ଲକ୍‌ଡାଉନ୍‌ ଉଲ୍ଲଙ୍ଘନ : ଅମାନିଆଙ୍କୁ ନିର୍ଘାତ ମାଡ଼, ରାଜଧାନୀରେ୧୦୩୪ ଗାଡ଼ି ଜବତ

ଭୁବନେଶ୍ବର : ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ କମିସନରେଟ୍‌ ପୁଲିସ ଆଜି ରାଜଧାନୀରେ ୧୦୩୪ଟି ଗାଡ଼ି ଜବତ କରିଛି। ସେମାନଙ୍କ ମଧ୍ୟରୁ ବାସ୍ତବରେ ଯେଉଁମାନେ ଜରୁରୀ କାମରେ ଆସିଥିବାର ପ୍ରମାଣ ଦେଖାଇପାରିବେ, ସେମାନଙ୍କୁ ଛଡ଼ାଯିବ। ଅନ୍ୟମାନଙ୍କ ଉପରେ ଜରିମାନା କଷାଯିବା ସହ କୋର୍ଟଚାଲାଣ କରାଯିବ।

ଗତକାଲି ରାଜଧାନୀରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଶେଷ ହେବା ପରେ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ସରକାର ସ୍ପଷ୍ଟ କରିଥିଲେ। ତେବେ ବିଳମ୍ବିତ ରାତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ପୁଲିସ କଠୋର୍‌ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଚେତାଇ ଦେଇଥିଲା। ତେଜରାତି, ପରିବା ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଖ ମାର୍କେଟ୍‌ରୁ ଆଣିବା ପାଇଁ ଚାଲିଚାଲି ଯିବା ପାଇଁ ଲୋକଙ୍କୁ କୁହାଯାଇଥିଲା। ପାସ୍‌ ଥାଉ କି ନଥାଉ, ଲୋକଙ୍କ ଗାଡ଼ି ଜବତ କରାଯିବ ବୋଲି ପୁଲିସ ପକ୍ଷରୁ ଟ୍ବିଟ୍‌ ଯୋଗେ ଜଣାଇ ଦିଆଯାଇଥିଲା।

ହେଲେ ଆଜି ସକାଳର ଦୃଶ୍ୟ ସମସ୍ତଙ୍କ ଚକିତ କରିବା ଭଳି ଥିଲା। ପୁଲିସର ସବୁ ତାଗିଦ୍‌କୁ ଅମାନିଆ ଲୋକ ହେୟଜ୍ଞାନ କରି ଗାଡ଼ି ଧରି ପଦାକୁ ବାହାରିଥିଲେ। ଏମାନଙ୍କୁ ଜଗିବା ପାଇଁ ପୁଲିସ ନାକେଦମ୍‌ ହୋଇଯାଇଥିଲା। ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବସିଥିବା ବ୍ୟବସାୟୀଙ୍କ ନିକଟରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଖାଲି ଏହି ସ୍ଥାନ ନୁହେଁ, ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏପରି ସ୍ଥିତି ଦେଖାଦେବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିନା କାରଣରେ ଗାଡ଼ି ଧରି ବୁଲୁଥିବା ଯୁବକଙ୍କୁ ପୁଲିସ ଲାଠି ମାଡ଼ କରିବା ସହ କଡ଼ା ତାଗିଦ୍‌ କରିଥିଲା। ସେହିପରି ଯେଉଁ ଦୋକାନୀମାନେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖିବାରେ ବିଫଳ ହୋଇଥିଲେ, ପୁଲିସ ସେମାନଙ୍କୁ ମଧ୍ୟ ଗୋଡ଼େଇ ଗୋଡ଼େଇ ପିଟିଥିଲା। ଲକ୍‌ଡାଉନ୍‌ ଉଲ୍ଲଙ୍ଘନ କରିବା ଅଭିଯୋଗରେ ପୁଲିସ ବିଭିନ୍ନ ସ୍ଥାନରୁ ମୋଟ ୧୦୩୪ଟି କାର୍‌ ଓ ବାଇକ୍‌ ଜବତ କରିଥିଲା। ସେମାନଙ୍କୁ ଯାଞ୍ଚ କରାଯାଉଛି। ଯେଉଁମାନେ ବାସ୍ତବରେ ଜରୁରୀ କାମରେ ଆସିଥିବାର ପ୍ରମାଣ ଦେଖାଇ ପାରିବେ ସେମାନଙ୍କୁ ଛଡ଼ାଯିବ। ବାକି ଅନ୍ୟମାନଙ୍କ ଉପ‌ରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅପରପକ୍ଷେ ଆଜି ଏତେ ପରିମାଣର ଗାଡ଼ି ରାସ୍ତାକୁ ଚାଲି ଆସିବାରୁ ପୁଲିସ ନୟାନ୍ତ ହୋଇଯାଇଥିଲା। ବ୍ୟବସାୟୀ ବା ଦୋକାନୀଙ୍କ ଉପରେ ସେତେଟା ନଜର ରଖି ପାରିନଥିଲା। ଏଣୁ ଆଜି ଦୋକାନୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ଆସନ୍ତାକାଲି ନିୟମ ଉଲ୍ଲଙ୍ଘନକାରୀ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପୁଲିସ୍‌ ଯୋଜନା କରିଛି। ଗ୍ରାହକମାନେ ଜିନିଷ କିଣାବିକା କରିବା ବେଳେ ଯେଭଳି ଦୋକାନୀମାନେ ସାମାଜିକ ଦୂରତ୍ବ ରକ୍ଷା ହେଉଥିବା ନିଶ୍ଚିତ କରିବେ। ଯେଉଁମାନେ ଏହି ନିୟମକୁ ନ ମାନିବେ ବା ଯେଉଁ ବ୍ୟବସାୟୀ ସାମ୍ନାରେ ଏହି ନିୟମ ଉଲ୍ଲଂଘନ ହେବା ନଜରକୁ ଆସିବ, ତା’ର ଟ୍ରେଡ୍‌ ଲାଇସେନ୍ସ ବାତିଲ କରାଯିବ ଏବଂ ତା’ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ।

ଧରାପଡ଼ିଲେ ୩୦ ଯୁବକ, ଗାଡ଼ି ଜବତ

ବାଲିପାଟଣା : କରୋନା ଭୂତାଣୁ ପ୍ରତିହିତ ପାଇଁ ସାରା ଦେଶ ଲକଡାଉନ୍ ହୋଇଛି। ଏ ସମୟରେ ସରକାରଙ୍କ ତରଫରୁ ବାରମ୍ବାର ଗାଡ଼ି ଘରୁ ନ କାଢ଼ିବା ପାଇଁ ସୂଚନା ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଚାଲି ଚାଲି ଯିବାକୁ କୁହାଯାଇଛି। କିନ୍ତୁ କିଛି ଅମାନିଆ ଯୁବକ ଗାଡ଼ି ବାହାର କରି ବଜାର ଘାଟ ବୁଲୁଛନ୍ତି। ଏସବୁ ରୋକିବା ପାଇଁ ବାଲିପାଟଣା ଥାନା ତରଫରୁ ଯାଞ୍ଚ କଡ଼‌ାକଡ଼ି କରାଯାଇଛି। ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କ ସୂଚନା ମୁତାବକ ଆଜି ୩୦ରୁ ଅଧିକ ଅମାନିଆ ଯୁବକଙ୍କୁ ଧରାଯାଇ ସେମାନଙ୍କ ଗାଡ଼ି ଜବତ କରାଯିବା ସହ ଜରିମାନା ଆଦ‌ାୟ କରାଯାଇଛି।

ନୀଳାଦ୍ରିବିହାର ଓ ରେଲୱେ ବଜାରରେ ଗୋଡ଼େଇ ପିଟିଲା ପୁଲିସ
ଚନ୍ଦ୍ରଶେଖରପୁର : ଲକ୍‌ଡାଉନ୍‌ରେ ଗାଡ଼ି ବ୍ୟବହାର କରି ହାଟକୁ ପନିପରିବା କିଣିବା ପାଇଁ ଯାଇଥିବା ଲୋକଙ୍କୁ ଆଜି ପୁଲିସ୍ ଗୋଡ଼େଇ ଗୋଡ଼େଇ ପିଟିଛି। ଏପରି ଦୃଶ୍ୟ ଆଜି ସକାଳେ ନୀଳାଦ୍ରିବିହାର ରାସ୍ତାକଡ଼ରେ ଚାଲିଥିବା ଆମିଷ ଓ ପନିପରିବା ହାଟରେ ଦେଖିବାକୁ ମିଳିଛି। ଲୋକମାନେ ରାସ୍ତା କଡ଼ରେ ବାଇକ୍ ରଖି ହାଟରେ ଭିଡ଼ ଜମାଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲା।

ଅନ୍ୟପକ୍ଷରେ ବ୍ୟବସାୟୀମାନେ ନିଜ ପିଣ୍ଡି ନିକଟରେ ଗୋଲ ନବୁଲାଇ ସାମାଜିକ ଦୂରତା ନିୟମକୁ ମାନୁନଥିବାରୁ ପୁଲିସ୍‌ ମାଡ଼ର ଶିକାର ହୋଇଥିଲେ। ସେହିଭଳି ମଞ୍ଚେଶ୍ବର ରେଲୱେ କଲୋନିରେ ମଧ୍ୟ କିଛି ଅମାନିଆ ଲୋକ ପନିପରିବା ଓ ତେଜରାତି ଜିନିଷ କିଣିବା ପାଇଁ ଆସିଥିବା ବେଳେ ଦୋକାନ ନିକଟରେ ଭିଡ଼ ଜମାଇ ଜିନିଷ କିଣିଥିଲେ। ମଞ୍ଚେଶ୍ବର ଥାନା ପାଟ୍ରୋଲିଂ ଭ୍ୟାନ୍ ସେଠାରେ ପହଞ୍ଚି ଲୋକଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଉଭୟ ଘଟଣାରେ ପୁଲିସ୍ କିଛି ବାଇକ୍ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର