼ ଏକ ଦୋକାନ ଉପରେ ଚଢ଼ିଯିବାରୁ ୪ଜଣ ଯୁବକ ଆହତ ହୋଇଛନ୍ତି। କାହାର ମୁଣ୍ଡ ଫାଟି ଯାଇଛି ତ କାହାର ଗୋଡ଼ହାତ ଭାଙ୍ଗିଯାଇଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ‌‌ରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ରିପୋର୍ଟ ଲେଖା ହେବା ବେଳକୁ ସେମାନଙ୍କ ପରିଚୟ ଓ ଠିକଣା ମିଳି ପାରି ନାହିଁ। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ କ୍ୟାବିନ୍‌ରେ ଥିବା ଦୋକାନୀ ବିଷ୍ଣୁଚରଣ ଭୋଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ହେଲେ କାର୍‌ ଧକ୍କାରେ କ୍ୟାବିନ୍‌ ସମ୍ମୁଖରେ ଥିବା ଝୁମ୍ପୁଡ଼ି ଟିଣଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ କ୍ୟାବିନ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୋକାନ ଭିତରେ ଥିବା ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଛି। ସେହିପରି ଦୁର୍ଘଟଣାରେ କାର୍‌ଟି ମଧ୍ୟ ଭାଙ୍ଗିରୁଜି ଯାଇଛି। ଖବର ପାଇ ଉତ୍ତରା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌ଟିକୁ ଜବତ କରିଛି।

ସୂଚନା ମୁତାବକ, ଆଜି ସକାଳ ସାଢ଼େ ୭ଟାରେ ପୁରୀରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଉକ୍ତ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ପରେ ବିଷ୍ଣୁଙ୍କ ଦୋକନ ଉପରକୁ ମାଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର