ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: ୫ ୱାର୍ଡରେ ଦ୍ୱିମୁଖୀ ଲଢ଼େଇ

୬୫ ନମ୍ବରରେ ସର୍ବାଧିକ ୧୩ ପ୍ରାର୍ଥୀ

ଭୁବନେଶ୍ବର : ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଗୁରୁବାର ଦିନ ବିଧିବଦ୍ଧ ଭାବରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ସ୍ବାଧୀନ ପ୍ରାର୍ଥୀମାନଙ୍କୁ ଚିହ୍ନ ମଧ୍ୟ ବଣ୍ଟା ଯାଇଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ ହୋଇ ସାରିବା ପରେ ପ୍ରକାଶ ପାଇଥିବା ଏହି ତାଲିକାରେ କିଛି ରୋଚକ ତଥ୍ୟ ପରିଲକ୍ଷିତ ହୋଇଛି। ୫ଟି ୱାର୍ଡରେ ସିଧାସଳଖ ଦୁଇ ପ୍ରମୁଖ ଦଳ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି।ଏହି ଦୁଇ ଦଳ ବାଦ୍‌ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ ବା ସ୍ବାଧୀନ ଭାବେ କେହି ଏଠାରୁ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଦୁଇ ପ୍ରମୁଖ ଦଳ ହୋଇଥିବାରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ନ ହେବା ଥୟ। ଏଣୁ ଏହି ୫ଟି ୱାର୍ଡରେ ସିଧାସଳଖ ଦ୍ବିମୁଖୀ ଲଢ଼େଇ ହେବାକୁ ଯାଉଛି।

ଏହି ୱାର୍ଡଗୁଡ଼ିକ ହେଉଛି ୱାର୍ଡ ନମ୍ବର ୨, ୩୩, ୪୩, ୪୯ ଓ ୬୨। ୨ ନମ୍ବର ୱାର୍ଡରେ ମୋନାଲିସା ବେହେରା ବିଜେଡିର ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଋତୁପର୍ଣ୍ଣା ଭୋଇ ପ୍ରାର୍ଥୀ ହୋଇଛନ୍ତି। ୩୩ ନମ୍ବର ୱାର୍ଡରେ ବିଜେଡିରୁ ସୁଲଗ୍ନା ଜେନା ଓ ବିଜେପିରୁ ଧରିତ୍ରୀ ଜେନା ପ୍ରାର୍ଥୀ ହୋଇଛନ୍ତି। ୪୩ ନମ୍ବର ୱାର୍ଡରେ ବିଜେଡିରୁ ଭରତ ଲେଙ୍କା ଓ ବିଜେପିରୁ ନିବେଦିତା ପ୍ରଧାନଙ୍କ ମଧ୍ୟରେ ଲଢ଼େଇ ହେବ। ୪୯ ନମ୍ବର ୱାର୍ଡରେ ବିଜେଡିରୁ ସଂଯୁକ୍ତା‌ ସୁନ୍ଦରାୟ ଓ ବିଜେପିରୁ ପୁଷ୍ପିତା ସୁନ୍ଦରାୟଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ସେହିଭଳି ୬୨ ନମ୍ବର ୱାର୍ଡରେ ବିଜେପିରୁ ରଶ୍ମିତା ଓ ବିଜେଡିରୁ ଚାରୁଲତାଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଏହି ୫ଟି ଯାକ ୱାର୍ଡ ଗତ ନିର୍ବାଚନରେ ବିଜେଡି ଦଖଲରେ ରହିଥିଲା।

ଏହା ବାଦ୍‌ ଅନେକ ୱାର୍ଡରେ ଦୁଇ ପ୍ରମୁଖ ଦଳକୁ ଛାଡ଼ିଦେଲେ ଜଣେ ଜଣେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ସ୍ବା‌ଧୀନ ପ୍ରାର୍ଥୀ ଦୁର୍ବଳ ଥିବାରୁ ସେଗୁଡ଼ିକରେ ମଧ୍ୟ ଦ୍ବିମୁଖୀ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ସେହି ୱାର୍ଡଗୁଡ଼ିକ ହେଉଛି ୮, ୧୨, ୨୨, ୩୨ ଓ ୪୦। ଏଥିରେ ବିଜେଡି ଓ ବିଜେପି ସହ ଜଣେ ଲେଖାଏଁ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି।

ଅନ୍ୟ ପଟେ ୬୫ ନମ୍ବର ୱାର୍ଡରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ରହିଛନ୍ତି। ତିନି ପ୍ରମୁଖ ଦଳକୁ ଛାଡ଼ିଦେଲେ ୧୦ ଜଣ ସ୍ବାଧୀନ ଭାବେ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରୁ ଏକାଧିକ ବିଜେଡି ବିଦ୍ରୋହୀ ବୋଲି କୁହାଯାଉଛି। ଯଦିଓ ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ସୁଯୋଗ ରହିଛି; କିନ୍ତୁ ପ୍ରତ୍ୟାହାର ନ ହେଲେ ବିଜେଡି ପାଇଁ ଅଡ଼ୂଆ‌ ସୃଷ୍ଟି ହେବା ଆଶଙ୍କା ରହିଛି। ସେହିପରି ୨୦ ନମ୍ବରରେ ୧୦ ଜଣ, ୨୭ ଓ ୧୬ରେ ୯ ଜଣ ଲେଖାଏ, ୭, ୧୩ ଓ ୧୪ ରେ ୮ ଜଣ ଲେଖାଏ ପ୍ରାର୍ଥୀ ରହିଛନ୍ତି। ଏ ସବୁରେ ମଧ୍ୟ ବିଜେଡି ବିଦ୍ରୋହୀ ରହିଛନ୍ତି। ତେବେ ସେମାନଙ୍କୁ ବୁଝାଇ ପ୍ରତ୍ୟାହାର ପାଇଁ ରାଜି କରାଇବାକୁ ନେତାମାନେ ଲାଗି ପଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର