ପୁରୁଣା ଭୁବନେଶ୍ୱର : ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗରର ସୁରକ୍ଷା ପାଇଁ ଲୋକ ଅଦାଲତରେ ଚାଲିଥିବା ମାମଲାରେ ଜବାବ ଦେବାରେ ବିଳମ୍ବ ପାଇଁ କୋର୍ଟରେ ଜରିମାନା ଗଣିଛି ବିଏମ୍‌ସି। ମାମଲା ରୁଜୁ କରିଥିବା ଆଇନଜୀବୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବା ପରେ ସେ ତାହାକୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରଦାନ କରିଛନ୍ତି। ସୂଚନା ଥାଉକି, ୧୧ଶହ ବର୍ଷ ତଳର ଏହି ପୁଷ୍କରିଣୀ ବିନ୍ଦୁସାଗରର ଜଳ ନିଷ୍କାସନ ପଥ ବନ୍ଦ ହୋଇଯାଇଛି। ତେଣୁ ଏହାର ସୁରକ୍ଷା ନେଇ ଆଇନଜୀବୀ ସଞ୍ଜୀବ ପୂଜାପଣ୍ଡାଙ୍କ ପକ୍ଷରୁ ଭୁବନେଶ୍ୱର ଲୋକଅଦାଲତରେ ଗତ ୨୦୧୭ ଅକ୍ଟୋବର ୯ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ସ୍ୱେରେଜ ଲାଇନ୍‌ ଅଚଳ ହୋଇପଡ଼ିଛି। ଆବର୍ଜନା ପାଣି ନିଷ୍କାସନ ନହେବା ଓ ବିଏମ୍‌ସି ପକ୍ଷରୁ ବହୁବାର ସଫେଇ କରାଯାଇଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଶ୍ରୀ ପୂଜାପଣ୍ଡା ଲୋକ ଅଦାଲତରେ ମାମଲା କରିଥିଲେ। ଉକ୍ତ ମାମଲାରେ ଲୋକ ଅଦାଲତ ପକ୍ଷରୁ ଦେବୋତ୍ତର କମିସନର, ବିଏମ୍‌ସି କମିସନର, ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ଖୋର୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ, ଭୁବନେଶ୍ୱର ତହସିଲଦାର, ପୁରୁଣା ଭୁବନେଶ୍ୱର ରାଜସ୍ୱ ନିରୀକ୍ଷକ ଓ ବିଏମ୍‌ସି ସିଟି ହେଲ୍‌ଥ ଅଫିସର୍‌ଙ୍କ ସମେତ ୮ଜଣଙ୍କୁ ନୋଟିସ୍‌ କରାଯାଇଥିଲା।

Advertisment

ଆଇନଜୀବୀ ଶ୍ରୀ ପୂଜାପଣ୍ଡାଙ୍କ ସୂଚନା ଅନୁଯାୟୀ ୩ ମାସ ବଦଳରେ ୫ମାସ ବିତିଯିବା ପରେ ଆଜି ଜବାବ ଦାଖଲ କରିଥିଲେ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ୍‌ ଓ ହେଲ୍‌ଥ ଅଫିସର। ଏହି ମାମଲାର ଆଜି ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ ଓ ଆସିଷ୍ଟାଣ୍ଟ୍‌ ହେଲ୍‌ଥ ଅଫିସର ପି କେ ଦାଶ ଜବାବ ଦାଖଲ କରିଥିଲେ। ତେବେ ବିଳମ୍ବରେ ଜବାବ ଦାଖଲ ହେତୁ ଆଜି ଅଦାଲତ ସେମାନଙ୍କୁ ଶହେ ଟଙ୍କା ଲେଖାଏଁ ଜରିମାନା ଆବେଦନକାରୀଙ୍କୁ ପ୍ରଦାନ କରିବାକୁ କହିଥିଲେ। ସେମାନେ ଅଦାଲତରେ ୨ଶହ ଟଙ୍କା ଜରିମାନା ଦେବା ପରେ ଟଙ୍କାକୁ ଶ୍ରୀ ପୂଜାପଣ୍ଡା ମନ୍ଦିର କାର୍ଯ୍ୟାଳୟରେ ଦାଖଲ କରିଥିଲେ। ଏପଟେ ପୁଷ୍କରିଣୀର ଚତୁପାର୍ଶ୍ୱରୁ କିଛି ଦଳ ସଫା ହୋଇଥିଲେ ମଧ୍ୟ ଏବେ ବି ଦଳପୂର୍ଣ୍ଣ ହୋଇ ରହିଛି। ଆଲୋକୀକରଣ କରାଯାଇଥିବା ବେଳେ ମ୍ୟୁଜିକାଲ ଫାଉଣ୍ଟେନ୍‌ କାମ ଅଧା ରହିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।