ବିଲ୍‌ଡର କୃଷ୍ଣ ନାୟକ ହତ୍ୟା ମାମଲା: ମୁଖିଆ ତାରିଣୀ ଓ ୩ ସାଥୀଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ୨୦୧୩ ମସିହାରେ ରାଜଧାନୀକୁ ହୁଲ୍‌ସ୍ତୁଲ କରିଥିବା ବହୁଚର୍ଚ୍ଚିତ କୃଷ୍ଣଚନ୍ଦ୍ର ନାୟକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଆଜି ଭୁବନେଶ୍ବର ଏଡିଜେ-୩ ମାଜିଷ୍ଟ୍ରେଟ୍ ସସ୍ମିତା ପାଢ଼ୀ ଏହି ମାମଲାର ରାୟ ଶୁଣାଇ ସମସ୍ତ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ, ଖୋର୍ଦ୍ଧା ନିଧିପୁରର ତାରିଣୀ ପଟ୍ଟନାୟକ ଓରଫ ସଲିଳ, ସାଲିଆସାହି ମଙ୍ଗଳାନଗରସାହିର ସୂରଜ ଶର୍ମା ଓରଫ ନେପୁ, ପୁରୀ ସଦର ଥାନା ଅଞ୍ଚଳର ରାଜେଶ କୁମାର ବାରିକ ଓରଫ ପିଣ୍ଟୁ ଓ ପୁରୀ ଦୋଳମଣ୍ଡପସାହିର ସନ୍ତୋଷ ପଢ଼ିହାରୀ ଓରଫ ନନ। ମୁଖ୍ୟ ଅଭିଯୁକ୍ତ ତାରିଣୀ ଓ ନେପୁକୁ ୧୭ହଜାର ଟଙ୍କା ଏବଂ ପିଣ୍ଟୁ ଓ ନନକୁ ୧୦ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ନିର୍ଦ୍ଦେଶ ରହିଛି। ପିପି ଶରଦଚନ୍ଦ୍ର ସାମନ୍ତ ଏହି ମାମଲା ପରିଚାଳନା କରୁଥିଲେ।

୨୦୧୩ ଅଗଷ୍ଟ ୧୨ ତାରିଖ ସକାଳ ପ୍ରାୟ ୧୦ଟା ୧୫ମିନିଟ୍‌ରେ କଳିଙ୍ଗପୁତ୍ର ବିଲ୍‌ଡର୍ସ ମାଲିକ କୃଷ୍ଣ ଓ ତାଙ୍କ ସଂସ୍ଥାର କର୍ମଚାରୀ ପପୁକୁ ସାଙ୍ଗରେ ଧରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ସେମାନେ ଆଇଆର୍‌ସି ଭିଲେଜ ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ତାରିଣୀ, ନେପୁ ଓ ନନ ଏକ ବାଇକ୍‌ରେ ଆସି କୃଷ୍ଣଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲେ। ବାଇକ୍ ଚଳାଉଥିବା ପପୁ ଭାରସାମ୍ୟ ହରାଇବାରୁ କୃଷ୍ଣ ତଳେ ପଡ଼ିଯାଇଥିଲେ। ସଙ୍ଗେସଙ୍ଗେ ତାରିଣୀ ଓ ନେପୁ ଅଣ୍ଟାରୁ ପିସ୍ତଲ୍ ବାହର କରି କୃଷ୍ଣଙ୍କ ଛାତିକୁ ଲକ୍ଷ୍ୟ କରି ୨ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇଟି ଯାକ ଗୁଳି କୃଷ୍ଣଙ୍କ ଛାତିରେ ପଶି ଆର୍‌ପାର୍ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ କୃଷ୍ଣଙ୍କର ମୃତ୍ୟୁ ଘଟିଥିଲା। ଦିନ ଦି’ପହରରେ ରାଜଧାନୀର ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଥିବା ଏହି ଗୁଳିକାଣ୍ଡ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ବ୍ୟାବସାୟିକ ଶତ୍ରୁତାରୁ ଗ୍ୟାଙ୍ଗ୍‌ୱାର୍‌ ଘଟିବା ଓ ଏଥିରେ ମୁଣ୍ଡ ଗଡ଼ିବା ଭଳି ଘଟଣାଟି ପୁଲିସ ପାଇଁ ବଡ଼ ଆହ୍ବାନ ଥିଲା। ରାଜଧାନୀର ବିଗିଡ଼ୁଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ତତ୍କାଳୀନ ପୁଲିସ କମିସନର୍‌ ସୁନୀଲ ରାୟଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯାଇଥିଲା। ତେବେ ଘଟଣାର କିଛି ଦିନ ଭିତରେ ନୂଆପଲ୍ଲୀ ଥାନାର ତତ୍କାଳୀନ ଆଇଆଇସି ଅନୁପ କାନୁନ୍‌ଗୋ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ପୁଲିସ ତଦନ୍ତରୁ ମିଳିଥିବା ସୂଚନାନୁସାରେ ମୁଖ୍ୟ ଅଭିଯୁକ୍ତ ତାରିଣୀ ଓ କୃଷ୍ଣ ଏକାଠି କାମ କରୁଥିଲେ। କଳିଙ୍ଗପୁତ୍ର ବିଲ୍‌ଡର ସଂସ୍ଥା ଜରିଆରେ ଜମିବାଡ଼ି ପଜେସନ୍ ନେଉଥିଲେ। କିନ୍ତୁ କୃଷ୍ଣ ଉକ୍ତ ସଂସ୍ଥାର ମୁଖ୍ୟ ହୋଇଥିବାରୁ ସେ ସବୁବେଳେ ଅଧିକ ଟଙ୍କା ରଖୁଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଫାଟ ହୋଇଥିଲା ଓ ସେମାନେ ପୃଥକ ହୋଇଯାଇଥିଲେ। ତାରିଣୀ ଏକ ଅଲଗା ଗ୍ୟାଙ୍ଗ୍‌ ଗଢ଼ି କୃଷ୍ଣଙ୍କ ବ୍ୟବସାୟରେ କଣ୍ଟା ସାଜିଥିଲା। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ୨୦୧୧ ମସିହାରେ କୃଷ୍ଣଙ୍କ ପୁଅ ମିକୁ ଓ ତା’ ସହଯୋଗୀ ତାରିଣୀକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ତାରିଣୀ ଗୁରୁତର ହୋଇଥିଲେ ବି ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲା। ପୁଣି ସେହି ବର୍ଷ ଅକ୍ଟୋବରରେ ଇସ୍କନ ମନ୍ଦିର ପଛପଟ କଲୋନିରେ ରହୁଥିବା ତାରିଣୀର ସହଯୋଗୀ ରାଜେଶ ଜେନା ଓରଫ ମଣ୍ଟୁକୁ ହତ୍ୟା କରାଯାଇଥିଲା।

କୃଷ୍ଣ ଓ ତା’ର ୨ ପୁଅ ଚିକୁ, ମିକୁ ମଣ୍ଟୁକୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ବାରମ୍ବାର କୃଷ୍ଣ ଗୋଷ୍ଠୀ ଆକ୍ରମଣ କରୁଥିବାରୁ ତାରିଣୀ ଗ୍ୟାଙ୍ଗ୍‌ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଥିଲେ। କୃଷ୍ଣକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସେମାନେ ମିସନ୍ ଆରମ୍ଭ କରିଥିଲେ। ୨୦୧୩ ଜୁଲାଇ ୨୭ ତାରିଖ ଦିନ ସେମାନେ କୃଷ୍ଣଙ୍କ ଘରକୁ ଗୁଳିମାଡ଼ କରିଥିଲେ। ତାରିଣୀ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୁପାରି କିଲର୍ ଆଣି ଏହି ଗୁଳିମାଡ଼ କରିଥିବା ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ସେଥର କୃଷ୍ଣ ଗୁଳିମାଡ଼ରୁ ଖସି ଯାଇଥିଲା। କିନ୍ତୁ ଅଗଷ୍ଟ ୧୨ ତାରିଖ ଆକ୍ରମଣରେ ପ୍ରାଣ ହରାଇଥିଲା। ଉଲ୍ଲେଖଯୋଗ୍ୟ, କୃଷ୍ଣଙ୍କର ୨ ପୁଅ ଚିକୁ ଓ ମିକୁ ଏବେ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର