ଗନ୍ଧଉଛି ତୀର୍ଥ ପୁଷ୍କରିଣୀ, କଷ୍ଟ ଦେବ କାର୍ତିକ ସ୍ନାନ

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ଠାରୁ ଆରମ୍ଭ ହେବ କାର୍ତିକ ମାସ। ପବିତ୍ର ପୁଷ୍କରିଣୀରେ ସ୍ନାନ କରି ପୁଣ୍ୟ ଲଭିବା ପାଇଁ ହବିଷ୍ୟାଳୀଙ୍କଠୁ ନେଇ ବ୍ୟକ୍ତିବିଶେଷଙ୍କ ଭିଡ଼ ଜମିବ। ମାତ୍ର ଯେଉଁ ପୁଷ୍କରିଣୀର ଜଳ ସିଞ୍ଚି ହୋଇ ପାପ କ୍ଷୟ କରିବାକୁ ଅନେକ ଏଠାକୁ ବିଶ୍ବାସରେ ଧାଇଁ ଆସିବେ ସେଠାରେ ସ୍ନାନ ମାତ୍ରେ ହିଁ ସେମାନେ ଚର୍ମ ରୋଗ ନେଇ ଫେରିବେ। ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ସରକାର ଏତେ ଯୋଜନା କରୁଛନ୍ତି, ମାତ୍ର ପବିତ୍ର ତୀର୍ଥ ପୁଷ୍କରିଣୀ ଯେ ପୁତିଗନ୍ଧମୟ ହେଲାଣି ତା ଉପରେ ନଜର ପଡ଼ୁନାହିଁ। ସ୍ଥିତି ଏମିତି ଯେ, ପୁଷ୍କରିଣୀ ଜଳ ସିଞ୍ଚି ହେବା ତ ଦୂରର କଥା ପାହାଚ ମାଡ଼ିବା ମାତ୍ରେ ଗନ୍ଧରେ ନାକ ଫାଟି ପଡ଼ୁଛି।

ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରରେ ସମୃଦ୍ଧ କୀର୍ତିରାଜି ସହ କିମ୍ବଦନ୍ତୀ ଆଧାରିତ ଐତିହ୍ୟ ପୁଷ୍କରିଣୀ ରହିଛି। ମାତ୍ର କେଉଁଠି ଏହା ଜବରଦଖଲ ହୋଇଗଲାଣି ତ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇପଡ଼ିଲାଣି। ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ଥିବା ଦେବୀ ପାଦହରା ପୁଷ୍କରିଣୀ ଚାରି ପାଖରେ ୧୦୮ ଶିବଲିଙ୍ଗ ଓ ମନ୍ଦିର ଥିଲେ ହେଁ ୪୦ଟି ମନ୍ଦିରରୁ ଶିବ ଲିଙ୍ଗ ଗାୟବ ହୋଇଯାଇଛି। ଆଉ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ି ରହିଛି। ୭ ବର୍ଷ ହେଲା ଏପରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପୁଷ୍କରିଣୀ ଓ ମନ୍ଦିରର ପୁନରୁଦ୍ଧାର କାମ ଆରମ୍ଭ କରିଛି। ପ୍ରାୟ ଦେଢ଼ କିଲୋମିଟର ପରିଧି ମଧ୍ୟରେ ଥିବା ବିନ୍ଦୁ ସାଗରର ସମୃଦ୍ଧ କିମ୍ବଦନ୍ତୀ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ହେଲେ ବାରମ୍ବାର ଚେଷ୍ଟା ପରେ ମଧ୍ୟ ଏଯାଏ ଦଳ ସଫା ହୋଇପାରିଲା ନାହିଁ। ବିନ୍ଦୁସାଗର ଜଳ ପରିଷ୍କାର ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ଡ୍ରେନେଜ୍‌ ବିଭାଗ ଓ ଓସିସି ଦୁଇ ପର୍ଯ୍ୟାୟରେ ଏହାର ଦାୟିତ୍ବ ନେଇଥିଲେ। ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପର। ତେଣୁ ବିନ୍ଦୁ ସାଗରରେ ସ୍ନାନ କରିବା ତ ଦୂରର କଥା ଲୋକେ ଏହି ପାଣି ସିଞ୍ଚନ କରିବାକୁ ବି ନାକ ଟେକୁଛନ୍ତି।

କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇ କାମ ସରିଛି। ଦୀର୍ଘ ଦେଢ଼ ବର୍ଷ ତଳୁ କାମ ସରିଛି। ମାତ୍ର ଆଗରି ଯେମିତି ଏହି କୁଣ୍ଡ ନୀଳବର୍ଣ୍ଣ ଧାରଣ କରିଥିଲା ଏବେ ବି ‌ସ୍ଥିତି ସେମିତି ଅଛି। ଅନ୍ୟତମ ଐତିହ୍ୟ ପୁଷ୍କରିଣୀ ‘ଗୋଡ଼ି ପୋଖରୀ’ ବି ଅବ୍ୟବସ୍ଥାରେ ପଡ଼ିରହିଛି। ପୁଷ୍କରିଣୀ ଉଦ୍ଧାର କରିବା ପାଇଁ ସରକାର ନୂଆ ନୂଆ ଯୋଜନା କରୁଥିଲେ ହେଁ ପାଣି ପଚି ଦୁର୍ଗନ୍ଧ ବାହାରୁଥିବାରୁ ମଶା ବଂଶ ବୃଦ୍ଧିର ମାଧ୍ୟମ ପାଲଟିଛି। ପୁରୁଣା ଭୁବନେଶ୍ୱର ଗୋଡ଼ି ପୋଖରୀ ସାହିରେ ଥିବା ଗୋଡ଼ି ପୋଖରୀ ୫ବର୍ଷରୁ ଅଧିକ ସମୟ ଧରି ସମ୍ପୂର୍ଣ୍ଣ ଦଳ ଭର୍ତ୍ତି ହୋଇ ରହିଛି। ପୋଖରୀଟି ଏବେ ଅନାବନା ଗଛରେ ଭର୍ତି ହୋଇଛି। ମଶା, ମାଛି ଓ ବିଭିନ୍ନ ସରୀସୃପଙ୍କ ଘର ପାଲଟିଛି। ସେବାୟତ ଶରତ ଚନ୍ଦ୍ର ପଣ୍ଡାଙ୍କ କହିବା ମୁତାବକ, ବିନ୍ଦୁସାଗର, ନନ୍ଦକୁଣ୍ଡ ପୁଷ୍କରିଣୀ, ଦେବୀ ପାଦହରା, କେଦାର ଗୌରୀ, ଗୋସାଗରେଶ୍ୱର, ରାମେଶ୍ୱର ଭଳି ୧୫ରୁ ଅଧିକ ପୁଷ୍କରିଣୀ ଅସ୍ତିତ୍ବ ହରାଇବାକୁ ବସିଛି। ଯେଉଁ ମନ୍ଦିରକୁ ପର୍ଯ୍ୟଟକ ଅଧିକ ଆସୁଛନ୍ତି ଏଏସ୍ଆଇ କେବଳ ସେହି ମନ୍ଦିର ବ୍ୟତୀତ ଅନ୍ୟ କିଛି କରୁନାହିଁ। ଏନେଇ ଏଏସ୍ଆଇର ଭୁବନେଶ୍ୱର ସଂଗ୍ରାଧୀକ୍ଷକ ନିର୍ମଳ କୁମାର ମହାପାତ୍ର କହିଛନ୍ତି, ଦେବୀ ପାଦହରା ପୁଷ୍କରିଣୀ କାମ ଚାଲୁ ରହିଛି। ବିନ୍ଦୁସାଗର ବିଏମ୍‌ସି ଅଧୀନରେ ରହିଥିବା ବେଳେ ରାମେଶ୍ବର ଓ ଅନ୍ୟ ପୁଷ୍କରିଣୀର ସଫେଇ କାର୍ଯ୍ୟ ଖୁବ୍‌ଶୀଘ୍ର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର