ବିନାୟକଙ୍କ ଜୀବନୀ ଆଗାମୀ ପିଢ଼ିକୁ ଅନୁପ୍ରେରିତ କରିବ

ଭୁବନେଶ୍ବର: ପ୍ରଫେସର୍‌ ବିନାୟକ ରଥଙ୍କ ଆତ୍ମଜୀବନୀର ପ୍ରଥମ ଭାଗ ‘ଫର୍ମ ଡାର୍କନେସ୍ ଟୁ ଲାଇଟ୍‌ ହାଉସ୍‌: ଦ ଜର୍ଣ୍ଣି ଅଫ୍ ଆନ୍ ଆଇଆଇଟିଆନ୍ ମେମୋରିସ୍ ଅଫ୍‌ ଏ ଭିଲେଜ୍‌ ବଏ’ ଆଜି ହୋଟେଲ ଏମ୍ପାୟାର୍ସଠାରେ ଉନ୍ମୋଚିତ ହୋଇଯାଇଛି। ପୁସ୍ତକ ପ୍ରକାଶନୀ ସଂସ୍ଥା ‘ଏଲିଟ୍‌’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର୍‌ ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ଅତିଥି, ବିଶିଷ୍ଟ ସ୍ତମ୍ଭକାର ଡ. ଭଗବାନ ପ୍ରକାଶ ଓ ସ୍ବାମୀ ସମ୍ପର୍ଣ୍ଣାନନ୍ଦ ଗିରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ।

ଲେଖକ ଶ୍ରୀ ରଥ କହିଥିଲେ, ନିଜ ଜୀବନର କଷ୍ଟ ଓ ସଂଘର୍ଷକୁ ଉତ୍ତରପିଢ଼ିକୁ ଜଣାଇବା ପାଇଁ ଏହି ପୁସ୍ତକ ଲେଖିଛି। ଗୋଟିଏ ସାଧାରଣ ଗାଉଁଲି ପିଲା କିଭଳି ଜଣେ ସଫଳ ଆଇଆଇଟିଆନ୍ ହୋଇପାରିଛି, ତାହା ଏହି ପୁସ୍ତକରୁ ପାଠକେ ଜାଣିପାରିବେ। ‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର ସମୀକ୍ଷା କରି କହିଥିଲେ, ଲେଖକ ଶ୍ରୀ ରଥ ଏହି ପୁସ୍ତକକୁ ଲେଖିଲା ବେଳେ ଅନେକ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇଥିବେ। କେଉଁଟା ରଖିବେ, କେଉଁଟା ଛାଡ଼ିବେ ତାକୁ ନେଇ ମନରେ ଅନେକ ସଂଶୟ ସୃଷ୍ଟି ହୋଇଥିବ।

ଏହି ପୁସ୍ତକ ଆଗାମୀ ପିଢ଼ିକୁ ଅନୁପ୍ରେରିତ କରିବ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍‌ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ, ସ୍ବଦେଶ ପଟ୍ଟନାୟକ, ଡ. ଗୋବିନ୍ଦ ପ୍ରଧାନ, ପ୍ରଫେସର ଆଦିତ୍ୟ ମହାନ୍ତି ଓ ପ୍ରଫେସର୍‌ ଶ୍ରୀବାସ୍ତବ ପ୍ରମୁଖ ଅନେକ ମାନ୍ୟଗଣ୍ୟ ଉପସ୍ଥିତ ଥିଲେ। ପ୍ରଫେସର ଯତୀନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର