ଭୁବନେଶ୍ବର: ବିନ୍ଦୁ ସାହିତ୍ୟ ସମାଜର ୫ମ ସାହିତ୍ୟ ଉତ୍ସବ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ବାରା ରଚିତ ଉପନ୍ୟାସ ‘ଗୋପ ଦାଣ୍ଡର ଧୂଳି’ ଲୋକାର୍ପିତ ହୋଇଥିଲା। ଏଥିରେ ପଦ୍ମଭୂଷଣ କବି ରମାକାନ୍ତ ରଥ ମୁଖ୍ୟ ଅତିଥି ଓ ଲେଖିକା ଅର୍ଚ୍ଚନା ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କବି ନୃସିଂହ ପ୍ରସାଦ ତ୍ରିପାଠୀ, ଗବେଷକ ଅସିତ ମହାନ୍ତି ଓ କବି ମନୋଜ କୁମାର ମେହେର ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଧୀରେ ଧୀରେ ଓଡ଼ିଆ ଉପନ୍ୟାସ ସାହିତ୍ୟର ଅଧୋଗତି ଘଟୁଛି। ଆଉ ସେ ଦୁର୍ମୂଲ୍ୟ ଉପନ୍ୟାସ ରଚନା ନୁହେଁ କେବଳ ଗପ, କବିତା ଲେଖାରେ ହିଁ ସୀମିତ ରହିଯାଉଛି ସାହିତ୍ୟ। କିନ୍ତୁ ଆଜି ଶ୍ରୀ ମିଶ୍ରଙ୍କ ଚରିତ ଉପନ୍ୟାସ ଦେଖି ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ନେଇ ଆଶା ସଂଚାର ହେଉଛି। ଏଥିରେ ଏବେବି ସମ୍ଭାବନା ଭରି ରହିଛି ବୋଲି ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ। ଏହି ଅବସରରେ ବିନ୍ଦୁ ସାହିତ୍ୟ ସମାଜ ପକ୍ଷରୁ ସାହିତ୍ୟ ସାଧନା ପାଇଁ ସମ୍ଭକାର ଅସିତ ମହାନ୍ତି ଓ କବି ମନୋଜ କୁମାର ମେହେରଙ୍କୁ ସମ୍ବର୍ଧିତ କରାଯାଇଥିଲା। ସ୍ବପ୍ନା ବେହେରା, ସୁନନ୍ଦା ବି. ମହାପାତ୍ର, ପବିତ୍ର ବ୍ରହ୍ମପୁତ୍ର ନାୟକ, ପୁଷ୍ପିତା ଦାଶ ଓ ସୁଷମା ପରିଜାଙ୍କୁ ବିନ୍ଦୁ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ବାଉରୀବନ୍ଧୁ ଲେଙ୍କା ସ୍ବାଗତ ଭାଷଣ ଦେଇଥିଲେ। ସଂପାଦକ ଅରୁଣ କୁମାର ବିଶ୍ବାଳ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଭକ୍ତ ମଲ୍ଲ ଧନ୍ୟବାଦ ଦେଇଥିଲେ।