ବର୍ଜ୍ୟବସ୍ତୁକୁ ନୂଆ ରୂପ ଦେଉଥିବା ବିନ୍ଧାଣି ସୁଜାସ୍ମିତା, ୫ ଶହ ମହିଳାଙ୍କୁ ଦେଖାଇଛନ୍ତି ରୋଜଗାରର ରାହା

ବାଲିପାଟଣା: ପୁରୁଣା ଅବ୍ୟବହୃତ ବସ୍ତୁକୁ ପୁଣି ନୂଆ ରୂପ ଦେଇ ବ୍ୟବହାର ଉପଯୋଗୀ ସାମଗ୍ରୀ କରିବାରେ ସେ ଜଣେ ଅନ୍ୟତମ ବିନ୍ଧାଣି। ପୁରୁଣା ବର୍ଜ୍ୟବସ୍ତୁକୁ ଧରି ସିଲେଇ ମେସିନ୍‌ରେ ବସିଗଲେ, ଉକ୍ତ ଅବ୍ୟବହୃତ ବସ୍ତୁଟି ଏକ ନୂଆ ଆକର୍ଷଣୀୟ ରୂପରେ ବାହାରି ଯାଉଛି। ପୁରୁଣା ଶାଢ଼ି, ଜେରି ପ୍ୟାକେଟ୍‌ ଓ ପ୍ଲାଷ୍ଟିକ୍‌ ବୋତଲରୁ ଗଢ଼ି ଦେଉଛନ୍ତି ଘରକରଣା ଓ ସାଜସଜ୍ଜା ସାମଗ୍ରୀ, ଯାହାର ବଜାରର ଚାହିଦା ରହୁଛି। ତେବେ ଏଥିରୁ ସେ ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାଙ୍କୁ ତାଲିମ୍ ଦେଇ ସେମାନଙ୍କୁ ରୋଜଗାରର ରାହା ଦେଖାଇ ପାରୁଛନ୍ତି। ଘର ପରିବାର ଜଞ୍ଜାଳ ଭିତରେ ରହି ବି ସେ ଅନ୍ୟମାନଙ୍କ ପାଇଁ ସାହାରା ପାଲଟି ପାରିଛନ୍ତି। ମହିଳା ସଶକ୍ତିକରଣ କ୍ଷେତ୍ରରେ କର୍ମଯୋଗୀ ଭାବେ ଜଣାଶୁଣା ଏମିତି ଜଣେ ମହିଳା ହେଉଛନ୍ତି ସୁଜାସ୍ମିତା ତିୱାରି।

ବାଲିପାଟଣା ଶିଶୁମଠ ସାହିର ପଣ୍ଡିତ ରବି ନାରୟଣ ମିଶ୍ରଙ୍କ ପତ୍ନୀ ହେଉଛନ୍ତି ସୁଜାସ୍ମିତା। ଗୋଟିଏ ପୁଅ, ଗୋଟିଏ ଝିଅ ଓ ସ୍ବାମୀଙ୍କୁ ନେଇ ତାଙ୍କ ପରିବାର। ଘରର ସମସ୍ତ କାମ ତାଙ୍କ ଉପରେ ନ୍ୟସ୍ତ। କିନ୍ତୁ ସେଥିରୁ ସମୟ ବାହାର କରି ସେ ତାଙ୍କ ସିଲେଇ ତାଲିମ କେନ୍ଦ୍ର ଓ ନୃତ୍ୟ ଗୀତ ତାଲିମ୍ କେନ୍ଦ୍ର ପରିଚାଳନା କରନ୍ତି। ବାଲିପାଟଣାରେ ନେହେରୁ ଯୁବ କେନ୍ଦ୍ର (ଏନ୍‌ୱାଇକେ) ଅଧୀନରେ ୨୦୦୪ ମସିହାରୁ ତାଙ୍କ ହାତରେ ଗଢ଼ି ଉଠିଥିବା ଅନୁଷ୍ଠାନ ‘ସୁଇଟ ହାର୍ଟ’ ମାଧ୍ୟମରେ ସେ ଘରେ ଯୁବତୀ ଓ ମହିଳାଙ୍କୁ ସିଲେଇ ଶିଖାଇବା ଆରମ୍ଭ କଲେ। ଏଥିସହିତ ବର୍ଜ୍ୟବସ୍ତୁରୁ ଗୃହପୋଯୋଗୀ ସାମଗ୍ରୀ ତିଆରି କରିବା ବି ଶିଖାଇଲେ। ଟେଡି, ପାପୋଛ, ଚାନ୍ଦୁଆ, ଓଡ଼ିଶୀ କଳାକାରଙ୍କ ବସ୍ତ୍ର, ଠାକୁର ଠାକୁରାଣୀଙ୍କ ପତାକା, ଠାକୁରଙ୍କ ବସ୍ତ୍ର, ମାଳି, ଆଇସ୍‌କ୍ରିମ ଷ୍ଟିକ୍‌, ଷ୍ଟୋନ୍‌ ଗହଣା ଭଳି ବିଭିନ୍ନ ସାମଗ୍ରୀ ତିଆରି କରିବା ଶିଖାଇଲେ। ବଡ଼ କଥା ହେଲା ତାଙ୍କ ହାତ ତିଆରି ସାମଗ୍ରୀ ଏତେ ଆକର୍ଷଣୀୟ ଯେ ବଜାର ଚାହିଦା ଦୃଷ୍ଟିରୁ ସେଗୁଡ଼ିକୁ ବିକ୍ରି କରିବାରେ ସମସ୍ୟା ନଥାଏ। ପୂଜା, ହୋମ, ଯଜ୍ଞ ଋତୁରେ ତାଙ୍କ ତା‌ଲିମ୍‌ କେନ୍ଦ୍ର ତିଆରି ଠାକୁରଙ୍କ ବସ୍ତ୍ର ଓ ପତାକାର ଚାହିଦା ଅଧିକ ରହେ। ତାଙ୍କ ପାଖରେ କାମ ଶିଖିବା ଅବସ୍ଥାରେ ଶିକ୍ଷାର୍ଥୀମାନେ ମାସିକ ୨ରୁ ୩ ହଜାର ଟଙ୍କା ରୋଜଗାର କରିପାରନ୍ତି। କାମ ଶିଖିବା ପରେ ସେମାନେ ନିଜ ନିଜ ସଂସ୍ଥା ଜରିଆରେ ବିଭିନ୍ନ ସାମଗ୍ରୀ ତିଆରି କରନ୍ତି ଓ ସୁଜାସ୍ମିତାଙ୍କ ସହଯୋଗରେ ବିକ୍ରି କରନ୍ତି। ବାଲିପାଟଣା, ତରଡ଼ପଡା, ପମ୍ପାଲୋ, ନୂଆପଡା, ଝିଣ୍ଟି, ଆଳିଶି, ଦରଡା, ଭିଙ୍ଗାରପୁର, ପାଟପୁର, ମହୁଖଣ୍ଡା, ସାହେବନଗର ପ୍ରଭୃତି ଅଞ୍ଚଳରୁ ଯୁବତୀ ଓ ମହିଳାମାନେ ତାଙ୍କ କେନ୍ଦ୍ରରେ କାମ ଶିଖିଛନ୍ତି। ପାଖାପାଖି ୫ ଶହରୁ ଅଧିକ ମହିଳା ଏବେ ଘରେ ରହି ରୋଜଗାର କରିପାରୁଛନ୍ତି।

ତାଙ୍କ କହିବା କଥା ନିଜ ବିଦ୍ୟାକୁ ବାଣ୍ଟିବା ଦ୍ବାରା ‌ସେ ଦିନକୁ ଦିନ ଅଧିକ ଦକ୍ଷ ହୋଇପାରିଛନ୍ତି ଓ ଅନ୍ୟମାନଙ୍କୁ ରୋଜଗାର ବାଟ ଦେଖାଇ ପାରିଥିବାରୁ ତାଙ୍କୁ ବହୁ ଆନନ୍ଦ ମିଳୁଛି। କିନ୍ତୁ ଇଛା ଥିଲେ ବି ଉକ୍ତ ସଂସ୍ଥାକୁ ବ୍ୟାପକ କରିବା ପାଇଁ ଆର୍ଥିକ ସମସ୍ୟା ପଥରୋଧ କରୁଛି। ସରକାରୀ ପ୍ରୋତ୍ସାହନ ବା ବ୍ୟାଙ୍କ ଋଣ ମିଳିଲେ, ତାଙ୍କ ସଂସ୍ଥା ଆହୁରି ଆଗେଇ ପାରନ୍ତା। କିନ୍ତୁ ବ୍ୟାଙ୍କରୁ ସହଯୋଗ ମିଳୁନି। ମୁଦ୍ରା ଋଣ ପାଇଁ ଆବେଦନ କରିବା ପରେ ସ୍ଥାନୀୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ କେନ୍ଦ୍ର ବୁଲି ଦେଖିଥିଲେ। ମାତ୍ର ଋଣ ମଞ୍ଜୁର କଲେ ନାହିଁ। ବାରମ୍ବାର ବ୍ୟାଙ୍କକୁ ଧାଇଁ ଧାଇଁ ସେ ହତାଶ ହେଲେ ସିନା କିଛି ଲାଭ ହେଲା ନାହିଁ। ସରକାରଙ୍କ ମହିଳା ସଶକ୍ତକରଣ କଥା କେବଳ ଫମ୍ପା ପ୍ରତିଶ୍ରୁତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର