ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଆଚାର୍ଯ୍ୟବିହାର ଫ୍ଲାଏଓଭର୍ ଉପରେ ବାଇକ୍ ଓ ଆରୋହୀ ଜଳିଯିବା ମାମଲା ବଡ଼ ରହସ୍ୟମୟ ହୋଇରହିଛି। ଏଭଳି ଭୟଙ୍କର ମୃତ୍ୟୁର ଶିକାର ହୋଇଥିବା ଯୁବକ ହେଲେ ଜଗତସିଂହପୁର ଜିଲ୍ଲା ପୁରୋହିତପୁର ଅଞ୍ଚଳର ଅମ୍ବିକା ପ୍ରସନ୍ନ ପତି(୨୯)। ସେ ସହିଦନଗର ଥାନା କେଶୁରା ଅଞ୍ଚଳରେ କିଛି ସାଙ୍ଗମାନଙ୍କ ସହ ରହୁଥିଲେ। ବାଇକ୍ ସହ ଜଳିଯିବା ଭଳି ଘଟଣାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରକୃତରେ ଦୁର୍ଘଟଣା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି ନା କେହି ତାଙ୍କୁ ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେବାକୁ ଅପଚେଷ୍ଟା କରିଛି, ତାହା ଏବେ ବି ରହସ୍ୟଘେରରେ। ବ୍ୟବଚ୍ଛେଦ ପରେ ପୁଲିସ ଆଜି ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।
ସହିଦନଗର ଥାନା ପୁଲିସ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ବୋଲି ପ୍ରାଥମିକ ଭାବେ ଗ୍ରହଣ କରିଥିଲେ ବି ସ୍ପଷ୍ଟ ସୂଚନା ଦେଇପାରିନାହିଁ। ଉପଯୁକ୍ତ ତଦନ୍ତ ପାଇଁ ପୁଲିସ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି। ସେହିଭଳି ଘଟଣା ସମୟରେ କେହି ପ୍ରସନ୍ନଙ୍କ ସହ ଥିଲେ କି ନାହିଁ, କୌଣସି ଗାଡ଼ି ଦୁର୍ଘଟଣା ଘଟାଇ ଫେରାର୍ ହୋଇଯାଇଛି କି ଇତ୍ୟାଦି ତଥ୍ୟ ହାସଲ କରିବା ପାଇଁ ପୁଲିସ ଛାନ୍ଭିନ୍ ଚଳାଇଛି। ସେହିଭଳି ଘଟଣାସ୍ଥଳରେ ଅନ୍ୟ କେଉଁ ଗାଡ଼ିରେ କିଛି ଭଗ୍ନ ଅଂଶ ରହିଛି କି ନାହିଁ ବୋଲି ପୁଲିସ ଯାଞ୍ଚ ଚଳାଇଛି। ଅନ୍ୟପକ୍ଷରେ ପୁଲିସ ଅମ୍ବିକାଙ୍କ ମୋବାଇଲ୍କୁ ଜବତ କରିବା ସହ କଲ୍ ଡିଟେଲ୍ସ ରେକର୍ଡ (ସିଡିଆର୍) ରିପୋର୍ଟ ଯାଞ୍ଚ କରୁଛି। ଅନ୍ୟପଟେ ପରିବାରଲୋକ ଅମ୍ବିକାଙ୍କ ଏଭଳି ମୃତ୍ୟୁକୁ ଦୁର୍ଘଟଣାଜନିତ ବୋଲି ସହଜରେ ଗ୍ରହଣ କରିପାରିନାହାନ୍ତି। ଅମ୍ବିକାଙ୍କ ବାପା ସୁରେନ୍ଦ୍ର ନାଥ ପତି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପୁଲିସ ସଂଗ୍ରହ କରିଥିବା ସୂଚନାନୁସାରେ, ଅମ୍ବିକା ଏକ ଘରୋଇ ଫାର୍ମା କମ୍ପାନିର ମାର୍କେଟିଂ ରିପ୍ରେଜେଣ୍ଟେଟିଭ୍ ଭାବେ କାମ କରୁଥିଲେ। ରବିବାର ରାତିରେ ସେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ବିବାହ ଉତ୍ସବରେ ଯୋଗ ଦେବାର ଥିଲା। କିନ୍ତୁ ସେ ପ୍ରଥମେ ଖଣ୍ଡଗିରିସ୍ଥିତ ଜଣେ ସାଙ୍ଗଙ୍କ ନିକଟକୁ ଯାଇଥିଲେ। ସେଠାରୁ ସାଙ୍ଗ ସହିତ କାର୍ରେ ଅନ୍ୟ ଏକ ଭୋଜିକୁ ଯାଇଥିଲେ। ଖଣ୍ଡଗିରିରୁ ବାଇକ୍ ଧରି କେଶୁରା ଫେରୁଥିଲେ। ମାତ୍ର ରାସ୍ତାରେ ଘଟିଗଲା ଏହି ଅବିଶ୍ବସନୀୟ ଅଘଟଣ।
/sambad/media/post_attachments/wp-content/uploads/2022/06/52-9.jpg)
ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଦୁର୍ଘଟଣାଜନିତ ଅଘଟଣ ବୋଲି କେହି ବି ଭାବି ପାରୁନାହାନ୍ତି। ଅମ୍ବିକାଙ୍କ ବାଇକ୍ ଜଳୁଥିବା ବେଳେ ସେଠାରୁ ପ୍ରାୟ ୧୦ଫୁଟ୍ ଦୂରରେ ସେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୁହଁ ମାଡ଼ି ତଳେ ପଡ଼ିଥିଲେ। ଜଙ୍ଘଠାରୁ ମୁଣ୍ଡ ପର୍ଯ୍ୟନ୍ତ ୭୦ପ୍ରତିଶତ ପୋଡ଼ିଯାଇଥିଲା। ମୁହଁରେ ଶକ୍ତ ଆଘାତ ଯୋଗୁଁ ନାକ ସହ ମୁହଁ ଭିତରକୁ ପଶିଯାଇଥିଲା। ଛାତି ମଧ୍ୟ ଭିତରକୁ ଦବିଯାଇଥିଲା। ହେଲେମେଟ୍ଟି କିଛି ଦୂରରେ ପଡ଼ିଥିବା ବେଳେ ସେଠାରେ ୩ଟି ବୋତଲ, ଗୋଟିଏ ଟାୟାର୍ ପଡ଼ିଥିଲା। ତାଙ୍କର ଦୁଇଟି ଜୋତା ଗୋଡ଼ରୁ ବାହାରି ବାହାରେ ପଡ଼ିଥିଲା। ଜୋତା ହଳକ ଜଳି ନଥିଲା। ଏମିତିକି ତାଙ୍କ ମୋଜା ବି ପୋଡ଼ି ନଥିଲା। ତେବେ ବାଇକ୍ର ଟି-ବାର ବଙ୍କା ହୋଇ ଟାଙ୍କି ଭିତରକୁ ପଶି ଯାଇଛି। ସମ୍ମୁଖ ସସ୍ପେନ୍ସନ୍ ରଡ୍ ସହ ପଛ ଚେନ୍ ଆଡ୍ଜେଷ୍ଟର ରଡ୍ ବଙ୍କା ହୋଇଯାଇଛି। ତେଣୁ ବାଇକ୍ଟି କୌଣସି ଏକ ଗାଡ଼ି ପଛରେ ପିଟି ହୋଇଯାଇଥିବା ଅନୁମାନ କରାଯାଉଛି। ଅମ୍ବିକାଙ୍କ ମୁହଁ ଓ ଛାତିର ଅବସ୍ଥାରୁ ମଧ୍ୟ ଜୋର୍ଦାର ଧକ୍କା ହୋଇଥିବା ଅନୁମାନ କରାଯାଉଛି। ତେବେ ବାଇକ୍ ପୋଡ଼ିଯିବା କଥା ସନ୍ଦେହ ସୃଷ୍ଟି କରିଛି। କାରଣ ପ୍ରାୟତଃ ଦୁର୍ଘଟଣା ପରେ ବାଇକ୍ ଜଳିବାର ଦୃଶ୍ୟ କ୍ବଚିତ୍ ଦେଖିବାକୁ ମିଳିଥାଏ। ଯଦିବା ବାଇକ୍ରେ ନିଆଁ ଲାଗିଲା, ଅମ୍ବିକା ଛିଟିକି ଯିବା ପରେ ବି କେମିତି ପୋଡ଼ିଗଲେ? ଏଭଳି କିଛି ଅସମାହିତ ପ୍ରଶ୍ନ ଏହି ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/51-9.jpg)