ଭୁବନେଶ୍ବର: ବିନ୍ଦୁସାଗର ଜଳକୁ ସ୍ବଚ୍ଛ ରଖିବା ସହ ଦଳ ନବ୍ୟାପିବା ପାଇଁ ଦୟାନଦୀରୁ ପାଇପ୍ ଯୋଗେ ଦୈନିକ ୨୦ ଲକ୍ଷ ଲିଟର ପାଣି ଆସୁଛି। ହେଲେ ପାଣିର ମାନରେ ତ କୌଣସି ପରିବର୍ତ୍ତନ ହେଉନାହିଁ ବରଂ ଖରା ଯୋଗୁଁ ପୁଷ୍କରିଣୀର ଜଳସ୍ତର ପ୍ରାୟ ଦୁଇ ଫୁଟ କମିଗଲାଣି। ବିନ୍ଦୁସାଗର ଜଳରେ ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇଗଲାଣି। ଏହା ଆସନ୍ତା ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚାପ ବେଳେ ସମସ୍ୟା କରିବ ବୋଲି ସେବାୟତମାନେ କହିଛନ୍ତି।
ପୂର୍ବରୁ ବର୍ଷର ଅଧିକାଂଶ ସମୟ ଏହି ପୁଷ୍କରିଣୀ ଜଳ ସ୍ଥିର ହୋଇ ରହୁଥିବାରୁ ଅସ୍ବଚ୍ଛ ହୋଇପଡ଼ୁଥିଲା ଓ ପାଣିରେ ପ୍ରବଳ ମାତ୍ରାରେ ଜଳଜ ଗୁଳ୍ମଲତା, ଶିଉଳି ଓ ଦଳ ସୃଷ୍ଟି ହେଉଥିଲା। ତେଣୁ ୨୦୧୯ ମସିହାରେ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପ ପାଇଁ କାମ ଆରମ୍ଭ କରିଥିଲା। ଏଥିପାଇଁ ପ୍ରାୟ ୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଯୋଜନାନୁସାରେ ଦୟାନଦୀରେ ଏକ ପମ୍ପ ହାଉସ୍ ନିର୍ମାଣ କରାଯାଇ ପାଇପ୍ ଯୋଗେ ପାଣି ଆସି ସାମନ୍ତରାପୁରସ୍ଥିତ ୱାଟ୍କୋ କାର୍ଯ୍ୟାଳୟ ପରିସରରେ ଥିବା ବିଶୋଧନ କେନ୍ଦ୍ରରେ ସଂରକ୍ଷିତ ହେଉଛି। ପମ୍ପହାଉସ୍ରୁ ୱାଟ୍କୋ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୭୮୦ ମିଟର ପାଇପ୍ରେ ନଦୀ ଜଳ ଆସୁଛି। ସେହିଭଳି ସେଠାରୁ ୧୨ଇଞ୍ଚିଆ ପାଇପ୍ ଯୋଗେ ସାମନ୍ତରାପୁର, ଇଲେକ୍ଟ୍ରି ଅଫିସ୍, ନୂଆ ଲିଙ୍ଗରାଜ ମାର୍କେଟ ମଧ୍ୟ ଦେଇ ତୀର୍ଥେଶ୍ବର ରାସ୍ତାରେ ବିନ୍ଦୁସାଗର ଚାରିପଟକୁ ପାଇପ୍ ସଂଯୋଗ କରାଯାଇଛି।
ବିନ୍ଦୁସାଗର ଚାରିପଟେ ୮ଇଞ୍ଚିଆ ପାଇପ୍ ବିଛାଯାଇଛି। ପୋଖରୀ ଚାରିକଡ଼ରେ ୧୬ଟି ପଏଣ୍ଟ କରାଯାଇଛି ଯେଉଁଠି ଜଳ ପୋଖରୀ ଭିତରକୁ ପଡ଼ୁଛି। ଏବେ ଧୀରେ ପାଣି ପଶୁଛି ବୋଲି ସ୍ଥାନୀୟ ଲୋକ କୁହନ୍ତି।ଏନେଇ ୱାଟ୍କୋର ପ୍ରବନ୍ଧକ ଗୁରୁଚରଣ ଦାସ କୁହନ୍ତି ଯେ, ଟ୍ରାଏଲ୍ ସରି ପ୍ରକଳ୍ପ କାମ ସଫଳତାର ସହ ଶେଷ ହୋଇଛି ଓ ଉଦ୍ଘାଟନ ହୋଇନଥିଲେ ମଧ୍ୟ ପାଣି ଆସିବା ଚାଲୁ ରହିଛି। ଏବେ ଖରାଦିନେ ଯୋଗୁ ପାଣି ଶୁଖିଥିବ।